ଭୁବନେଶ୍ୱର 01/04 ଭାଷାଭିତ୍ତିକ ପ୍ରଥମ ରାଜ୍ୟ ଭାବରେ ଓଡିଶା ଗଠନ ହୋଇଥିଲା 1936 ମସିହାରେ ଯାହାକି ନବେ ବର୍ଷରେ ପଦାର୍ପଣ କରିଛି | ଏହି ଉପଲକ୍ଷେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଶତାକ୍ଷୀ ମହିଳା ସଙ୍ଗଠନ ଉତ୍କଳ ଦିବସ ମହାଆଡମ୍ବରରେ ପାଳନ କରିଛି | ମାତୃଭୂମି ତଥା ମାତୃଭାଷାର ସୁରକ୍ଷା ତଥା ମାଆର ଭାଷାରେ କିପରି ଶିଶୁଟି ଧି ଶକ୍ତି ପ୍ରାପ୍ତ ହୁଏ ଠିକ ସେମିତି ମାତୃଭାଷାରେ ସମୃଦ୍ଧ ହେଲେ କିଶୋର ଅବସ୍ଥାରେ ନିଜ ଭାଷାରେ ସମୃଦ୍ଧି ଲାଭକାରୀ ଗବେଷଣାତ୍ମକ କାର୍ଯ୍ୟରେ ନିଜର ବୁଦ୍ଧି ପ୍ରୟୋଗ କରିପାରେ | ଏପରିକି ଯଦି ମାତୃଭାଷା ପେଟ ପାଟଣା ଭାଷା ହୋଇପାରିଲା ତେବେ ସେ ଅନ୍ୟ ଭାଷାରୁ ଜ୍ଞାନ ଆହରଣ କରିଲେ ସୁଦ୍ଧା ନିଜ ମାତୃଭୂମି ମାତୃଭାଷାକୁ ଭୁଲିପାରିବ ନାହିଁ | ଆମର ପୂର୍ବଜମାନେ ଆମକୁ ଯେଉଁ ଭାଷାଭିତ୍ତିକ ଭୂଖଣ୍ଡ ଦେଇଛନ୍ତି ତାର ସୁରକ୍ଷା ଆମପାଇଁ ପ୍ରାଥମିକତା ବୋଲି ଭାଷା ଆନ୍ଦୋଳନର ଆବାହକ ତଥା ବରିଷ୍ଠ ସାମ୍ବାଦିକ ସ୍ତମ୍ଭକାର ପବିତ୍ର ମହାରଥା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମତବ୍ୟକ୍ତ କରିଥିଲେ |
ବିଶିଷ୍ଟ ଶିକ୍ଷାବିତ କବି ଲଷ୍ମୀନାରାୟଣ ଦାଶ ମୁଖ୍ୟ ବକ୍ତା ତଥା ଉଦଘାଟକ ଭାବରେ ଯୋଗଦେଇ ଉତ୍କଳଦିବସର ମହତ୍ୱ ଉପରେ ଆଲୋକପାତ କରିଥିଲେ | ଶତାକ୍ଷୀ ମହିଳା ସଙ୍ଗଠନର ସମସ୍ତ କାର୍ଯ୍ୟକ୍ରମ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ଅତିଥିଗଣ ଭୁୟସୀ ପ୍ରସଂଶା କରିଥିଲେ | ସଂଗଠନର ସମ୍ପାଦିକା ମମତା ବିଶ୍ୱାଳ ସ୍ୱାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ , ସଭାନେତ୍ରୀ ସ୍ନିଗ୍ଧ ମିଶ୍ର ସଂଗଠନର ସମସ୍ତ ସଦସ୍ୟା ବିଭିନ୍ନ କାର୍ଯ୍ୟକ୍ରମରେ ଭାଗନେଇ ଓଡ଼ିଆ ଭାଷା ସାହିତ୍ୟ ,ସଂସ୍କୃତି ର ବିକାଶରେ ନିଜକୁ ସାମିଲ କରିଥିବାରୁ ସମସ୍ତଙ୍କୁ ଉତ୍ସାହିତ କରିଥିଲେ | ସଂଗଠନର ତିରିଶ ଜଣ ସଦସ୍ୟା ସ୍ୱରଚିତ କବିତା ପାଠ କରିବା ସହିତ କାଳଜୟୀ ଦେଶାତ୍ମବୋଧକ କବିତାମାନ ପାଠ କରିଥିଲେ | ଉପସଭାନେତ୍ରୀ ସାମସ୍ତଙ୍କୁ ଧନ୍ୟବାଦ ଦେବାସହ ଓଡ଼ିଆ ଭାଷାର ଜୟଗାନ କରିଥିଲେ | କାର୍ଯ୍ୟକ୍ରମକୁ ବରିଷ୍ଠ ସଦସ୍ୟା ମୀରା ରଥ ସୁନ୍ଦର ଭାବରେ ପରିଚାଳନା କରିଥିଲେ |








