ହାତୀ ଦଳି ଚାଷୀ ମୃତ, ଅତାବିରା ଅଞ୍ଚଳରେ ଆତଙ୍କ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ଼:- ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଅନ୍ଧାରିପାଲି ଅଞ୍ଚଳରେ ସୋମବାର ଭୋର ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। କ୍ଷେତକୁ ଯାଇଥିବା ବେଳେ ଉକ୍ତ ଗ୍ରାମର ଚାଷୀ ବେଣୁଧର ଛୁରିଆଙ୍କୁ ଗୋଠଛଡା ଏକ ହାତୀ ଦଳି ଚକଟି ଦେଇଥିବା ଜଣାପଡ଼ିଛି। ଏହି ଘଟଣାରେ ଚାଷୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାରୁ ଅଞ୍ଚଳରେ ଶୋକର ଛାୟାଖେଳି ଯାଇଛି।ସୂଚନା ଅନୁସାରେ, ସୋମବାର ଭୋରେ ବେଣୁଧର ଛୁରିଆ ନିଜ କ୍ଷେତକୁ ଯାଉଥିବା ବେଳେ ହଠାତ୍‌ ଏକ ଗୋଠଛଡା ହାତୀ ସାମ୍ନାକୁ ଆସିଥିଲା। ହାତୀଟି ଆକ୍ରମଣ କରି ତାଙ୍କୁ ଦଳି ଦେବାରୁ ସେ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ପ୍ରାଣ ହାରାଇଥିଲେ। ଘଟଣା ଖବର ପାଇ ଅଞ୍ଚଳବାସୀ ଘଟଣାସ୍ଥଳରେ ଭିଡ଼ ଜମାଇଥିବା ବେଳେ ବନ ବିଭାଗ କର୍ମଚାରୀମାନେ ମଧ୍ୟ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ଏହି ଅଞ୍ଚଳରେ ପ୍ରଥମ ଥର ପାଇଁ ଏଭଳି ହାତୀ ଆକ୍ରମଣ ଘଟିଥିବା ଅଞ୍ଚଳବାସୀ କହିଛନ୍ତି। ହାତୀଟି ବର୍ତ୍ତମାନ ଜନବସତି ମୁହାଁ ହୋଇ ଘୁରୁଥିବାରୁ ଲୋକମାନଙ୍କ ମନରେ ଭୟର ପରିବେଶ ସୃଷ୍ଟି ହୋଇଛି। ହାତୀର ଗତିବିଧି ସମ୍ପର୍କରେ ବନ ବିଭାଗ ପୂର୍ବରୁ କାହିଁକି ସଚେତନ ହୋଇପାରିଲା ନାହିଁ ବୋଲି ମଧ୍ୟ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି।
ଏହି ପରିସ୍ଥିତିରେ ହାତୀଟିକୁ ଶୀଘ୍ର ଜଙ୍ଗଲକୁ ଘଉଡ଼ାଇବା ପାଇଁ ବନ ବିଭାଗ ତତ୍ପରତା ଦେଖାଇବା ଦରକାର ବୋଲି ଗ୍ରାମବାସୀ ଦାବୀ କରିଛନ୍ତି। ଅନ୍ୟପଟେ ହାତୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ଚାଷୀ ବେଣୁଧର ଛୁରିଆଙ୍କ ପରିବାରକୁ ସରକାର ତୁରନ୍ତ କ୍ଷତିପୂରଣ ଦେବାକୁ ସ୍ଥାନୀୟ ସରପଞ୍ଚଙ୍କ ସମେତ ଗ୍ରାମବାସୀ ଦାବୀ କରିଛନ୍ତି।

0
0
0
s2sdefault