ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଗଣ୍ୟ ଶିକ୍ଷାନୁଷ୍ଠାନ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍)ର ଉଭୟ ପୁରୁଷ ଓ ମହିଳା ଏକକଙ୍କ ସମ୍ମିଳିତ ଉଦ୍ୟମରେ ପୋଷ୍ୟଗ୍ରାମ କେରାଣ୍ଡିରେ ଆୟୋଜିତ ସପ୍ତାହବ୍ୟାପୀ ଶୀତକାଳୀନ ସ୍ୱତନ୍ତ୍ର ଶିବିର ଆଜି ଗ୍ରାମର ମହାଦେବ ମନ୍ଦିର ପରିସରରେ ଭାବଗମ୍ଭୀର ପରିବେଶରେ ଉଦଯାପିତ ହୋଇଯାଇଛି।
ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରାଧାକାନ୍ତ ଭୂୟାଁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉଦଯାପନୀ ଉତ୍ସବରେ କେରାଣ୍ଡି ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀ ଦଣ୍ଡପାଣି ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱେଚ୍ଛାସେବୀମାନଙ୍କ ସେବାମୂଳକ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ସହକାରୀ ପ୍ରଫେସର ଡ. ସୁମନ୍ତ କୁମାର ବେହେରା ଉପସ୍ଥିତ ରହି ଯୁବ ସମାଜକୁ ସାମାଜିକ ଦାୟିତ୍ୱବୋଧ ସହ କାମ କରିବାକୁ ପ୍ରେରିତ କରିଥିଲେ।
କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ବିଦ୍ୟାଧର ସେଠୀ ଶିବିରର ସାରାଂଶ ପ୍ରତିବେଦନ ପ୍ରସ୍ତୁତ କରି କହିଥିଲେ ଯେ, ଫେବୃଆରୀ ୧୬ ତାରିଖରୁ ଆରମ୍ଭ ହୋଇଥିବା ଏହି ଶିବିରରେ ସ୍ୱେଚ୍ଛାସେବୀମାନେ ପୋଷ୍ୟଗ୍ରାମର ଅର୍ଥନୈତିକ , ଶୈକ୍ଷିକ ଓ ଜୀବନଜୀବିକା ସମ୍ପର୍କିତ ବିଭିନ୍ନ ପରିସ୍ଥିତିର ସର୍ବେକ୍ଷଣ କରିଥିଲେ। ସେଥିପାଇଁ ସ୍ୱଚ୍ଛତା , ସ୍ୱାସ୍ଥ୍ୟ ସଚେତନତା , ଭୋଟର ସଚେତନତା , ନିଶା ନିବାରଣ , ମହିଳା ସଶକ୍ତିକରଣ ଓ ଶିକ୍ଷାର ପ୍ରାସଙ୍ଗିକତା ଓ ସମାଜିକ ସମନ୍ୱୟ ବିଷୟରେ ଜାଗୃତ ଅଭିଯାନ ମଧ୍ୟ ଆୟୋଜନ କରାଯାଇଥିଲା।
ଶିବିର ଅବଧିରେ ଯୁବ ସ୍ୱେଚ୍ଛାସେବୀମାନଙ୍କ ନିଷ୍ଠା , ଶୃଙ୍ଖଳା ଓ ସେବାମନୋଭାବ ଗ୍ରାମବାସୀଙ୍କ ମନକୁ ଗଭୀର ଭାବେ ସ୍ପର୍ଶ କରିଥିଲା। ଗ୍ରାମବାସୀମାନେ ଏହି ପ୍ରୟାସକୁ ଭୂରିଭୂରି ପ୍ରଶଂସା କରି ଭବିଷ୍ୟତରେ ମଧ୍ୟ ଏପରି ସାମାଜିକ ମୂଲ୍ୟବୋଧମୂଳକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଆଶା ବ୍ୟକ୍ତ କରିଥିଲେ।
ସମାଜ ସେବାର ମାଧ୍ୟମରେ ଶିକ୍ଷାର ସାର୍ଥକତା ପ୍ରତିପାଦନ କରିଥିବା ଏହି ଶୀତକାଳୀନ ସ୍ୱତନ୍ତ୍ର ଶିବିର ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ଏକ ସ୍ମରଣୀୟ ଅଧ୍ୟାୟ ଭାବେ ଅଙ୍କିତ।
ରାଜ୍ୟ
ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ସପ୍ତାହବ୍ୟାପୀ ଶୀତକାଳୀନ ସ୍ୱତନ୍ତ୍ର ଶିବିର ଉଦଯାପିତ
- Hits: 13








