ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ଆନ୍ଧ୍ର ସୀମାନ୍ତରେ ଥିବା ପୁରାଣ ପ୍ରସିଦ୍ଧ ଶୈବପୀଠ ମହେନ୍ଦ୍ରଗିରି ଶିଖର ସମେତ ପାରଳାଖେମୁଣ୍ଡି ସହର ଓ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ଥିବା ଶିବାଳୟ ଗୁଡିକରେ ଗତ ଦୁଇଦିନ ଧରି ମହାଶିବରାତ୍ରୀ ଓ ମହାଜାଗର ଦୀପ ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି।
ମହେନ୍ଦ୍ରଗିରିର ସ୍ବତନ୍ତ୍ରତା ପ୍ରକାରେ ମହାଶିବରାତ୍ର ପୂର୍ବଦିନ ରାତ୍ରରୁ ପାଳନ ହୋଇଥିବା ବେଳେ ମହାଶିବରାତ୍ର ଦିନ ଜାଗର ଦୀପ ଯାତ୍ରା ପାଳନ ହୋଇଥାଏ। ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ମାନେ ଚାରିହଜାର ଫୁଟ ଉଚ୍ଚତା ବିଶିଷ୍ଟ ପାହାଡ ମହେନ୍ଦ୍ରଶିଖର ବିଭିନ୍ନ ପାଦଚଲା ରାସ୍ତାରେ ଚଢି ପହଞ୍ଚିଥିଲେ। ଶ୍ରଦ୍ଧାଳୁ ମାନେ ମହେନ୍ଦ୍ର ଶିଖରରେ ଥିବା ଗୋକର୍ଣ୍ଣେଶ୍ବର , ଯୁଧୂଷ୍ଠିର ଓ ଭୀମ ମନ୍ଦିରରେ ଥିବା ଶିବଲିଙ୍ଗ ଦର୍ଶନ ଓ ପୂଜାର୍ଚ୍ଚନା କରି ଜାଗର ଦୀପ ଜାଳି ଉଜାଗର ରହିଥିଲେ। ଏଥିପାଇଁ ମନ୍ଦିର ଗୁଡିକରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଲାଗିରହିଥିଲା।
ଏହି ଅବସରରେ ଶ୍ରଦ୍ଧାଳୁ ମାନେ ସୁରକ୍ଷିତ ଓ ନିର୍ଭୟରେ ଯେଭଳି ମହେନ୍ଦ୍ର ଶିଖରକୁ ସହଜେ ଆସି ଦର୍ଶନ ଓ ପୂଜାର୍ଚ୍ଚନା କରିପାରିବେ ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା।
ସେହିଭଳି ଗଜପତି ଜିଲ୍ଲାଞ୍ଚଳ ସମେତ ପାରଳାଖେମୁଣ୍ଡି ସହରାଞ୍ଚଳରେ ଥିବା ଧବଳେଶ୍ବର , ରାମଲିଙ୍ଗେଶ୍ବର , ଶ୍ମଶାନେଶ୍ବର , ରାମେଶ୍ବର , କାଶୀବିଶ୍ବନାଥ , ଗପେଶ୍ବର , ମଲ୍ଲିକାର୍ଜୁନେଶ୍ବର , ଚନ୍ଦ୍ରଶେଖର , ମାଡୁଆମହାଦେବ , ବିଭୂତି ଭୂଷଣେଶ୍ୱର ପ୍ରଭୃତି ଶତାଧିକ ସଂଖ୍ୟାରେ ରହିଥିବା ଶିବାଳୟ ଗୁଡିକ ମହାଶିବରାତ୍ର ଓ ଜାଗର ଯାତ୍ରା ଅବସରରେ ଅତ୍ୟନ୍ତ ଚଳଚଞ୍ଚଳ ହୋଇ ଉଠିଥିଲା । ଶିବାଳୟ ଗୁଡିକରେ ଶ୍ରଦ୍ଧାଳୁ ମାନଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ପ୍ରବଳ ଭିଡ ଓ ଲମ୍ବା ଧାଡି ଲାଗି ରହିଥିଲା।
ରାତିରେ ମହାଜାଗର ଦୀପ ଉଠିଥିଲା। ଏହି ଅବସରରେ ସମସ୍ତ ଶିବାଳୟ ଗୁଡିକ ସଂପୃକ୍ତ ଶିବାଳୟ କମିଟି ତରଫରୁ ତୋରଣ ଓ ବିଭିନ୍ନ ରଙ୍ଗର ଆଲୋକମାଳାରେ ସଜ୍ଜିତ ସହ ସଂକୀର୍ତ୍ତନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।








