ହେଡଲାଇନସ୍:

ତାଳପଦର ଗ୍ରାମରେ କେଭିଏଲ ଭୁବନେଶ୍ୱର ପକ୍ଷରୁ ଭଲିବଲ ପ୍ରଶିକ୍ଷଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଯୁବମାନଙ୍କ ଉତ୍ସାହ, ଝିଅମାନଙ୍କ ପାଇଁ ନୂଆ ଦିଗ

ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ତାଳପଦର ଗ୍ରାମରେ ଆଜି ଏକ ପ୍ରେରଣାଦାୟକ ଦୃଶ୍ୟ ଦେଖିବାକୁ ମିଳିଛି। କେଭିଏଲ Kalinga volleyball development council odisha, ଭୁବନେଶ୍ୱର ପକ୍ଷରୁ ଦୁଇ ଦିନ ଧରି ଏକ ଭଲିବଲ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା। ଏହି ପ୍ରଶିକ୍ଷଣରେ ଗ୍ରାମାଞ୍ଚଳର ଯୁବକ ଓ ଯୁବତୀମାନେ ବହୁ ସଂଖ୍ୟାରେ ଯୋଗଦେଇ ନିଜର ଖେଳ ପ୍ରତି ଆଗ୍ରହ ଓ ଉତ୍ସାହ ପ୍ରଦର୍ଶନ କରିଥିଲେ।ପ୍ରଶିକ୍ଷଣ ଶିବିରରେ କେଭିଏଲର ପ୍ରଶିକ୍ଷକମାନେ ଯୁବମାନଙ୍କୁ ଭଲିବଲ ଖେଳର ମୂଳ ଟେକନିକ, ସର୍ଭିସ, ପାସିଂ, ବ୍ଲକିଂ, ଟିମ୍‌ୱର୍କ, ଫିଟନେସ ଓ ଶିଷ୍ଟାଚାର ସମ୍ପର୍କରେ ବିସ୍ତୃତ ଶିକ୍ଷା ଦେଇଥିଲେ। ସେମାନେ କହିଥିଲେ ଯେ ଖେଳ କେବଳ ମନୋରଞ୍ଜନ ନୁହେଁ, ବରଂ ଏକ ଭଲ ଭବିଷ୍ୟତ ଗଢ଼ିବାର ଶକ୍ତିଶାଳୀ ମାଧ୍ୟମ ଅଟେl ଶିକ୍ଷକ ଆଶୁତୋଷ ପାତ୍ର କହିଥିଲେ ଯେ, ଏପର୍ଯ୍ୟନ୍ତ ଓଡ଼ିଶାର ୧୩ଟି ଜିଲ୍ଲାରେ ଏହିପରି ଭଲିବଲ ପ୍ରଶିକ୍ଷଣ ଶିବିର ସଫଳତାର ସହିତ ଆୟୋଜନ କରାଯାଇସାରିଛି। ଏବେ ସେମାନଙ୍କର ଲକ୍ଷ୍ୟ ରହିଛି ରାଜ୍ୟର ସମସ୍ତ ଜିଲ୍ଲାକୁ ପହଞ୍ଚି ଗ୍ରାମାଞ୍ଚଳର ଯୁବପିଢ଼ୀଙ୍କୁ ପ୍ରଶିକ୍ଷଣ ଓ ସଠିକ ମାର୍ଗଦର୍ଶନ ଯୋଗାଇବା। ଏହା ମାଧ୍ୟମରେ ଲୁଚିଥିବା ପ୍ରତିଭାକୁ ଆଗକୁ ଆଣିବା ଓ ଯୁବମାନଙ୍କୁ ଖେଳ ପ୍ରତି ଆକୃଷ୍ଟ କରିବା ସେମାନଙ୍କର ପ୍ରମୁଖ ଉଦ୍ଦେଶ୍ୟ ବୋଲି ସେମାନେ କହିଥିଲେ।
ଏହି ପ୍ରଶିକ୍ଷଣ ଶିବିରର ସବୁଠାରୁ ବୈଶିଷ୍ଟ୍ୟମୟ ଦିଗ ହେଲା ଝିଅମାନଙ୍କ ସକ୍ରିୟ ଭାଗୀଦାରୀ। ଗ୍ରାମର ଅନେକ ଝିଅମାନେ ଉତ୍ସାହର ସହ ଏହି ପ୍ରଶିକ୍ଷଣରେ ଯୋଗଦେଇ ଭଲିବଲ ପ୍ରତି ନିଜ ଆଗ୍ରହ ପ୍ରକାଶ କରିଥିଲେ। ଶିକ୍ଷକ ସାହିଲ ଦ୍ଵିବେଦି କହିଥିଲେ ଯେ ଖେଳ ମାଧ୍ୟମରେ ଝିଅମାନେ ଆତ୍ମବିଶ୍ୱାସୀ ହେବା ସହ ସ୍ୱାସ୍ଥ୍ୟ ସଚେତନ ହେବେ ଏବଂ ସମାଜରେ ନିଜର ଅଲଗା ପରିଚୟ ଗଢ଼ିପାରିବେ।ଶିକ୍ଷୟିତ୍ରୀ ବିଆର ମୁଜୁନ୍ଦର କହିଥିଲେ ଯେ ଆଜିବି କିଛି ଗ୍ରାମାଞ୍ଚଳରେ କମ୍ ବୟସରେ ଝିଅମାନଙ୍କ ବିବାହ ହେଉଥିବା ଦେଖାଯାଉଛି, ଯାହା ତାଙ୍କର ଭବିଷ୍ୟତକୁ ପ୍ରଭାବିତ କରୁଛି। ଏହାକୁ ରୋକିବା ପାଇଁ ଖେଳ ଏକ ଶକ୍ତିଶାଳୀ ମାଧ୍ୟମ ହୋଇପାରେ।ଏହି ପ୍ରଶିକ୍ଷଣ ଶିବିର ଯୁବପିଢ଼ୀଙ୍କୁ ଖେଳ ପ୍ରତି ଆକର୍ଷିତ କରିବା ସହ ଏକ ସମାଜିକ ସନ୍ଦେଶ ମଧ୍ୟ ଦେଇଛି l ଗ୍ରାମବାସୀମାନେ ଏହି ପଦକ୍ଷେପକୁ ସ୍ୱାଗତ କରିଥିବା ବେଳେ ଏଭଳି କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଚାଲୁ ରହୁ ବୋଲି ଆଶା ପ୍ରକାଶ କରିଥିଲେ।ଶେଷରେ ପ୍ରଶିକ୍ଷକମାନେ ଯୁବମାନଙ୍କୁ ସନ୍ଦେଶ ଦେଇ କହିଥିଲେ ଯେ ନିୟମିତ ଅଭ୍ୟାସ, ଶ୍ରମ ଓ ନିଶ୍ଚୟ ଦ୍ୱାରା ସେମାନେ ରାଜ୍ୟ ଓ ଜାତୀୟ ସ୍ତରରେ ନିଜ ପରିଚୟ ସୃଷ୍ଟି କରିପାରିବେ।

0
0
0
s2sdefault