ଜଗତସିଂହପୁର,ତା ୨୦.୦୪.୨୦୨୬/ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନରେ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଜିଲ୍ଲାସ୍ତରୀୟ କବି ଜୟଦେବଙ୍କ ଜୟନ୍ତୀ ସମାରୋହ ଉତ୍ସବ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଳା ସଂସ୍କୃତି ପରିଷଦ ଏବଂ ଜିଲ୍ଲା ପ୍ରଶାସନ ସମନ୍ଵୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କବି ଜୟଦେବଙ୍କ ଫଟୋଚିତ୍ରରେ ପୁଷ୍ପର୍ମାଲ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା। ସଭାରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଶ୍ରୀ ଜ୍ୟୋତି ଶଙ୍କର ରାୟ କହିଥିଲେ ଯେ ଜୟଦେବଙ୍କ ଐତିହ୍ୟ ଗୀତ ଗୋବିନ୍ଦ ରଚନା ସାରା ବିଶ୍ବରେ ପ୍ରସିଦ୍ଧ ଓ ଏହା ଜଗନ୍ନାଥ ସଂସ୍କୃତିର ମୁଖ୍ୟ ସ୍ତମ୍ଭ । ଓଡ଼ିଆ ସଂସ୍କୃତି ଓ ଆଧ୍ୟାତ୍ମିକ ଚେତନା ର ଅବିଚ୍ଛେଦ୍ୟ ଅଙ୍ଗ ହେଉଛନ୍ତି ଜୟଦେବ । ଏହି ସଭାରେ ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀ ମହେନ୍ଦ୍ର କୁମାର ଆଚାର୍ଯ୍ୟ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଜୟଦେବଙ୍କ କବିତ୍ୱର ଇତିହାସ ବିଷୟରେ ବ୍ୟାଖ୍ୟାୟନ ଏବଂ ଗୀତଗୋବିନ୍ଦ ମହତ୍ତ୍ଵ ବିଷୟରେ ଆଲୋକପାତ କରିବା ସହ ଆଗାମୀ ପିଢ଼ିକୁ ଗୀତଗୋବିନ୍ଦ ବିଷୟରେ ଜ୍ଞାନ ଆହରଣ କରିବାକୁ ଆହ୍ଵାନ କରିଥିଲେ । କବି ଶ୍ରୀ ଭଗଵାନ ଦାଶଙ୍କ ଗୀତଗୋବିନ୍ଦ ଗାନ ସହ ସଙ୍କୀର୍ତ୍ତନ ମଣ୍ଡଳୀର ମୃଦଙ୍ଗର ତାଳ ସୁମଧୁର ପରିବେଶ ସୃଷ୍ଟି କରିଥିଲା । ସମ୍ମାନନୀୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ସମ୍ବିତ କୁମାର ରାଉତ, ଜିଲ୍ଲା ପର୍ଯ୍ୟଟନ ବିକାଶ ଅଧିକାରୀ, ମୀରାବାଇ ବେହେରା ମଞ୍ଚାସୀନ ଥିଲେ ଏବଂ ସଭାରେ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ ଏବଂ ଆମନ୍ତ୍ରିତ ଅତିଥି ମାନେ ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତୀଚୀ ତନୟା ମହାନ୍ତି ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ, ଶ୍ରୀ ରାଜେଶ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
ଜିଲ୍ଲାସ୍ତରୀୟ କବି ଜୟଦେବ ଙ୍କ ଜୟନ୍ତୀ ୨୦୨୬ ପାଳିତ
- Hits: 24








