ଉତ୍ସବରେ ୧୫ ହଜାରରୁ ଅଧିକ ମାନସିକଧାରୀଙ୍କ ଅଂଶଗ୍ରହଣ
ଓଡ଼ଗାଁ,୨୬।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ଜାମୁପାଟଣା ସ୍ଥିତ ଶୂଳିଆ ପାହାଡ଼ ପାଦଦେଶରେ ବିରାଜିତ ପ୍ରସିଦ୍ଧ ଶୈବପୀଠ ଶ୍ରୀଶୂଳପାଣି ବାବା ଦୂତୀକେଶ୍ବର ମହାଦେବଙ୍କ ପୀଠରେ ମହାଶିବରାତ୍ରି ଉପଲକ୍ଷେ ଭକ୍ତିମୟ ପରିବେଶରେ ୨୯ତମ ସାମୁହିକ ପ୍ରଦୀପ ପ୍ରଜ୍ଜ୍ୱଳନ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଗାୟତ୍ରୀ ବିଦ୍ୟା ମନ୍ଦିର, ମଶାବରୀର ଆନୁକୂଲ୍ୟରେ ଆୟୋଜିତ ଏହି ପବିତ୍ର ଅବସର ଭକ୍ତମଣ୍ଡଳୀଙ୍କ ଆଧ୍ୟାତ୍ମିକ ଭାବନାକୁ ଗଭୀର ଭାବେ ସ୍ପର୍ଶ କରିଥିଲା। ଓଡ଼ଗାଁ ତହସିଲଦାର ଡ଼. ମାନସ ରଞ୍ଜନ ଭୋଇ, ଆଡିସନାଲ ତହସିଲଦାର ଜି ଶ୍ରୀନୁ, ଆଇଆଇସି ସତ୍ୟନାରାୟଣ ବାରିକ, ଏନ୍ଏସି ଜେଇ ସତ୍ୟନାରାୟଣ ସାହୁ ଏବଂ ମନ୍ଦିର ପରିଚାଳନା କମିଟିର ଉପସଭାପତି ପ୍ରଫୁଲ୍ଲ କୁମାର ମାଝିଙ୍କ ହସ୍ତରେ ସାମୁହିକ ପ୍ରଦୀପ ପ୍ରଜ୍ଜ୍ୱଳନର ଶୁଭାରମ୍ଭ ହୋଇଥିଲା। ଏହି ସମୟରେ ଗାୟତ୍ରୀ ବିଦ୍ୟାମନ୍ଦିରର ଅଧ୍ୟକ୍ଷ ବିରେନ୍ଦ୍ର କୁମାର ସାହୁ ଓ ପ୍ରାଣପ୍ରତିଷ୍ଠାତା ଅଶୋକ କୁମାର ମହାପାତ୍ର ଉପସ୍ଥିତ ରହି ଉତ୍ସବକୁ ଆଧ୍ୟାତ୍ମିକ ଗମ୍ଭୀରତା ପ୍ରଦାନ କରିଥିଲେ।
ଉତ୍ସବର ପ୍ରାରମ୍ଭରେ ଗାୟତ୍ରୀ ମନ୍ତ୍ର ଓ ମହାମୃତ୍ୟୁଞ୍ଜୟ ମନ୍ତ୍ରର ପବିତ୍ର ଧ୍ୱନିରେ ପରିବେଶ ଆନନ୍ଦମୟ ଓ ଆଧ୍ୟାତ୍ମିକମୟ ହୋଇଯାଇଥିଲା। ପ୍ରକୃତିର ନୈସର୍ଗିକ ସବୁଜିମା ମଧ୍ୟରେ ବିରାଜିତ ପଶ୍ଚିମାମୁଖୀ ଶ୍ରୀଲିଙ୍ଗ ଦର୍ଶନ ପାଇଁ ସକାଳ ଠାରୁ ରାତି ପର୍ଯ୍ୟନ୍ତ ପ୍ରାୟ ୩୦ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାଗମ ଘଟିଥିବା ବେଳେ ୧୫ ହଜାରରୁ ଅଧିକ ମାନସିକଧାରୀ ଜାଗର ଜାଳି ଭକ୍ତିର ଦୀପ ଜାଳାଇଥିଲେ। ଅସଂଖ୍ୟ ପ୍ରଦୀପର ଆଲୋକରେ ମନ୍ଦିର ପ୍ରାଙ୍ଗଣ ଦିବ୍ୟ ରୂପେ ଉଜ୍ଜ୍ୱଳିତ ହୋଇ ଆଧ୍ୟାତ୍ମିକ ଆନନ୍ଦର ପରିବେଶ ସୃଷ୍ଟି କରିଥିଲା।ମନ୍ଦିର ସମ୍ମୁଖସ୍ଥ ପୁଷ୍କରିଣୀର ଚାରିପାଶେ ପ୍ରଜ୍ଜ୍ୱଳିତ ପ୍ରଦୀପମାଳା ଭକ୍ତମାନଙ୍କ ମନରେ ଶାନ୍ତି, ଶ୍ରଦ୍ଧା ଓ ଦିବ୍ୟତାର ଅନୁଭୂତି ଜାଗ୍ରତ କରୁଥିଲା। ପୂଜାର୍ଚ୍ଚନା ପରେ ମାଜଣା କରି କ୍ଷୀରରେ ଋଦ୍ରାଭିଷେକ ଓ ଜଳସ୍ନାନ କରାଯାଇଥିଲା । ରାତି ୧୧ଟା ସମୟରେ ମହାଦୀପ ମନ୍ଦିରକୁ ଉତ୍ତୋଳନ କରାଯାଇ ଭକ୍ତମାନଙ୍କ ମନେ ଅପାର ଭକ୍ତିଭାବ ଜାଗ୍ରତ କରିଥିଲା। ପରେ ପ୍ରଭୁଙ୍କ ଚଳନ୍ତି ପ୍ରତିମା ବିମାନରେ ବିଜେ କରି ବେଢ଼ା ପରିକ୍ରମା କରାଯାଇଥିଲା। ଘଣ୍ଟ, ଘଣ୍ଟା, ମର୍ଦଳ ଓ ମହୁରୀର ଧ୍ୱନି ସହ ଭକ୍ତମାନଙ୍କ “ହରିବୋଲ” ଓ ହୁଳହୁଳି ଶବ୍ଦ ପରିବେଶକୁ ଭକ୍ତିମୟ କରିଥିଲା। ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଉତ୍ସବ ସଫଳତା ପାଇଁ ସକ୍ରିୟ ସହଯୋଗ କରିଥିଲେ। ଓଡ଼ଗାଁ ରଘୁନାଥ ଜିଉଙ୍କ ମନ୍ଦିର, ରାମ ସାଗର ପୁଷ୍କରିଣୀ କୂଳରେ ରାମେଶ୍ୱର ମହାଦେବଙ୍କ ସହିତ ଅଞ୍ଚଳର ସମସ୍ତ ମନ୍ଦିରରେ ଜାଗର ଜାଳି ଭକ୍ତମାନେ ମାନସିକ ପୂରଣ କରିଥିଲେ ।








