
ପାରାଦ୍ଵୀପ, ମାର୍ଚ୍ଚ ୧୩, ୨୦୨୬: ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ଦ୍ୱାରା ଜଗତସିଂହପୁର ଜିଲ୍ଲାର ପାରାଦ୍ଵୀପଗଡ଼ଠାରେ ମାର୍ଚ୍ଚ ୯ ରୁ ୧୨ ତାରିଖ ମଧ୍ୟରେ ଆୟୋଜିତ ‘ଉଡାନ୍’ ଆନ୍ତଃ ଗ୍ରାମୀଣ କ୍ରିକେଟ୍ ପ୍ରିମିୟର ଲିଗ୍ ର ତୃତୀୟ ସଂସ୍କରଣର ଏକ ସଂଘର୍ଷପୂର୍ଣ୍ଣ ଫାଇନାଲ ମୁକାବିଲାରେ ପାରାଦ୍ଵୀପଗଡ଼ ଦଳ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଛି । ଏହି ଟୁର୍ଣ୍ଣାମେଣ୍ଟରେ ନୂଆଗଡ଼, ବାଲିଡିଆ, ହାଣ୍ଡିଆ, ମୂଷାଡିଆ, ସିଙ୍ଗିତାଳି, ପାରାଦ୍ଵୀପଗଡ଼, ଚକ୍ରଧରପୁର, ଭୁତମୁଣ୍ଡାଇ, ପିପଳ, ଭୀମାନାସୀ, ବିଜୟଚାନ୍ଦପୁର ଓ ଫୁଲବେଲାରୀ ସମେତ ୧୨ଟି ଗ୍ରାମର ୧୨ଟି ଦଳ ଅଂଶଗ୍ରହଣ କରିଥିଲେ।
ସ୍ଥାନୀୟ ଯୁବବର୍ଗମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ ଏବଂ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ, ଏଏମ୍ / ଏନଏସ୍ ଇଣ୍ଡିଆ ସିଏସ୍ଆର୍ ପଦକ୍ଷେପ 'ଉଡାନ୍' ଅଧୀନରେ ଆୟୋଜିତ ଏହି ଦିବାରାତ୍ରି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟକୁ ଏଏମ୍ / ଏନ୍ଏସ୍ ଇଣ୍ଡିଆ ସିଏସ୍ଆର ମୁଖ୍ୟ ଡକ୍ଟର ବିକାଶ ଯାଦଭେନ୍ଦୁ, ପାରାଦ୍ଵୀପଗଡ଼ ସରପଞ୍ଚଙ୍କ ପ୍ରତିନିଧି ତଥା ବରିଷ୍ଠ ଓକିଲ ଶ୍ରୀ ସଞ୍ଜୟ ବେହେରା, ଏଏମ୍ / ଏନ୍ଏସ୍ ଇଣ୍ଡିଆର ଅନ୍ୟ ବରିଷ୍ଠ ଅଧିକାରୀ, ସମସ୍ତ ଦଳର ଖେଳାଳି ଏବଂ କର୍ମଚାରୀ ଏବଂ ସ୍ଥାନୀୟ କ୍ରୀଡା ପ୍ରେମୀଙ୍କ ଉପସ୍ଥିତିରେ ମିଳିତ ଭାବେ ଉଦଘାଟନ କରିଥିଲେ।
ଏହା ପୂର୍ବରୁ ଗତ ମାର୍ଚ୍ଚ ୧୧ରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ଭୁତମୁଣ୍ଡାଇ ନୂଆଗଡ଼କୁ ୪୩ ରନରେ ପରାସ୍ତ କରିଥିବାବେଳେ ପାରାଦ୍ଵୀପଗଡ଼ ୪୮ ରନରେ ବାଲିଡିଆକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା। ପାରାଦ୍ଵୀପଗଡ଼ ଗ୍ରାମ ଖେଳ ପଡ଼ିଆରେ ଆୟୋଜିତ ୧୦-୧୦ ଓଭର ବିଶିଷ୍ଟ ଫାଇନାଲ ମ୍ୟାଚରେ ପାରାଦ୍ଵୀପଗଡ଼ ଭୁତମୁଣ୍ଡାଇ ଦଳକୁ ୨୫ ରନ୍ ରେ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରି ପାରାଦ୍ଵୀପଗଡ଼ ଦଳ ନିର୍ଦ୍ଧାରିତ ୧୦ ଓଭରରେ ୬ ୱିକେଟ୍ ରେ ୧୧୧ ରନ୍ ସ୍କୋର କରିଥିବାବେଳେ ଭୁତମୁଣ୍ଡାଇ ଦଳ ୧୦ ଓଭରରେ ୪ ୱିକେଟ୍ ହରାଇ ୮୬ ରନ୍ ସଂଗ୍ରହ କରିଥିଲା।
ସମାପନ ସମାରୋହରେ ଏଏମ୍/ଏନ୍ଏସ୍ ଇଣ୍ଡିଆ ପାରାଦ୍ଵୀପ ପେଲେଟ ପ୍ଳାଣ୍ଟର ବରିଷ୍ଠ ଅଧିକାରୀ ଯଥା ଇଲେକ୍ଟ୍ରିକାଲ ବିଭାଗ ମୁଖ୍ୟ ଶ୍ରୀ କେଦାର ପଟ୍ଟନାୟକ, ମେକାନିକାଲ ବିଭାଗ ମୁଖ୍ୟ ଶ୍ରୀ ପାର୍ଥପ୍ରତିମ ଚାର୍ଟର୍ଜୀ, ପ୍ରଡକ୍ସନ୍ ବିଭାଗ ସେକ୍ସନ ହେଡ୍ ଶ୍ରୀ ଶିବା କ୍ରୀଷ୍ଣା ଜିଙ୍କ ସହିତ ଶ୍ରୀ ସଞ୍ଜୟ ବେହେରା ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ବିଜେତା ଦଳ ପାରାଦ୍ଵୀପଗଡ଼ କୁ ୨୫ ହଜାର ଟଙ୍କା ନଗଦ ପୁରସ୍କାର ଓ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ଉପବିଜେତା ଦଳକୁ ଟ୍ରଫି ସହ ୧୫ ହଜାର ଟଙ୍କା ନଗଦ ପୁରସ୍କାର ପ୍ରଦାନ କରାଯାଇଥିଲା। ପାରାଦ୍ଵୀପଗଡ଼ ଦଳର ରଣଜିତ ଦାସ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ବିବେଚିତ ହୋଇଥିବାବେଳେ ସେହି ଦଳର କୁମାର ବଣ୍ଟି ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ବୋଲର ପୁରସ୍କାର ହାସଲ କରିଥିଲେ।
ଏହି ଟୁର୍ଣ୍ଣାମେଣ୍ଟ କ୍ରିକେଟ ପ୍ରତିଭାଙ୍କୁ ଏକ ଉପଯୁକ୍ତ ମଞ୍ଚ ପ୍ରଦାନ କରିବା ସହିତ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କୁ ଏକଜୁଟ କରୁଛି, ଯାହା କ୍ରୀଡ଼ା ପଦକ୍ଷେପ ମାଧ୍ୟମରେ ଯୁବବର୍ଗଙ୍କ ଯୋଗଦାନକୁ ପ୍ରୋତ୍ସାହିତ କରିବା ପାଇଁ ଏଏମ୍/ଏନ୍ଏସ୍ ଇଣ୍ଡିଆର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।
ରାଜ୍ୟ
ଏଏମ୍ / ଏନ୍ଏସ୍ ଇଣ୍ଡିଆ ଦ୍ୱାରା ଆୟୋଜିତ ଉଡାନ୍ ଆନ୍ତଃ ଗ୍ରାମୀଣ କ୍ରିକେଟ୍ ପ୍ରିମିୟର ଲିଗ୍ ର ତୃତୀୟ ସଂସ୍କରଣରେ ପାରାଦ୍ଵୀପଗଡ଼ ଚାମ୍ପିଅନ୍
- Hits: 48








