ବିଜେପୁର : ବରଗଡ଼ ଜିଲ୍ଲାର ବିଜେପୁର ବ୍ଲକ ଅନ୍ତର୍ଗତ ତାଲପଦର ଗ୍ରାମରେ ଆୟୋଜିତ ରାଜ୍ୟସ୍ତରୀୟ ‘ଉତ୍ତାଲଗଡ଼ ନାଟ୍ୟ ଉତ୍ସବ’ ଉଦଘାଟିତ ହୋଇଯାଇଛି। ଅନୁଷ୍ଠାନର ସଂଯୋଜକ ଅଧ୍ୟାପକ ମୁଶାନ୍ତ ମିଶ୍ରଙ୍କ ଆବାହକତ୍ୱ ଓ ସଭାପତି ହୃଦମଣି ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମହୋତ୍ସବକୁ ମୁଖ୍ୟ ଅତିଥି ଭାବେ ବିଜେପୁର ବିଧାୟକ ସନତ କୁମାର ଗଡ଼ତିୟା ଉଦଘାଟନ କରିଥିଲେ।ଉଦଘାଟନୀ ଅବସରରେ ବିଧାୟକ ଶ୍ରୀ ଗଡ଼ତିୟା କହିଥିଲେ ଯେ ଗ୍ରାମାଞ୍ଚଳରେ ଗତ ୧୬ ବର୍ଷ ଧରି ନିଜସ୍ୱ ଉଦ୍ୟମରେ ନାଟ୍ୟ ମହୋତ୍ସବ ଆୟୋଜନ ହେବା ଏକ ପ୍ରଶଂସନୀୟ ପ୍ରୟାସ। ଏପରି ସଂସ୍କୃତିକ କାର୍ଯ୍ୟକ୍ରମ ଗ୍ରାମୀଣ କଳା, ସଂସ୍କୃତି ଓ ପରମ୍ପରାକୁ ସୁରକ୍ଷିତ ରଖିବା ସହ ନୂଆ ପିଢ଼ିକୁ ସଂସ୍କୃତି ସହ ଜଡ଼ି ରଖେ। ନାଟକ ସମାଜକୁ ସଚେତନ କରିବାରେ ଏକ ଶକ୍ତିଶାଳୀ ମାଧ୍ୟମ ବୋଲି ସେ କହିଥିଲେ।ସମ୍ମାନିତ ଅତିଥି ଭାବେ ସମିତି ସଦସ୍ୟ ସଞ୍ଜୁ ପ୍ରଧାନ ଓ ସୋମନାଥ ପଧାନ ଯୋଗଦେଇଥିଲେ। ଅନୁଷ୍ଠାନର ସଂପାଦକ ସୁଶାନ୍ତ ରଂଜନ ପଧାନ ବିବରଣୀ ପାଠ କରିଥିଲେ। ଗଜାନନ ସାହୁ ଓ ବିବେକାନନ୍ଦ ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଢଲିଆ ଖୁସା ସହ ବରଗଡ଼ର କଳାକାରମାନେ ସମ୍ବଲପୁରୀ ଲୋକନୃତ୍ୟ ପରିବେଷଣ କରିଥିଲେ। ପାରମ୍ପରିକ ନୃତ୍ୟରେ ଦର୍ଶକମାନେ ଝୁମି ଉଠିଥିଲେ।ପରେ ଅତିଶ ଶତପଥୀଙ୍କ ରଚିତ ଓ ନିର୍ଦ୍ଦେଶିତ ‘ଫେର ସେ ଶ୍ରବଣ’ ନାଟକକୁ ଅଦୃଶ୍ୟ ନାଟ୍ୟ ଆଶ୍ରମ, ସମ୍ବଲପୁରର କଳାକାରମାନେ ପରିବେଷଣ କରିଥିଲେ। ବୃଦ୍ଧ ବାପା-ମା’ଙ୍କ ପ୍ରତି ସମାଜର ଅବହେଳା ଓ ଶ୍ରବଣ କୁମାରଙ୍କ ସମର୍ପଣକୁ ଗଭୀର ଭାବରେ ଉପସ୍ଥାପନ କରାଯାଇଥିଲା।ସେହିପରି ବୁଦ୍ଧଦେବ ମେହେର ମହାବିଦ୍ୟାଳୟ, ଦହିତାର ଛାତ୍ରଛାତ୍ରୀମାନେ ଅଧ୍ୟାପକ ମୁଶାନ୍ତ ମିଶ୍ରଙ୍କ ରଚିତ ଓ ନିର୍ଦ୍ଦେଶିତ ‘ନୂଆଁଖାଇର ଭାବ’ ନାଟକ ପରିବେଷଣ କରିଥିଲେ। କୃଷକ ପରିବାରର ନିଃସ୍ୱାର୍ଥ ସମର୍ପଣ ଓ ମା’–ମାଟି ପ୍ରତି ଭଲପାଇବା ଦର୍ଶକଙ୍କୁ ଭାବବିହ୍ବଳ କରିଥିଲା।ଶେଷରେ ଅଶୋକ ବହିଦାର ଓ ଡ. ତୁଷାରକାନ୍ତ ସାହୁଙ୍କ ରଚିତ ଓ ନିର୍ଦ୍ଦେଶିତ ‘ବୁକା’ ନାଟକକୁ ଡ୍ରାମା ଚେତନାର କଳାକାରମାନେ ପରିବେଷଣ କରି ହାସ୍ୟ–ବ୍ୟଙ୍ଗ ମାଧ୍ୟମରେ ସ୍ୱାର୍ଥପର ସମାଜକୁ ଆଇନା ଦେଖାଇଥିଲେ।ଅନୁଷ୍ଠାନର ସଭାପତି, ସଂପାଦକ ସହ କମିଟିର ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସୁଚାରୁ ଭାବେ ପରିଚାଳିତ ହୋଇଥିଲା।
ରାଜ୍ୟ
ରାଜ୍ୟସ୍ତରୀୟ ‘ଉତ୍ତାଲଗଡ଼ ନାଟ୍ୟ ଉତ୍ସବ’ ଉଦଘାଟିତ
- Hits: 9








