ଭୁବନେଶ୍ୱର : ଏଜି ପୁରୁଣା ଓ ନୂଆ ଏଜି ନାଗରିକ ସମିତି ଆନୁକୂଲ୍ୟରେ ସ୍ଥାନୀୟ ସତ୍ୟାନନ୍ଦ ଯୋଗ ବିଦ୍ୟାଳୟ ପରିସରରେ ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର କଥାମୃତ ଏକ ଆଧ୍ୟାତ୍ମିକ ପରିବେଶରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଦ୍ୱାରା ଅନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଅଛି l ଏହି ଉଦଘାଟନୀ ଉତ୍ସବରେ ସତ୍ୟାନନ୍ଦ ଯୋଗବିଦ୍ୟାଳୟର ସ୍ୱାମୀଜୀ ସୁରୂପାନନ୍ଦ ସରସ୍ବତୀ, କଟକ ସୁବୋଧ କୃଷ୍ଣ ମିଶନର ପ୍ରମୁଖ କୃଷ୍ଣ ପ୍ରେମାନନ୍ଦ ସରସ୍ବତୀ, ପୁରୀ ରାଧାବଲ୍ଲଭ ମଠର ମଠାଧୀଶ ତଥା ଓଡିଶା ପଞ୍ଚ ରାତ୍ର ସମିତିର ସଭାପତି ମହନ୍ତ ରାମକୃଷ୍ଣ ଦାସ, ପ୍ରମୁଖ ମହାଲେଖାକାର ଡି. ସାହୁ, ଭୁବନେଶ୍ୱର ଦିବ୍ୟ ଜୀବନ ସଙ୍ଘର ସ୍ୱାମୀଜୀ ବ୍ରହ୍ମାତ୍ମାନନ୍ଦ ସରସ୍ବତୀ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ଆଶ୍ରିବଚନ ଓ ଉଦବୋଧନ ଦେଇଥିଲେ l ପ୍ରାରମ୍ଭରେ 108 କଳସ ଶୋଭାଯାତ୍ରା ଏଜି କଲୋନୀଠାରୁ ବାହାରି ସତ୍ୟାନନ୍ଦ ଆଶ୍ରମ ଠାରେ କଳସ ସ୍ଥାପିତ ହୋଇଥିଲା l ମହନ୍ତ ରାମକୃଷ୍ଣ ଦାସ ପୂର୍ବରୁ ଜଗନ୍ନାଥଙ୍କ ବିଷୟରେ ବିଭିନ୍ନ କପୋଳ କଳ୍ପିତ ତଥ୍ୟ ପ୍ରଦାନ କରୁଥିଲେ l
ଗଜପତି ମହାରାଜ ତାଙ୍କ ଉଦବୋଧନରେ ବୌଦ୍ଧିକ ବିକାଶ ସହିତ ଆଧ୍ୟାତ୍ମିକ ମିଳନ ହୋଇ ପାରିଲେ ଜୀବନ ସୁଖମୟ ହେଵ l ତାହା ସମ୍ଭବ ହେବ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ନିଜକୁ ସମର୍ପଣ କରିବା l ଜଗନ୍ନାଥ ଅବତାର ନୁହେଁ ସେ ହେଉଛନ୍ତି ଅବତାରୀ l ଆମକୁ ଉଚିତ ମାର୍ଗରେ ଯିବାକୁ ହେଲେ ଉପନିଷଦ ବାଣୀକୁ ନିଜ ଜୀବନ ଚଳଣିରେ ପ୍ରୟୋଗ କରିବାକୁ ହେବ l ଏହିଭଳି ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ପ୍ରଧାନ ମହାଲେଖାକାରଙ୍କୁ ପ୍ରଶଂସା କରିଥିଲେ l 2012 ମସିହାରେ ଗଜପତି ମହାରାଜଙ୍କ ପ୍ରେରଣାରେ ରାମଚରିତ ମାନସ, ଭାଗବତ ପୁରାଣ ଭଳି ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଆରମ୍ବ କରାଯାଇଥିଲା ଯାହାକି ସମସ୍ତେ ବ୍ୟାସଦେବକୃତ ସ୍କନ୍ଧ ପୁରାଣ ବର୍ଣିତ ତଥ୍ୟ ଭିତ୍ତିକ ଜଗନ୍ନାଥଙ୍କ ଲୀଳା ଶୁଣିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି l ପ୍ରଧାନ ମହାଲେଖାକାର ସାହୁ ଗଜପତିଙ୍କ ପ୍ରେରଣାରେ ସରକାରୀ କର୍ମଚାରୀଙ୍କ ଆଧ୍ୟାତ୍ମିକ ମାର୍ଗ ପ୍ରତି ଆକୃଷ୍ଟ କରିବାକୁ ଏଭଳି ଏକ ପ୍ରୟାସ ପାଇଁ ସୁଯୋଗ ଦେଇଥିବାରୁ କୃତଜ୍ଞତା ଜଣାଇଥିଲେ l ସ୍ୱାମୀଜୀ କୃଷ୍ଣ ପ୍ରେମାନନ୍ଦ ସରସ୍ବତୀ ସ୍କନ୍ଧ ପୁରାଣର ଶ୍ରୀକ୍ଷେତ୍ର ମାହାତ୍ମ୍ୟ, ଶ୍ରୀକ୍ଷେତ୍ରକୁ ବ୍ରହ୍ମାଙ୍କ ଆଗମନ, କାକ ମୁକ୍ତି, ଯମଲଷ୍ମୀ ସମ୍ବାଦ, ଇନ୍ଦ୍ରଦ୍ୟୁମ୍ନ, ବିଶ୍ୱାବସୁ, ନୀଳ ମାଧବ ଦର୍ଶନ ଉପରେ ପ୍ରାଞ୍ଜଳ ଭାବେ ବର୍ଣନା କରିଥିଲେ l ଜଗତର ସ୍ରଷ୍ଟା ସେହି ଜଗତର ନାଥ ଜଗନ୍ନାଥଙ୍କ ଉଦେଶ୍ୟରେ ପ୍ରବଚକଙ୍କ ସହିତ ଭକ୍ତ ଗଣଙ୍କ କଣ୍ଠରେ ନିଃସୃତ "ଛନ୍ଦା ଚରଣ, ଛନ୍ଦା ଶରଣ, ସେ ଛନ୍ଦା ଚରଣେ ଗଲି ଶରଣ ସ୍ୱରରେ ପରିସର ପ୍ରକମ୍ପିତ ହୋଇଥିଲା l
ଏହି କଥାମୃତ ଶୁଣିବାକୁ ଏଜି ଅତୁଲ ପ୍ରକାଶ, ଇନକମ ଟ୍ୟାକ୍ସ କମିଶନର ନିରଜା ପ୍ରଧାନ, ବରିଷ୍ଠ ଉପ ମହାଲେଖାକାର ଭରତ ଚନ୍ଦ୍ର ବେହେରା, ମନୋଜ ଏକ୍କା, ଭୀମଲେଶ କୁମାର, ବିକାଶ କୁମାର, ବିଭିନ୍ନ କେନ୍ଦ୍ର ସରକାରୀ କର୍ମଚାରୀ, ଭୁବନେଶ୍ୱର ଦିବ୍ୟ ଜୀବନ ସଂଘର ସଭାପତି ରାଧାଶ୍ୟାମ ଦାସ ସହିତ ସଭ୍ୟସଭ୍ୟା ମାନେ,ସାଧୁ,ସନ୍ଥ ଓ ସନ୍ୟାସୀ କଥାମୃତ ଶ୍ରବଣ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଦୁଇ ଏଜି କଲୋନୀର ସଭାପତି ଓ ସମ୍ପାଦକ ଦୀପ୍ତି ରଞ୍ଜନ ରାୟ, ରାଜ କିଶୋର ମହାପାତ୍ର, ଅଶୋକ କୁମାର ପଟ୍ଟନାୟକ, ଏ ନାଗାରାଜୁ, କମଲ କିରଣ,ଶାରଦା ପ୍ରସନ୍ନ ମହାପାତ୍ର, କୈଳାଶ ଚନ୍ଦ୍ର ପଣ୍ଡା ପରିଚାଳନା କରିଥିଲେ l








