-
• “ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ସହ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଢ଼ିବାରେ ସମସ୍ତେ ଅବଦାନ ରଖିନ୍ତୁ : ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ
-
• ସମାବେଶୀ, ସ୍ଥାୟୀ ଏବଂ ସଂସ୍ଥାଗତ ସୁଦୃଢ଼ୀକରଣକୁ ଗୁରୁତ୍ୱ
-
• ବିକାଶ ଜାତୀୟ ଚେତନା ଓ ପରିଚୟ ଉପରେ ଭିତ୍ତିକରି ଆଗେଇବା ଉଚିତ୍ :ଡା. ପ୍ରଫୁଲ୍ଲ କେଟକର
ଭୁବନେଶ୍ୱର ତା- ୨୭ .୦୨ .୨୦୨୬: ଓଡ଼ିଶା ସରକାରଙ୍କ ଯୋଜନା ଓ ସଂଯୋଜନ ବିଭାଗ ଏବଂ ଓଡ଼ିଶା ସେଣ୍ଟର ଫର ଇଣ୍ଟିଗ୍ରେଟେଡ୍ ଡେଭେଲପମେଣ୍ଟ(ଓସିଆଇଡି) ର ମିଳିତ ଆନୁକୂଲ୍ୟରେ ୨ ଦିନିଆ ‘ବିକାଶ ମନ୍ଥନ’ ୧.୦ ପରାମର୍ଶ ସମ୍ମିଳନୀ ଆଜିଠାରୁ ଲୋକସେବା ଭବନସ୍ଥିତ କନ୍ଭେନ୍ସନ ସେଣ୍ଟର ଠାରେ ଆରମ୍ଭ ହୋଇଛି । ମୁଖ୍ୟ ଶାସନ ସଚିବ, ଓଡ଼ିଶା ଶ୍ରୀମତୀ ଅନୁ ଗର୍ଗ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଞ୍ଜନ କୁମାର ସିଂ, ବିଶିଷ୍ଟ ବକ୍ତା ଭାବେ ‘ଅର୍ଗାନାଇଜର’ ପତ୍ରିକା ର ସମ୍ପାଦକ ଡଃ. ପ୍ରଫୁଲ୍ଲ କେଟକାର ଏବଂ ଓସିଆଇଡି ର କାର୍ଯ୍ୟକାରୀ ସଂପାଦକ ଶ୍ରୀ ରାଣା ପୃଥ୍ୱୀରାଜ ସିଂ ପ୍ରମୁଖ ଉଦଘାଟନୀ ଅଧିବେଶନରେ ଯୋଗ ଦେଇ ବିକଶିତ ଓଡ଼ିଶା ୨୦୩୬ ଏବଂ ବିକଶିତ ଭାରତ ୨୦୪୭ ଗଠନ ପରିପ୍ରେକ୍ଷୀରେ ନିଜ ନିଜର ଦୂରଦୃଷ୍ଟିସମ୍ପନ୍ନ ଆଭିମୁଖ୍ୟ ଉପସ୍ଥାପନ କରିଥିଲେ l କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ବୁଦ୍ଧିଜୀବୀ, ନାଗରିକ ସମାଜ, ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଜନସାଧାରଣ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଗବେଷକ, ଶିକ୍ଷାବିତ୍ ଏବଂ ଓଡ଼ିଶା ବାହାରୁ ଅତିଥିମାନେ ଯୋଗଦେଇଛନ୍ତି ।
ସମ୍ମିଳନୀରେ ଯୋଗଦେଇ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ବିକଶିତ ଓଡ଼ିଶା ୨୦୩୬ ଏବଂ ବିକଶିତ ଭାରତ ୨୦୪୭ ପାଇଁ ଲକ୍ଷ୍ୟଭିତ୍ତିକ ବିକାଶ ସଂପର୍କରେ ଏକ ସାରଗର୍ଭକ ବକ୍ତବ୍ୟ ଉପସ୍ଥାପନ କରି ସ୍ୱପ୍ନର ଓଡ଼ିଶା ଏବଂ ସ୍ୱପ୍ନର ଭାରତ ଗଠନ ପାଇଁ ଜନସାରଣଙ୍କର ସହଭାଗିତା ଲୋଡ଼ିଛନ୍ତି । ସେ କହିଥିଲେ ଯେ, ୩.୨ ଲକ୍ଷ ଲୋକଙ୍କ ମତାମତ ଓ ପ୍ରସ୍ତାବକୁ ନେଇ ଭିଜନ ଡକ୍ୟୁମେଣ୍ଚ ପ୍ରସ୍ତୁତ କରାଯାଇଛି । ବିକଶିତ ଓଡ଼ିଶା ଓ ବିକଶିତ ଭାରତ ପାଇଁ ଦୀର୍ଘକାଳୀନ ରୋଡମ୍ୟାପକୁ ବାସ୍ତବତାରେ ପରିଣତ କରିବା ପାଇଁ ସମସ୍ତଙ୍କର ସ୍ୱପ୍ନ ରହିଛି । ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ଆମର ଲକ୍ଷ୍ୟ ଆଖିଦୃଶିଆ ପରିବର୍ତ୍ତନ ପାଇଁ ଆକାଂକ୍ଷୀ ହେବା ଆବଶ୍ୟକ । ଏଥିପାଇଁ ଆମର ପରମ୍ପରାକୁ ଦୃଷ୍ଟିଦେଇ ବାସ୍ତବ ବିକାଶ ପ୍ରତି ଧ୍ୟାନ ଦେବାକୁ ହେବ । ରହୁଥିବା ବିଭିନ୍ନ ଆହ୍ୱାନକୁ ମୁକାବିଲା କରି ବିକାଶ ପଥରେ କାର୍ଯ୍ୟ କରିବାକୁ ସେ କହିଥିଲେ । ବିଭିନ୍ନ ଯୋଜନାର ସୁଫଳ ପାଉଥିବା ଜନସାଧାରଣଙ୍କୁ କେବଳ ହିତାଧିକାରୀ ନ ହୋଇ ସମସ୍ତେ ବିକାଶରେ ଅଂଶୀଦାରୀ ହେବାକୁ ସେ ଆହ୍ୱାନ ଦେଇଛନ୍ତି ।
ମୁଖ୍ୟ ଶାସନ ସଚିବ ଆହୁରି ମଧ୍ୟ କହିଥିଲେ ଯେ, ବିକଶିତ ଓଡ଼ିଶା ୨୦୩୬ ଏବଂ ବିକଶିତ ଭାରତ ୨୦୪୭ ଲକ୍ଷ୍ୟ ହାସଲ ପାଇଁ ଆମକୁ ମଧ୍ୟବର୍ତ୍ତୀକାଳୀନ ଲକ୍ଷ୍ୟ ହାସଲକୁ ଗୁରୁତ୍ୱ ଦେବାକୁ ହେବ । ଉନ୍ନୟନ, ସ୍ଥାୟୀ ତଥା ନିରନ୍ତରତା ଭିତ୍ତିରେ ବିକାଶ ଓ ଜଳବାୟୁ ପରିବର୍ତ୍ତନକୁ ଧ୍ୟାନ ଦେଇ କାର୍ଯ୍ୟ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ସମସ୍ତଙ୍କୁ ମାନସିକ ଦୃଢତା ସହିତ ଆନ୍ତରିକ ପ୍ରୟାସ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ଆମକୁ ୨୦୩୬ ରେ ବିକଶିତ ଓଡ଼ିଶା ଦେଖିବାକୁ ଗଲେ ଆଗାମୀ ଦଶ ବର୍ଷ ମଧ୍ୟରେ କଣ କଣ କଲେ ସ୍ୱପ୍ନର ଓଡ଼ିଶା ଗଠନ କରିପାରିବା, ସେଥିପ୍ରତି ସେ ଗୁରୁତ୍ୱ ଦେଇଥିଲେ । ସେ କହିଥିଲେ ଯେ, ଯେ ଏବେ ବଜେଟରେ ଆମେ ୩.୧୦ ଲକ୍ଷ କୋଟି ବ୍ୟବସ୍ଥା କରିଥିବା ବେଳେ ଏଥିରେ ବିଭିନ୍ନ କାର୍ଯ୍ୟକ୍ରମ ବାବଦକୁ ୫୮ ପ୍ରତିଶତ ରହିଛି ଏବଂ ଭିତ୍ତିଭୂମି ବିକାଶକୁ ୨୩.୨ ପ୍ରତିଶତ ରହିଛି । ଆମର ଆର୍ଥିକ ସ୍ଥିତି ସୁଦୃଢ ରହିଛି । ୧୫ ରୁ ୬୪ ବର୍ଷ ବୟସ ମଧ୍ୟରେ କାର୍ଯ୍ୟକ୍ଷମ ଯୁବଶକ୍ତି ଓ ବ୍ୟକ୍ତିଙ୍କ ହାର ପ୍ରାୟ ୭୦ ପ୍ରତିଶତ ରହିଛି, ସେମାନେ ଆମର ସମ୍ୱଳ । ଭୌଗୋଳିକ ଦୃଷ୍ଚିକୋଣରୁ ଦେଖିଲେ ଆମର ବ୍ୟାପକ ଖଣିଜ ସମ୍ପଦ, ଜଳ ସଂପଦ, ସାମୁଦ୍ରିକ ବେଳାଭୂମି , ଜଙ୍ଗଲ ସମ୍ପଦ ଆଦି ରହିଛି ଏବଂ ଶିଳ୍ପ ବିକାଶ ପାଇଁ ଆମର ସ୍ୱତନ୍ତ୍ର ନୀତି ରହିଛି । ୨୦୩୬ ସୁଦ୍ଧା ଓଡ଼ିଶାର ୫୦୦ ବିଲିୟନ ଡଲାର ( ୧୫ ଲକ୍ଷ କୋଟି ) ଏବଂ ୨୦୪୭ ସୁଦ୍ଧା ଆର୍ଥିକ ଅଭିବୃଦ୍ଧି ୧.୫ ଟ୍ରିଲିୟନ ଡଲାର( ୧୫୦ ଲକ୍ଷ କୋଟି) ଆର୍ଥିକ ଅଭିବୃଦ୍ଧି ଲକ୍ଷ୍ୟ ହାସଲ କରିବାକୁ ଅଛି ।
ସେହି ଅନୁସାରେ ବିକାଶକୁ ତ୍ୱରାନ୍ୱିତ କରି ଆମକୁ ମୁଣ୍ଡପିଛା ଆୟ ବୃଦ୍ଧି କରିବା, ବ୍ୟବସାୟିକ କ୍ଷେତ୍ରରେ ଅଭିବୃଦ୍ଧି ହାସଲ କରିବାର ଅଛି । ନିରନ୍ତରତାଭିତ୍ତିରେ ସହରୀକରଣ, ବନ୍ଦରଭିତ୍ତିକ ବିକାଶ, ବିମାନବନ୍ଦର ସଂଖ୍ୟା ବଢାଇବା ଆଦି କ୍ଷେତ୍ରର ଗୁରୁତ୍ୱ ରହିଥିବା ମୁଖ୍ୟ ଶାସନ ସଚିବ ପ୍ରକାଶ କରିଥିଲେ । ୨୦୩୬ ପାଇଁ ୩୬ ଲକ୍ଷ୍ୟ ରହିଥିବା ସମ୍ପର୍କରେ ସେ ଗୁରୁତ୍ୱାରୋପ କରି ସମାବେଶୀ ବିକାଶ, ତୃଣମୂଳସ୍ତରରେ ସମସ୍ତ ସୁବିଧା ସୁଯୋଗ ପାଇଁ ଆଂଚଳିକ ବିକାଶରେ ତାରତମ୍ୟ ଦୂରକରିବା , ମହିଳା ଶ୍ରମ ଶକ୍ତିର ଅଧିକ ଅଂଶଗ୍ରହଣ ସହ ଆର୍ଥିକ ବିକାଶ, କୃଷକଙ୍କ ବିକାଶ, ମତ୍ସ୍ୟ ଓ ପ୍ରାଣୀପାଳନ, ଖାଦ୍ୟ ନିରାପତ୍ତା, ପ୍ରଯୁକ୍ତିଭିତ୍ତିକ ବ୍ୟାପକ ନିଯୁକ୍ତି ସୃଷ୍ଟି, ଦକ୍ଷତା ବିକାଶ ଓ ଭିତ୍ତିଭୂମି ବିକାଶ, ସଡ଼କ, ସେତୁ, ଜଳବାୟୁ ସହନଶୀଳ ଭିତ୍ତିଭୂମି ସୃଷ୍ଟି ଏବଂ ଗୋଷ୍ଠୀ ସହଭାଗିତାରେ ବିପର୍ଯ୍ୟୟ ପରିଚାଳନାକୁ ସେ ଗୁରୁତ୍ୱ ଦେଇଥିଲେ । ଜୀବନଧାରଣ ମାନରେ ଉନ୍ନତି, ସ୍ୱାସ୍ଥ୍ୟ ସୁବିଧା ସହ ଦେଶ ବିଦେଶର ପର୍ଯ୍ୟଟକମାନଙ୍କ ପାଇଁ ଓଡ଼ିଶାକୁ ଦେଶର ପ୍ରଥମ ପସନ୍ଦର ଗନ୍ତବ୍ୟସ୍ଥଳ ଭାବେ ଉପସ୍ଥାପିତ କରି “ଥିଙ୍କ ଇଣ୍ଡିଆ–ଥିଙ୍କ ଓଡ଼ିଶା” ଚିନ୍ତାଧାରା ଲକ୍ଷ୍ୟ ରଖି ଆଗକୁ ବଢିବାକୁ ସେ ଆହ୍ୱାନ ଦେଇଥିଲେ ।
ସମ୍ମିଳନୀରେ ସ୍ୱାଗତ ଅଭିଭାଷଣ ପ୍ରଦାନ କରି ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂ ‘ବିକାଶ ମନ୍ଥନ ୧ .୦’ କୁ ଏକ “ଜ୍ଞାନ ଯଜ୍ଞ” ଭାବେ ବର୍ଣ୍ଣନା କରିଥିଲେ । ଏହା ଚିନ୍ତାନାୟକ, ନୀତି-ନିର୍ମାତା, କାର୍ଯ୍ୟାନ୍ୱୟନକାରୀ ଏବଂ ଜ୍ଞାନୀମାନଙ୍କର ଏକ ସମ୍ମେଳନ, ଯେଉଁମାନେ ଓଡ଼ିଶାର ପ୍ରଗତି ପାଇଁ ପରିବର୍ତ୍ତନଶୀଳ ଧାରଣାକୁ ବାସ୍ତବତାରେ ଗଢ଼ିବାକୁ ପ୍ରତିବଦ୍ଧ । ଭାରତର ସଭ୍ୟତାମୂଳକ ମୂଲ୍ୟବୋଧ ଏବଂ ଏହାର ସାଂସ୍କୃତିକ ଐତିହ୍ୟ ଉପରେ ଆଲୋକପାତ କରି ସେ କହିଥିଲେ ଯେ ଏପରି ସାମୂହିକ ଆଲୋଚନାରୁ ନୀତିଗତ ଅମୃତ ମନ୍ଥନ ହୋଇ ରାଜ୍ୟର ବିକାଶ ଯାତ୍ରାକୁ ଦିଗଦର୍ଶନ ଦେବ । ବିକଶିତ ଓଡିଶା ୨୦୩୬ ଏବଂ ବିକଶିକ ଭାରତ ୨୦୪୭ ଲକ୍ଷ୍ୟ ପୂରଣ ନେଇ ସମସ୍ତଙ୍କର ସାମଗ୍ରିକ ପ୍ରୟାସ ଅପରିହାର୍ଯ୍ୟ ବୋଲି ସେ ପ୍ରକାଶ କରିଥିଲେ କରିଥିଲେ ।
ବିଶିଷ୍ଟ ବକ୍ତା ଦି ଅର୍ଗାନାଇଜର ପତ୍ରିକାର ସମ୍ପାଦକ ଡା. କେଟକର ଯୋଗଦେଇ ଭାରତର ସଭ୍ୟତାମୂଳକ ମୂଲ୍ୟବୋଧ ଓ ଭାରତୀୟ ଜ୍ଞାନ ପରମ୍ପରା ଉପରେ ବିକାଶ ଆଧାରିତ ହେବାର ଆବଶ୍ୟକତା ସଂପର୍କରେ କହିଥିଲେ । ସେ କହିଥିଲେ ଯେ, ଭାରତ ଗୋଟିଏ “ଆଧ୍ୟାତ୍ମିକ ଲୋକତନ୍ତ୍ର” ଏବଂ ବିକାଶ କେବଳ ଆର୍ଥିକ ନୁହେଁ, ବରଂ ମାନସିକ, ମନୋ-ବୈଜ୍ଞାନିକ, ଶାରୀରିକ ଓ ଆଧ୍ୟାତ୍ମିକ ସ୍ତରରେ ହେବା ଉଚିତ୍ । ସମଗ୍ର ନୀତି ଓ ଶାସନ ପାଇଁ ଏକ ସମନ୍ୱିତ ମାନବବାଦ ଦର୍ଶନକୁ ସମର୍ଥନ କରି, ସେ ବିଶ୍ୱ ପାଇଁ ଭାରତର ସ୍ୱଭାବତଃ ସମନ୍ୱିତ ଦୃଷ୍ଟିକୋଣ ସଂପର୍କରେ ଆଲୋକପାତ କରିଥିଲେ । ନୀତି ନିର୍ଦ୍ଧାରଣରେ ପରିବାରକୁ ମୂଳ ଏକକ ଭାବେ ଗୁରୁତ୍ୱ ଦେଇ, ଓଡ଼ିଶାର ବିକାଶ ମଡେଲ୍ ତାହାର ସାଂସ୍କୃତିକ ପରିଚୟ ଓ ଓଡ଼ିଆ ଅସ୍ମିତାରୁ ଶକ୍ତି ଗ୍ରହଣ କରିବା ସଂପର୍କରେ ସେ ଉଲ୍ଲେଖ କରିଥିଲେ । ଡା. କେଟକର ଆହୁରି ମଧ୍ୟ କହିଥିଲେ ଯେ, ସ୍ୱୟଂ-ପରିଭାଷିତ, ସାଂସ୍କୃତିକ ଭିତ୍ତିରେ ଗଢ଼ା ବିକାଶ ପଥ ହିଁ ବିକଶିତ ଓଡ଼ିଶାର ସ୍ୱପ୍ନକୁ ସାର୍ଥକ କରି ବିକଶିତ ଭାରତ ଗଢ଼ିବାରେ ଅର୍ଥପୂର୍ଣ୍ଣ ଅବଦାନ ରଖିପାରିବ ।
ଏହି ଅବସରରେ ଯୋଜନା ଓ ସମନ୍ୱୟ ବିଭାଗ ପକ୍ଷରୁ “ଭିଜନ୍ ଡକ୍ୟୁମେଣ୍ଟ ୨୦୩୬ ଓ ୨୦୪୭ ” ଉପରେ ଏକ ଭିଡିଓ ପ୍ରଦର୍ଶନ କରାଯାଇଥିଲା, ଯେଉଁଥିରେ ଭିଜନ୍ ଡକ୍ୟୁମେଣ୍ଟର ରଣନୀତିମୂଳକ ଦିଗ ନିର୍ଦ୍ଦେଶ ଓ ବିଷୟଭିତ୍ତିକ ପ୍ରାଥମିକତାଗୁଡ଼ିକୁ ଉପସ୍ଥାପନ କରାଯାଇଥିଲା ।
ଉଦଘାଟନୀ ଅଧିବେଶନ ଶେଷରେ ଓସିଆଇଡିର ସଂଗଠନ ସଚିବ ତଥା ଜ୍ଞାନ ଓ ଗବେଷଣା ସହଭାଗୀ ଶ୍ରୀ ରାଣା ପୃଥ୍ୱୀରାଜ ସିଂହ, ସମ୍ମିଳନୀରେ ଯୋଗ ଦେଇଥିବା ସମସ୍ତ ଅତିଥି, ଅଂଶଗ୍ରହଣକାରୀ ଏବଂ ସହଯୋଗୀ ସଂସ୍ଥାମାନଙ୍କର ମୂଲ୍ୟବାନ ଯୋଗଦାନ ପ୍ରତ କୃତଜ୍ଞତା ପ୍ରକାଶ କରିଥିଲେ ।
ବିକାଶ ମନ୍ଥନ ୧.୦ ଏକ ସଂସ୍ଥାଗତ ବାର୍ଷିକ ମଞ୍ଚର ଆରମ୍ଭ, ଯାହାର ଲକ୍ଷ୍ୟ ହେଉଛି ତଥ୍ୟର ସମୀକ୍ଷା, ସହଯୋଗୀ ଶାସନକୁ ପ୍ରୋତ୍ସାହିତ କରିବା, ଜାତୀୟ ପ୍ରାଥମିକତା ସହ ସମସ୍ତଙ୍କ ସମନ୍ୱୟରେ ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ସମାବେଶୀ, ସହନଶୀଳ ଓ ଅଭିନବତ୍ୱର ସହ ସମୃଦ୍ଧ କରିବା ସହିତ ବିକଶିତ ଭାରତ ୨୦୪୭ ପାଇଁ ଅବଦାନ ରଖିବା ।








