ଭୁବନେଶ୍ୱର , ମାର୍ଚ୍ଚ 10: ସିଆରପିଏଫ ଦିବସ ଅବସରରେ ଗତ 9 ମାର୍ଚ୍ଚରେ ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ପକ୍ଷରୁ ସିଆରପିଏଫ କ୍ୟାମ୍ପସ୍ରେ ଏକ ରକ୍ତଦାନ ଶିବିର ସଫଳତାର ସହ ଆୟୋଜିତ ହୋଇଥିଲା।
ଏହି ଶିବିରକୁ ସିଆରପିଏଫ ର ଆଇଜି ଅମିତେନ୍ଦ୍ର ନାଥ ସିହ୍ନା ଉଦ୍ଘାଟନ କରିଥିଲେ। ଏହି ଅବସରରେ ରୋଟାରୀ ଜିଲ୍ଲା ଗଭର୍ନର ମନୋଜ ତ୍ରିପାଠୀ ଓ ରୋଟାରୀ କ୍ଲବ୍ର ସଦସ୍ୟମାନେ ଉପସ୍ଥିତ ଥିଲେ।
ଏହି ଶିବିରରେ ମୋଟ 150 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଏହା କେବଳ ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ନୁହେଁ, ବରଂ ସମାଜରେ ରକ୍ତଦାନର ଗୁରୁତ୍ୱ ଓ ସଚେତନତା ବୃଦ୍ଧି କରିବାର ଏକ ପ୍ରୟାସ ଥିଲା।
ଏହି ଅବସରରେ କ୍ଲବ୍ର କମ୍ୟୁନିଟି ସର୍ଭିସ ଡାଇରେକ୍ଟର ଡ଼ ଏମ ପି ରାଉତ ରକ୍ତଦାନର ଲାଭ ଓ ତାହାର ଆବଶ୍ୟକତା ବିଷୟରେ ବିସ୍ତାରିତ ଆଲୋଚନା କରିଥିଲେ ଏବଂ ଅଧିକ ଲୋକଙ୍କୁ ଏହି ମହତ୍ କାର୍ଯ୍ୟରେ ଆଗକୁ ଆସିବାକୁ ଆହ୍ୱାନ କରିଥିଲେ।
ରକ୍ତ ସଂଗ୍ରହ କାର୍ଯ୍ୟକ୍ରମଟି Capital Hospital Blood Bank ର ଚିକିତ୍ସକ ଓ ଟେକ୍ନିକାଲ୍ ଟିମ୍ର ସହଯୋଗରେ ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା।
ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱରର ସଭାପତି ସଞ୍ଜୟ ଚୌଧୁରୀ କହିଥିଲେ ଯେ, “ଏହି ରକ୍ତଦାନ ଶିବିର ଅତ୍ୟନ୍ତ ସଫଳ ହୋଇଛି। ସିଆରପିଏଫ କର୍ତ୍ତୃପକ୍ଷ, ଡାକ୍ତର ଦଳ, ରୋଟାରୀ ସଦସ୍ୟମାନେ ଓ ସମସ୍ତ ରକ୍ତଦାତାଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳ ହୋଇପାରିଛି।”
ଏପରି କାର୍ଯ୍ୟକ୍ରମ ମାଧ୍ୟମରେ ସମାଜରେ ରକ୍ତଦାନ ପ୍ରତି ସଚେତନତା ବଢ଼ିବା ସହିତ ଅନେକ ମୂଲ୍ୟବାନ ଜୀବନ ରକ୍ଷା ପାଇଁ ସହାୟତା ମିଳିବ ବୋଲି ଆୟୋଜକମାନେ କହିଛନ୍ତି।








