ହେଡଲାଇନସ୍:

ନାଟ୍ୟକାର ଆପନ୍ନା ପରିଚ୍ଛାଙ୍କ ୧୪୮ତମ ରାଜ୍ୟ ସ୍ତରୀୟ ଜୟନ୍ତ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ସାହିତ୍ୟ ଏକାଡେମୀ , ଭୁବନେଶ୍ୱର ଏବଂ ଆପନ୍ନା ପରିଚ୍ଛା ସ୍ମୃତି ସଂସଦର ମିଳିତ ଆନୁକୂଲ୍ୟରେ ନାଟ୍ୟକାର ଆପନ୍ନା ପରିଚ୍ଛାଙ୍କ ୧୪୮ତମ ରାଜ୍ୟ ସ୍ତରୀୟ ଜନ୍ମୋତ୍ସବ ପାରଳାଖେମୁଣ୍ଡିର ସର୍ବପୁରାତନ ସାରସ୍ୱତ ଓ ସାଂସ୍କୃତିକ ଅନୁଷ୍ଠାନ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି।
ଓଡ଼ିଶା ସାହିତ୍ୟ ଏକାଡେମୀର ଗଜପତି ଜିଲ୍ଲା ଶାଖାର ପ୍ରାକ୍ତନ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାରସ୍ଵତ ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ମୁଖ୍ୟବକ୍ତା ରୂପେ ଧରାକୋଟ ସରକାରୀ ସ୍ନାତକ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ.ସୁଜିତ୍ କୁମାର ପଣ୍ଡା , ବିଶିଷ୍ଟ ଅତିଥି ଭାବେ ସହକାରୀ ପ୍ରଫେସର , ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ , ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ବିପ୍ଲବ ରଞ୍ଜନ ପ୍ରଧାନ , ସମ୍ମାନିତ ଅତିଥି ରୂପେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପିକା ଡ.କଲ୍ୟାଣୀ ମିଶ୍ର ଯୋଗଦେଇ ଓଡ଼ିଆ ନାଟ୍ୟଜଗତର ଏକ ଅମ୍ଳାନ ପ୍ରତିଭା ଭାବେ ନାଟ୍ୟକାର ଆପନ୍ନା ପରିଚ୍ଛା ସୁବିଦିତ । ଶ୍ରୀ ଶ୍ରୀ ରସିକରାଜ ପ୍ରାସାଦୈକ ସୁଜନ ମନୋରଞ୍ଜନ ନାଟ୍ୟସଂଘ ସେ ଗଠନ କରିଥିଲେ । ଉକ୍ତ ସଂଘ ଦ୍ୱାରା ପ୍ରତିଷ୍ଠିତ ରଙ୍ଗମଞ୍ଚ ପରବର୍ତ୍ତୀ ସମୟରେ ୧୯୦୫ ମସିହାରେ ଓଡ଼ିଶାର ପ୍ରଥମ ସ୍ଥାୟୀ ରଙ୍ଗମଞ୍ଚ ପଦ୍ମନାଭ ରଙ୍ଗାଳୟ ନାମରେ ନାମିତ ହୋଇଥିଲା । ଜାତିର ସ୍ଵାଭିମାନୀ ଆଭିଜାତ୍ୟ ସଂପନ୍ନ ପରିଚ୍ଛା ବଂଶରେ ସେ ଜନ୍ମ ହୋଇ ରସିକରାଜଙ୍କ ଅପାର କରୁଣାରୁ ବହୁ ଘାତପ୍ରତିଘାତ ମଧ୍ୟରେ ସଫଳତାର ଶିଢ଼ି ଚଢ଼ି ସାହିତ୍ୟ ଜଗତକୁ ସ୍ୱରଚିତ ନାଟକ , ବିଜୟ ବସନ୍ତ , ସୀତା ବନବାସ , ନବଲୀଳା ବିଳାସ , ଗୋଷ୍ଠମିଳନ , ମାନଭଞ୍ଜନ, ରାଧାକୃଷ୍ଣ ପ୍ରଣୟ ଆଦି ରଚନା କରି ଏ ସାରସ୍ୱତ ଜଗତକୁ ନିଜର ପରିଚୟତା ପ୍ରଦାନ କରିପାରିଥିଲେ। ନାଟ୍ୟକାର ଆପନ୍ନା ପରିଚ୍ଛାଙ୍କ ନାଟକରେ ବିଭିନ୍ନ ଚରିତ୍ର ମାଧ୍ୟମରେ ଉଚ୍ଚନୀଚ , ଧନୀଗରିବ , ଭେଦଭାବ ଓ ଧାର୍ମିକ ଚେତନାକୁ ଅତି ସୂକ୍ଷ୍ମ ଭାବରେ ଦର୍ଶାଇବା ସହିତ ତତ୍କାଳୀନ ସମାଜରେ ଏକ ବୈପ୍ଳବିକ ଚିନ୍ତାଧାରା ଜାଗ୍ରତ କରିବାରେ ସଫଳତା ସେ ଅର୍ଜନ କରିଥିଲେ। ଏକାଧାରରେ ଦେଶଭକ୍ତ , ବିପ୍ଳବୀ , ବିଦ୍ରୋହୀ ଏବଂ ସମାଜ ସଂସ୍କାରକ ଭାବେ ସେ ପରିଗଣିତ ହୋଇପାରିଥିଲେ। ଦେଶ ମିଶ୍ରଣରେ ପୂର୍ଣ୍ଣ ସହଯୋଗ ଏବଂ ୧୯୨୪ ମସିହାରେ ରଇତ ଆନ୍ଦୋଳନର ଏକ ପ୍ରମୁଖ ଭାବେ ଅଂଶଗ୍ରହଣ କରି ନିଜକୁ ପ୍ରତିପାଦନ କରିପାରିଥିଲେ । ନିଜର କର୍ମମୟ ଜୀବନରେ ବିଭିନ୍ନ ଝଡ଼ଝଞ୍ଜାକୁ ସହ୍ୟକରି ନେଇ ସ୍ଵାର୍ଥାନ୍ଵେଷୀ ପୁଞ୍ଜିପତିମାନଙ୍କ ବିରୋଧରେ ଦୃଢ଼ ସ୍ୱରଉତ୍ତୋଳନ କରିଥିଲେ। ଇଂରେଜମାନଙ୍କ କବଳରୁ ସେ ବାଦ୍ ନପଡ଼ି ଏ ଦିଗରେ ଦଣ୍ଡାୟମାନ ହୋଇ କାର୍ଯ୍ୟ ସଂପାଦନ କରିଥିଲେ । ଭାଷାଭିଭିକ ସ୍ଵତନ୍ତ୍ର ଓଡ଼ିଶା ଗଠନର ପୁରୋଧା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି , ପଣ୍ଡିତ ଗୋପବନ୍ଧୁ , ମଧୁସୂଦନ , ପଣ୍ଡିତ ନୀଳକଣ୍ଠ , ଫକୀରମୋହନ ଇତ୍ୟାଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏହାର ସ୍ୱତନ୍ତ୍ରତା ପାଇଁ ଆଗେଇ ଆସିଥିଲେ। ସେ ସମୟରେ ପରିଚାଳିତ ପରିଚ୍ଛା ମଠକୁ ଓଡ଼ିଶାର ଆନନ୍ଦ ମଠ ବୋଲି ପରିଗଣିତ ହୋଇଥିଲା। ଏହି ସ୍ୱଜାତିପ୍ରେମୀ ବିଶିଷ୍ଟ ନାଟ୍ୟକାର , ସମାଜ ଦିଗ୍‌ଦର୍ଶକ , ମହାନ୍ ସାରସ୍ଵତ ସାଧକ ଓଡ଼ିଆ ଜାତିର ଚିରନମସ୍ୟ ହୋଇ ରହିବେ ବୋଲି ବକ୍ତା ମାନେ କହିଥିଲେ।
ଭାରତୀୟ ସଂସ୍କୃତିରେ ପୂଜ୍ୟପୂଜାର ପରମ୍ପରା କାହିଁ ଅନାଦି କାଳରୁ ଚଳି ଆସୁଅଛି। ସର୍ବୋପରି ଏହାର ଆୟୋଜନ ଓଡ଼ିଶା ତଥା ପାରଳାରେ ମଧ୍ୟ ଦେଖିବାକୁ ମିଳେ। ସେହି ମହାନ ପୁରୁଷ , ଅମ୍ଳାନ ପ୍ରତିଭାଧାରଙ୍କ ଅନୁସରଣ କରି ଆମେ ଆମର ନୈତିକ ତଥା ପବିତ୍ର କର୍ତ୍ତବ୍ୟକୁ ପାଳନ କରିବା। ତେଣୁ ଏହି ଅବସରରେ ଓଡ଼ିଶାର ସ୍ୱନାମଧନ୍ୟ ନାଟ୍ୟକାର ଆପନ୍ନା ପରିଚ୍ଛାଙ୍କ ୧୪୮ତମ ଜୟନ୍ତୀ ପାଳନ କରାଯାଉଛି। ଯାହାକି ୨୦୦୦ ମସିହାରୁ ଆଜି ପର୍ଯ୍ୟନ୍ତ ଅବ୍ୟାହତ ରହିଛି ବୋଲି ସମ୍ପାଦକ ମୁରଲୀଧର ପରିଚ୍ଛା ବିବରଣୀ ପାଠରେ କହିଥିଲେ।
ସଭା କାର୍ଯ୍ୟ ପ୍ରାରମ୍ଭରେ ପ୍ରାରମ୍ଭିକ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ହୋଇଥିଲା। ଆପନ୍ନା ପରିଚ୍ଛା ସ୍ମୃତି ସଂସଦ ପକ୍ଷରୁ ଡ. ସୁଜିତ୍ କୁମାର ପଣ୍ଡାଙ୍କୁ ନାଟ୍ୟକାର ଆପନ୍ନା ପରିଚ୍ଛା ସ୍ମୃତି ସମ୍ମାନ- ୨୦୨୬ ପ୍ରଦାନ କରାଯାଇଥିବା ବେଳେ ଦେବାଶିଷ ମହାପାତ୍ରଙ୍କୁ ନାଟ୍ୟକାର ଆପନ୍ନା ପରିଚ୍ଛା ପ୍ରତିଭା ସମ୍ମାନ- ୨୦୨୬ ପ୍ରଦାନ କରାଯାଇଥିବା ବେଳେ ରୋହିଣୀ କୁମ୍ଭ ଙ୍କୁ ନାଟ୍ୟକାର ଆପନ୍ନା ପରିଚ୍ଛା ଶିଶୁ ପ୍ରତିଭା ସମ୍ମାନ- ୨୦୨୬ ପ୍ରଦାନ କରାଯାଇଥିଲା।
ସୁଶ୍ରୀ ସ୍ନେହା ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ଅଞ୍ଜନା ପଟ୍ଟନାୟକ , ସଙ୍ଗୀତ ପାତ୍ର , ଗାୟତ୍ରୀ ପଟ୍ଟନାୟକ ମାନପତ୍ର ପାଠ କରିଥିବା ବେଳେ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ନିତ୍ୟାନନ୍ଦ ଚୌଧୁରୀ , ତ୍ରିପତି ପଣ୍ଡା , ବିଷ୍ଣୁ ଚରଣ ପଣ୍ଡା ଙ୍କ ସମେତ ସ୍ମୃତି ସଂସଦର କର୍ମକର୍ତ୍ତା କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ।

0
0
0
s2sdefault