ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ : ଜିଲ୍ଲାରେ ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷା ଆୟୋଜନ ନେଇ ସ୍ଥାନୀୟ ଜିଲ୍ଲା ପରିଷଦ ସଭାକକ୍ଷ ଠାରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ଉପ ଆରକ୍ଷୀ ଅଧିକ୍ଷକ ଓନମ୍ ଲାକ୍ରା, ଜିଲ୍ଲା ମଙ୍ଗଳ ଅଧିକାରୀ ଏ ଶ୍ରୀନିବାସ ଆଚାରୀ, ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ଉପସ୍ଥିତି ଥିଲେ । ଏହି ବୈଠକରେ ଦଶମ ବୋର୍ଡ ପରୀକ୍ଷା କେନ୍ଦ୍ର ପରିଚାଳକ, ନୋଡାଲ କେନ୍ଦ୍ର ପ୍ରଧାନ ଶିକ୍ଷକ ଏବଂ ପ୍ରଶ୍ନପତ୍ର ରହିଥିବା କେନ୍ଦ୍ରର ଥାନା ଅଧିକାରୀଙ୍କୁ ନେଇ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।
ଏହି ପ୍ରଶିକ୍ଷଣ ଶିବିରରେ ଅତିରିକ୍ତ ଶିକ୍ଷା ଅଧିକାରୀ ଭାଗୀରଥି ବେହେରା ବୋର୍ଡ କାର୍ଯ୍ୟାଳୟ କଟକ ଦ୍ଵାରା ନିର୍ଦ୍ଧାରିତ ନିୟମାବଳୀ ସବୁ ବୁଝାଇଥିଲା ବେଳେ ଅତିରିକ୍ତ ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ ଅନ୍ୟାନ୍ୟ ନୀତି ନିୟମ ପରିବେଷଣ କରିଥିଲେ ।
ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜଗନ୍ନାଥ ପ୍ରସାଦ ବେହେରା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲା ବେଳେ ସମସ୍ତ ୪୬ ପରୀକ୍ଷା କେନ୍ଦ୍ର ପରିଚାଳକ ଓ ୨୦ ନୋଡାଲ ପ୍ରଧାନ ଶିକ୍ଷକ ସହ ପୋଲିସ ଅଫିସର ଯୋଗ ଦେଇଥିଲେ ।
କାର୍ଯ୍ୟାଳୟ ତରଫରୁ ଏହି ବର୍ଷ ମାଲକାନଗିରି ଜିଲ୍ଲାରୁ ଦଶମ ପରୀକ୍ଷାରେ ରେଗୁଲାର ଓ ଓପନ ସ୍କୁଲ ମିଶେଇ ୯୮୭୫ ପରୀକ୍ଷାର୍ଥୀ ୧୯ ଫେବୃଆରୀରୁ ୨ ମାର୍ଚ୍ଚ ଯାଏଁ ଭାଗ ନେବେ।








