ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ପ୍ରଶାସନ ଗଜପତି ପକ୍ଷରୁ ରାଜ୍ୟର ପ୍ରମୁଖ ପ୍ରାରମ୍ଭିକ ଶିକ୍ଷା ପଦକ୍ଷେପ ‘ଆମେ ପଢିବୁ ଆମ ଭାଷାରେ’ କାର୍ଯ୍ୟକ୍ରମକୁ ଆଜି ( ମଙ୍ଗଳ ବାର) ଜିଲ୍ଲା ସ୍ତରରେ ଶୁଭାରମ୍ଭ କରାଯାଇଛି।
ଏହି ପଦକ୍ଷେପ ମାଧ୍ୟମରେ ମାତୃଭାଷା ଆଧାରିତ ଶିକ୍ଷାକୁ ଶକ୍ତିଶାଳୀ କରିବା ଓ ଜନଜାତୀୟ ଶିଶୁମାନଙ୍କ ପ୍ରାରମ୍ଭିକ ଶିକ୍ଷାରେ ସମାନ ସୁଯୋଗ ନିଶ୍ଚିତ କରିବାକୁ ଉଦ୍ଦିଷ୍ଟ। ଗଜପତି ଜିଲ୍ଲାରେ ଏହି କାର୍ଯ୍ୟକ୍ରମକୁ ପିରାମଲ ଫାଉଣ୍ଡସନ ସହଯୋଗ କରୁଛି।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ପ୍ରକୋଷ୍ଠରେ ଆୟୋଜିତ ଏକଦିନିଆ କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନୀ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମନୋରମା ଦେବୀ , ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସୋଲମନ ରାଇକା , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଏସ୍. ଗିରିଧର , ଉପଖଣ୍ଡ ପ୍ରୋଗ୍ରାମ ଅଧିକାରୀ ଶ୍ରୀମତୀ ସ୍ନିଗ୍ଧାରାଣୀ ଭୂୟାଁ , ପେଡାଗୋଜି କୋଡିନେଟର ଶ୍ରୀ ସନ୍ତୋଷ କୁମାର ଆଚାର୍ଯ୍ୟ ଓ , ପିରାମଲ ଫାଉଣ୍ଡେସନର ପ୍ରୋଗ୍ରାମ ମ୍ୟାନେଜର ଶ୍ରୀ ଦେବବ୍ରତ ଆଚାର୍ଯ୍ୟ ପ୍ରମୁଖ ମଞ୍ଚାସିନ ରହି "ଆମେ ପଢିବୁ ଆମ ଭାଷାରେ" ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଜିଲ୍ଲା ପ୍ରଶାସନ , ମହିଳା ଓ ଶିଶୁ ବିକାଶ ବିଭାଗ , ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ , ଅଙ୍ଗନୱାଡି କର୍ମୀ ଓ ପଞ୍ଚାୟତିରାଜ ବିଭାଗର ସହଯୋଗୀମାନେ ଅଂଶଗ୍ରହଣ କରି କାର୍ଯ୍ୟ ଖସଡା ତିଆରି କରିଥିଲେ।
ଉକ୍ତ କର୍ମଶାଳାରେ ଜିଲ୍ଲାର ଛୋଟ ପିଲାମାନଙ୍କୁ ସେମାନଙ୍କ ମାତୃଭାଷାରେ କଥୋପକଥନ , ଶିକ୍ଷାଦାନ , "ସୌରା "ଭାଷାର ପ୍ରାରମ୍ଭିକ ଶିକ୍ଷା ପାଠ୍ୟକ୍ରମକୁ ପିଲାଙ୍କ ସାମାଜିକ ଓ ସାଂସ୍କୃତିକ ପରିବେଶ ଅନୁଯାୟୀ ପୁନଃରୂପାୟନ , ଅଙ୍ଗନବାଡି କର୍ମୀଙ୍କ ଏହି ଶିକ୍ଷାଦାନ ଉପରେ ତାଲିମ ଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ନିଜ ଭାଷାରେ ଶିଶୁମାନେ ଖେଳ , କାହାଣୀ , ଗୀତ ଓ କଥୋପକଥନ ମାଧ୍ୟମରେ ଶିକ୍ଷା ର ପ୍ରଥମ ସୋପାନ ରେ ଅନ୍ତର୍ଭୁକ୍ତ ହେବେ ! ଏହି ଅବସରରେ ପାଇଲଟ୍ ପଦକ୍ଷେପ ସ୍ୱରୂପ ଗଜପତି ଜିଲ୍ଲାର ରାୟଗଡ଼ ଓ ଗୁମ୍ମା ବ୍ଲକ ୩୦ ଟି ଅଙ୍ଗନବାଡି କେନ୍ଦ୍ର ରେ ସୌରା ଭାଷାରେ ୩ ରୁ ୬ ବର୍ଷ ବୟସ ଶିଶୁମାନଙ୍କୁ ମାତୃଭାଷା ଆଧାରିତ ପ୍ରାକ୍ ଶିକ୍ଷା ପ୍ରଦାନ କରାଯିବ।
ମାତୃଭାଷା ଆଧାରିତ ଶିକ୍ଷାର ଆବଶ୍ୟକତା ଶିଶୁମାନେ ଘରେ ଯେଉଁ ଭାଷା କହନ୍ତି , ସେଇ ଭାଷାରେ ପାଠ ପଢିଲେ ସେମାନେ ସହଜରେ ପିଲାମାନେ ବିଷୟବସ୍ତୁକୁ ବୁଝିପାରନ୍ତି। ଭାଷା କେବଳ ସଂଯୋଗର ମାଧ୍ୟମ ନୁହେଁ, ଏହା ଆତ୍ମପରିଚୟ ଓ ଆତ୍ମବିଶ୍ୱାସର ଆଧାର। ମାତୃଭାଷା ଆଧାରିତ ଶିକ୍ଷା କେବଳ ଅନୁବାଦ ନୁହେଁ , ବରଂ ଶିକ୍ଷା ପ୍ରକ୍ରିୟାକୁ ଶିଶୁଙ୍କ ସଂସ୍କୃତି ଓ ଭାଷା ସହ ଅନୁକୂଳ କରିବା। ସ୍ଥାନୀୟ କାହାଣୀ , ଲୋକଗୀତ ଓ ଖେଳାଧାରିତ ଶିକ୍ଷାକୁ ଅନୁସୂଚିତ କରିବାରେ ଅଙ୍ଗନୱାଡି କର୍ମୀମାନଙ୍କୁ ନିରନ୍ତର ମାର୍ଗଦର୍ଶନ ଆବଶ୍ୟକ।
ଉକ୍ତ କର୍ମଶାଳାରେ ସିଡିପିଓ ରାୟଗଡା ଶ୍ରୀମତୀ ବି କୋମଲାଙ୍ଗୀ ସମେତ ସମସ୍ତ ବ୍ଲକର ସିଡିପିଓ , ଗଙ୍ଗାବାଡ଼ ସରପଞ୍ଚ ଶ୍ରୀ ହରିବନ୍ଧୁ ଖାର୍ଜୀ ଉପସ୍ଥିତ ଥିବା ବେଳେ ପ୍ରୋଗ୍ରାମ ଅଫିସର ଆଇସିଡିଏସ୍ କେ.ସୁନୀତା ଧନ୍ୟବାଦ ଅର୍ପଣ କରିଥିଲେ।
ରାଜ୍ୟ
‘ଆମେ ପଢିବୁ ଆମ ଭାଷାରେ’ 'ସୌରା' ଭାଷାରେ ଅଙ୍ଗନୱାଡ଼ିରେ ଶିଶୁମାନଙ୍କୁ ପ୍ରାରମ୍ଭିକ ଶିକ୍ଷା ପ୍ରଦାନ ପାଇଁ ଏକଦିବସୀୟ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ
- Hits: 22








