ଓଡ଼ଗାଁ, ୧୬।୨ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ସୋମବାର ଓଡ଼ଗାଁ ବ୍ଲକ ପରିସରରେ ଆୟୋଜିତ ପ୍ରଥମ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଶୁଣାଣି କରିଥିଲେ। ଏହି ଅବସରରେ ଆର୍ମି ଭେଟେରାନ ଓ ବରିଷ୍ଠ ସାମ୍ବାଦିକ ଆଦର୍ଶ କୁମାର ପଟ୍ଟନାୟକ, ସାରସ କୁମାର ମିଶ୍ର ଓ ଅଶୋକ କୁମାର ମହାପାତ୍ର ଜିଲ୍ଲାପାଳଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରି ଓଡ଼ଗାଁରେ ବିଜେ ଶ୍ରୀ ରଘୁନାଥ ଜିଉଙ୍କ ପୀଠର ମହିମା ସହ ଏହା ସମ୍ବନ୍ଧୀୟ ଅନେକ ତଥ୍ୟ ଅବଗତ କରାଇଥିଲେ। ତାଙ୍କ ମଧ୍ୟରୁ ବ୍ଲକ ଓ ତହସିଲ କାର୍ଯ୍ୟାଳୟ ପାଚେରୀ ସମୀପରେ ଦୀର୍ଘ ୨୭ ବର୍ଷ ଧରି ନିର୍ମିତ ହେବା ସତ୍ତ୍ୱେ ଅବ୍ୟବହୃତ ଅବସ୍ଥାରେ ରହି ଭୁତକୋଠିର ରୂପ ନେଇଥିବା ପାନ୍ଥଶାଳା ବିଷୟରେ ସୂଚନା ପ୍ରଦାନ କରାଯାଇଥିଲା। ସେହିପରି ଓଡ଼ଗାଁ–ନୟାଗଡ଼ ସଂଯୋଗ କରୁଥିବା ୨୧ ନମ୍ବର ରାଜ୍ୟ ରାଜପଥର ଗୋତିସାହି ନିକଟରେ ବେଆଇନ ଭାବେ ନିର୍ମିତ ଦୁର୍ଘଟଣା ପ୍ରବଣ ଉଚ୍ଚ ହମ୍ପସ୍ ଅପସାରଣ କରି ନିୟମିତ କରିବା ପାଇଁ ଦାବି ଉଠାଯାଇଥିଲା। ଏହାସହ ସରକାରୀ ପଲିଟେକନିକ ସମ୍ମୁଖରେ ପ୍ରାୟ ୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇ ଦୀର୍ଘଦିନ ଧରି ତାଲାପଡ଼ି ରହିଥିବା ପଥପ୍ରାନ୍ତ ସୁବିଧା କେନ୍ଦ୍ରକୁ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମମତା ଯୋଜନାକୁ ସୁଚାରୁ ଭାବରେ କାର୍ଯ୍ୟକାରୀ କରିବା ପାଇଁ ସ୍ତ୍ରୀ ରୋଗ ବିଶେଷଜ୍ଞ ନିଯୁକ୍ତି, ଅଲ୍ଟ୍ରାସାଉଣ୍ଡ ଓ ଏକ୍ସ-ରେ ମେସିନ ଯୋଗାଣ ସହ ବ୍ଲକ ଶିକ୍ଷା ଅଧିକାରୀ ପଦବୀ ପୂରଣ ପାଇଁ ମଧ୍ୟ ଦାବି ଉପସ୍ଥାପନ କରାଯାଇଥିଲା। ଜିଲ୍ଲାପାଳ ରଥ ସମସ୍ତ ଉନ୍ନୟନମୂଳକ ପ୍ରସ୍ତାବକୁ ଗୁରୁତ୍ୱ ସହ ଗ୍ରହଣ କରି ଭୁତକୋଠିର ରୂପ ନେଇଥିବା ପାନ୍ଥଶାଳା, ହସ୍ପିଟାଲ, ଆହାର କେନ୍ଦ୍ରର ସଫାସୁତୁରା ବ୍ୟବସ୍ଥା ସହ ରାମ ସାଗର ପାର୍କ ପରିଦର୍ଶନ କରିଥିଲେ। ସେ ପାନ୍ଥଶାଳାକୁ ଏନଏସିଙ୍କୁ ହସ୍ତାନ୍ତର କରିବା ପାଇଁ ତହସିଲଦାରଙ୍କୁ ଓ ଗୋତିସାହିରୁ ହମ୍ପସ୍ ଅପସାରଣ ପାଇଁ ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଗସ୍ତ ସମୟରେ ତହସିଲଦାର ଡ. ମାନସ ରଞ୍ଜନ ଭୋଇ, ଅତିରିକ୍ତ ତହସିଲଦାର ଜି. ଶ୍ରୀନୁ, ବିଡିଓ ପ୍ରତିବାଳା ରଣା ଓ ଏନଏସି ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା ଉପସ୍ଥିତ ରହି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଗ୍ରହଣ କରିଥିଲେ।
ରାଜ୍ୟ
ନୟାଗଡ଼ ଜିଲ୍ଲାପାଳଙ୍କ ଓଡ଼ଗାଁ ଗସ୍ତ, ବିଭିନ୍ନ ପ୍ରକଳ୍ପ ପରିଦର୍ଶନ
- Hits: 52








