ସକାଳେ ବନ୍ଦ, ସନ୍ଧ୍ୟାରେ ଦୋକାନ ଖୋଲା ।
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲା ସଦର ମହକୁମାର ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଠେଲାଗାଡ଼ି ପକାଇ ଦୋକାନ ଖୋଲିବା, ଡିଏନକେ ଅଞ୍ଚଳରେ ରାସ୍ତାକଡ଼ରେ ବସି ପରିବା ବିକିବା ସହ ଦୋକାନ ଖୋଲିବା ଯୋଗୁଁ ଭିଡ଼ ଜମୁଛି। ତେଣୁ ତୁରନ୍ତ ହଟାଇବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ନେଇ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନେତୃତ୍ବରେ ଏକ ଟିମ୍ ମାଲକାନଗିରି ସହରର ବିଭିନ୍ନ ଅଞ୍ଚଳ ବୁଲି ରାସ୍ତା ଉପରେ ଓ ରାସ୍ତାକଡ଼ରେ ବସିଥିବା ଦୋକାନୀମାନଙ୍କୁ ହଟିବା ପାଇଁ ତାଗିଦ୍ କରିବା ସହ ଜରିମାନା ଆଦାୟ କରିଥିଲେ । ତେବେ ଡିଏନକେ ଠାରେ ରାସ୍ତାକଡ଼ରେ ବସୁଥିବା ଦୋକାନୀମାନେ ପୌର ପରିଷଦର ତାଗିଦକୁ ମାନୁନଥିବା ଦେଖିବାକୁ ମିଳିଛି। ଡିଏନକେ ଠାରେ ସକାଳେ ପୌର ପରିଷଦର ଅଧିକାରୀ ଦୋକାନ ନଖୋଲିବାକୁ ଧମକ ଦେଇଥିବା ବେଳେ ସନ୍ଧ୍ୟାରେ ଦୋକାନ ଖୋଲାଯାଉଥିବା ଦେଖିବାକୁ ମିଳିଛି | ଜରମାନା ଆଦାୟ ପରେ ମଧ୍ୟ ଖାତିର କରୁନାହାନ୍ତି ଦୋକାନୀ। ରାସ୍ତାକଡ଼ରେ ଦୋକାନ ଖୋଲିବା
ସହ ରାସ୍ତାକୁ ଅବରୋଧ କରୁଛନ୍ତି। ଏଥିସହ ନୂଆ ମେଡିକାଲ୍ ଠାରୁ ଭୈରବ ମନ୍ଦିର ପର୍ଯ୍ୟନ୍ତ ରାସ୍ତାକଡ଼ରେ ବଡ଼ ବଡ଼ ଗାଡ଼ି ପାକିଂ କରିବା ଏବଂ ରାସ୍ତା ଉପରେ ଗାଈଗୋରୁଙ୍କ ଭିଡ଼ ଜମିବା ଯୋଗୁଁ ଦୁର୍ଘଟଣା ଘଟୁଛି | ପୌର ପରିଷଦର ଏଭଳି ଖାମଖିଆଲି ନୀତି ଯୋଗୁଁ କେହି ଭୟ ବା ଡରୁ ନଥିବା ଦେଖିବାକୁ ମିଳିଛି
କଡ଼ା କାର୍ଯ୍ୟାନୁଷ୍ଠାନ ହେଲେ ହୁଏତ ଦୋକାନୀ ଏବଂ ବାଇକ୍ ଚାଳକମାନେ ଭୟ କରିବେ ବୋଲି କୁହାଯାଇଛି। ନାମକୁ ମାତ୍ର ପୌର ପରିଷଦ କର୍ମଚାରୀମାନେ ଭୟ ଦେଖାଇ ପୁଣି ସେମାନଙ୍କୁ ରାସ୍ତାକଡ଼ରେ ବସିବାକୁ ସୁଯୋଗ ଦେଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।








