ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପରିସରରେ ଦୁଇ ଦିନିଆ ଉତ୍କଳ କୃଷି ମେଳା ର ଚତୁର୍ଥ ସଂସ୍କରଣ ର ଉଦଘାଟିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ମାନ୍ୟବର ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଏବଂ ଏସ୍ଏସ୍ଏମ୍ଇ ମନ୍ତ୍ରୀ ଶ୍ରୀ ଗୋକୁଳା ନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବରେ ପାରଳାଖେମୁଣ୍ଡିର ମାନ୍ୟବର ବିଧାୟକ ଶ୍ରୀ ଇଂ.ରୂପେଶ କୁମାର ପାଣିଗ୍ରାହୀ , ଗଜପତି ଜିଲ୍ଲା ପରିଷଦ ସଭାପତି ଶ୍ରୀ ଜି.ତିରୁପତି ରାଓ ଯୋଗ ଦେଇଥିଲେ। ଉଦଘାଟନୀ ଉତ୍ସବ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ଵଳନ, ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ପରିବେଷଣ ଏବଂ ସୁଶ୍ରୀ ତାପସୀ କର ଙ୍କ ଓଡ଼ିଶୀ ନୃତ୍ୟ ପରିବେଷଣ ସହିତ ଆରମ୍ଭ ହୋଇଥିଲା।
ଉଦଘାଟନୀ ଉତ୍ସବରେ ବିଶ୍ବବିଦ୍ୟାଳୟ ର ପ୍ରୋ-ଭାଇସ-ଚାନ୍ସଲର ପ୍ରଫେସର ଡ. ଅଜୟ କୁମାର ନାୟକ ସ୍ବାଗତ ସମ୍ଭାଷଣ ପ୍ରଦାନ କରିଥିଲେ। ଏହି ଉତ୍ସବରେ ବିଶ୍ବବିଦ୍ୟାଳୟ ର ଉପସଭାପତି ପ୍ରଫେସର ଡି. ଏନ. ରାଓ , ସମ୍ମାନୀୟ କୁଳପତି ପ୍ରଫେସର ଡ. ସୁପ୍ରିୟା ପଟ୍ଟନାୟକ ଏବଂ କୁଳସଚିବ ପ୍ରଫେସର ଡ. ଅନିତା ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଓଡ଼ିଶାର ତୃଣମୂଳ ସ୍ତରରେ କୃଷି ବିକାଶ ଏବଂ କୃଷକମାନଙ୍କ ଉନ୍ନତି ଉପରେ କେନ୍ଦ୍ରିତ ଥିଲା।
ମାନ୍ୟବର ମୁଖ୍ୟ ଅତିଥି ଦକ୍ଷତା ଆଧାରିତ କୃଷି ଶିକ୍ଷାକୁ ପ୍ରୋତ୍ସାହିତ କରିବା ଏବଂ କୃଷି , ମତ୍ସ୍ୟ ଏବଂ ପଶୁପାଳନ କ୍ଷେତ୍ରର ଚାଷୀମାନଙ୍କ ନିକଟରେ ବିଭିନ୍ନ କୃଷି ପ୍ରଯୁକ୍ତିବିଦ୍ୟା ପହଞ୍ଚାଇବାରେ ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟର ଭୂମିକାକୁ ଭୂୟସୀ ପ୍ରଶଂସା କରିଥିଲେ । ତତ୍ ସହିତ କୃଷିମେଳା ରେ ଉପସ୍ଥିତ ସମସ୍ତ ଚାଷୀ ଭାଇଭଉଣୀ ମାନଙ୍କୁ ବିଭିନ୍ନ ସରକାରୀ ଯୋଜନା ରେ ଲାଭାନ୍ବିତ ହେବାପାଇଁ ପ୍ରେରିତ କରିଥିଲେ।
ମାନ୍ୟବର ବିଧାୟକ, ପାରଳାଖେମୁଣ୍ଡି ଦକ୍ଷିଣ ଓଡ଼ିଶାର ମେରୁଦଣ୍ଡ କୃଷିକୁ ସଂଗଠିତ କରିବାରେ ଚାଷୀମାନଙ୍କର ଗୁରୁତ୍ବ ଉପରେ ଆଲୋକପାତ କରିଥିଲେ। ଫସଲ ଉତ୍ପାଦନ ବୃଦ୍ଧି ପାଇଁ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ଜଳବାୟୁ ସ୍ମାର୍ଟ କୃଷି ଉପରେ ଗୁରୁତ୍ବାରୋପ କରିଥିଲେ।
ମାନ୍ୟବର ଜିଲ୍ଲା ପରିଷଦ ସଭାପତି , କୃଷକ ସମାଜକୁ ସଶକ୍ତ କରିବାରେ ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ, ଯାହା ବିଶ୍ବବିଦ୍ୟାଳୟର ମୁଖ୍ୟ ଉଦ୍ଦେଶ୍ୟ । ସମସ୍ତ ସମ୍ମାନିତ ଅତିଥିମାନେ ପ୍ରଥମ ପୁଷ୍ପ ପ୍ରଦର୍ଶନୀ - ୨୦୨୬ ଉଦଘାଟନ କରିଥିଲେ ଏବଂ ବିଭିନ୍ନ ରଙ୍ଗର ଫୁଲ ବ୍ୟବହାର କରି ବିଭିନ୍ନ ସାଜସଜ୍ଜା କରିବାରେ ଛାତ୍ର ଛାତ୍ରୀ ମାନଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନେକ ପ୍ରତିଷ୍ଠିତ ପ୍ରତିଷ୍ଠାନ , ଏନଜିଓ, ଏଫପିଓ , ଛାତ୍ରଛାତ୍ରୀ ଏବଂ ବିଭିନ୍ନ ସରକାରୀ ବିଭାଗର ଗବେଷକ ଏବଂ ବୈଜ୍ଞାନିକମାନେ ଉପସ୍ଥିତ ଥିଲେI କୃଷି ଏବଂ ଆନୁଷଙ୍ଗିକ ଉତ୍ପାଦ ପ୍ରଦର୍ଶନ ପାଇଁ ୭୦ ଟି ଷ୍ଟଲ ପ୍ରଦର୍ଶିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ସମ୍ମାନିତ ବ୍ୟକ୍ତିବିଶେଷଙ୍କ ଦ୍ବାରା ଭାଷଣ ପ୍ରଦାନ କରାଯାଇଥିଲା ଯେଉଁଥିରେ ସେମାନେ ସ୍ଥାୟୀ କୃଷି ଏବଂ କୃଷକ-କୈନ୍ଦ୍ରିକ ଗବେଷଣା ପ୍ରତି ବିଶ୍ବବିଦ୍ୟାଳୟର ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ ଏବଂ ପରେ ପ୍ରଗତିଶୀଳ ଚାଷୀମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରିଥିଲେ I ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟର କୁଳସଚିବ ପ୍ରଫେସର ଡ. ଅନିତା ପାତ୍ରଙ୍କ ଧନ୍ୟବାଦ ଅର୍ପଣ କରିଥିଲେ।
ଚତୁର୍ଥ ଉତ୍କଳ କୃଷି ମେଳା , ବିଜ୍ଞାନ ଏବଂ ଚାଷଜମି ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ପାଇଁ ଏକ ଜୀବନ୍ତ ମଞ୍ଚ ଭାବରେ କାର୍ଯ୍ୟ କରିଥିଲା , ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ କୃଷକଙ୍କ ଜୀବିକା ଉନ୍ନତ କରିବା ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା। ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟର ଗ୍ରାମୀଣ ପରିବର୍ତ୍ତନ ଏବଂ ସ୍ଥାୟୀ କୃଷି ପ୍ରତି ପ୍ରତିବଦ୍ଧତା ଦିନସାରା ପ୍ରତିଫଳିତ ହୋଇଥିଲା, ଯାହା କୃଷି ମେଳାକୁ ସାମୁଦାୟିକ ସଂଯୋଗ ଏବଂ ବିକାଶରେ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ହୋଇଥିଲା।
ରାଜ୍ୟ
ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟ ପକ୍ଷରୁ ଚତୁର୍ଥ ଉତ୍କଳ କୃଷି ମେଳା ୨୦୨୬ ଉଦଘାଟିତ
- Hits: 37








