ହେଡଲାଇନସ୍:

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର : ୧୪୭ ଅଭିଯୋଗରୁ ୫୨ର ତତ୍କାଳ ସମାଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, ୧୬।୨(ଶ୍ରୀକାନ୍ତ କୁମାର ମିଶ୍ର) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ପଞ୍ଚାୟତ ସମିତି ପରିସରରେ ସୋମବାର ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଜିଲ୍ଲାପାଳ ମଧୁମିତା ରଥଙ୍କ ସହ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାସ ଚନ୍ଦ୍ର ପଣ୍ଡା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଶିବିରରେ ମୋଟ ୧୪୭ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ତାହାରୁ ୧୩୩ଟି ବ୍ୟକ୍ତିଗତ, ୮ଟି ଗ୍ରାମ ସମୂହ ସମସ୍ୟା ଓ ୬ଟି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ସମ୍ପର୍କିତ ଥିଲା। ରେଡକ୍ରସ ସମ୍ବନ୍ଧୀୟ କୌଣସି ଅଭିଯୋଗ ରହିନଥିଲା । ଏଥିମଧ୍ୟରୁ ୫୨ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିବା ବେଳେ ଅବଶିଷ୍ଟ ମାମଲାଗୁଡିକୁ ସମ୍ପୃକ୍ତ ବିଭାଗକୁ ପଠାଯାଇଛି। ଶିବିରରେ ବରିଷ୍ଠ ସାମ୍ବାଦିକ ଆଦର୍ଶ କୁମାର ପଟ୍ଟନାୟକ, ଅଶୋକ କୁମାର ମହାପାତ୍ର ଓ ସାରସ କୁମାର ମିଶ୍ରଙ୍କ ପକ୍ଷରୁ ଦୀର୍ଘଦିନ ଧରି ଅବ୍ୟବହୃତ ଅବସ୍ଥାରେ ପଡ଼ିଥିବା ପାନ୍ଥଶାଳା, ନୟାଗଡ଼–ଭଞ୍ଜନଗର ୨୧ ନମ୍ବର ରାଜ୍ୟ ରାଜପଥର ଗୋତିସାହି ନିକଟରେ ବୃହତ୍ ହମ୍ପ୍ସ ଉଚ୍ଛେଦ ଓ ସରକାରୀ ପଲିଟେକନିକ୍ ସାମ୍ନାରେ ପଥପ୍ରାନ୍ତ ସୁବିଧା କେନ୍ଦ୍ରକୁ କାର୍ଯ୍ୟକାରୀ କରିବା ନେଇ ଦୃଷ୍ଟିଆକର୍ଷଣ କରାଯାଇଥିଲା। ଏହାକୁ ଗୁରୁତ୍ୱର ସହ ନେଇ ଜିଲ୍ଲାପାଳ ଶିବିର ପରେ ସମ୍ପୃକ୍ତ ସ୍ଥାନ ପରିଦର୍ଶନ କରିଥିଲେ। ସେଥିପରି ରାଜ୍ୟ ରାଜପଥ ଦେଇ ଗଞ୍ଜାମ ଅଭିମୁଖ ଯିବାକୁ ଥିବା ଯାନବାହନ ଜିପିଆରଏସ ଠାରୁ ଭୁଲ ତଥ୍ୟ ପାଇଁ ରଘୁନାଥ ମନ୍ଦିର ଅଭିମୁଖେ ଯାଉଥିବା ସମସ୍ୟା ଦୃଷ୍ଟିରୁ ଶରଣକୁଳ–ଦରପଦା ରାସ୍ତା ଓ ଓଡ଼ଗାଁ ହନୁମାନ ଛକରେ ସୂଚନା ଫଳକ ସ୍ଥାପନ ପ୍ରସ୍ତାବ ଆସିଥିଲା। ଏହାସହ ଓଡ଼ଗାଁ ଏନଏସି ଅଞ୍ଚଳରେ ସବୁଜ ପନିପରିବା ବିକ୍ରୟ ନିୟନ୍ତ୍ରଣ ପାଇଁ ସାପ୍ତାହିକ ହାଟ ସ୍ଥାପନ ପାଇଁ ଓଡ଼ଗାଁର ସୁଶାନ୍ତ କୁମାର ସାହୁ ଦାବି ଉଠାଇଥିଲେ।
କୁରୁମବାଙ୍କତରା ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁମାନଙ୍କୁ ବାସୀ ଖାଦ୍ୟ ପରିବେଷଣ ଅଭିଯୋଗ ଆଧାରରେ ଉପଜିଲ୍ଲାପାଳଙ୍କ ପକ୍ଷରୁ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଶିବିରରେ ତହସିଲଦାର ଡା. ମାନସ ରଞ୍ଜନ ଭୋଇ, ବିଡିଓ ପ୍ରୀତିବାଳା ରଣା, ଏନଏସି ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା, ଆଇଆଇସି ଅଭୟ ବେହେରା ସହ ବିଭିନ୍ନ ବିଭାଗୀୟ ଜିଲ୍ଲା ଓ ବ୍ଲକ ଅଧିକାରୀମାନେ ଅଂଶଗ୍ରହଣ କରି ଅଭିଯୋଗ ସମାଧାନରେ ସହଯୋଗ କରିଥିଲେ।

0
0
0
s2sdefault