ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ଅବିଭକ୍ତ କୋରାପୁଟ ଜିଲାର ଅନେକ ଗ୍ରାମ ଉପରେ ବର୍ଷବର୍ଷ ଧରି ନଜର ପକାଇ ସେଠାରେ ଲୋକଙ୍କୁ ବିଭିନ୍ନ ସହାୟତା ଯୋଗାଇ ସେସବୁ ଗ୍ରାମକୁ କବଜା କରିବାକୁ ପ୍ରୟାସ କରୁଛି ଆନ୍ଧ୍ର । ଓଡିଶାର କୋଟିଆ ଭଳି ଅନେକ ଗ୍ରାମରେ ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ପହଞ୍ଚି ଲୋକଙ୍କୁ ପ୍ରୟାସ ତଥା ବିଭିନ୍ନ ଲୋଭ ଦେଖାଇ ଆନ୍ଧ୍ର ସହ ମିଶାଇବାକୁ ଅହରହ ଉଦ୍ୟମ କରୁଛନ୍ତି। ସେହିଭଳି ମାଲକାନଗିରି ଜିଲାର ଜୁମଡାଙ୍ଗ ଗ୍ରାମକୁ ହାତେଇବା ପାଇଁ ପ୍ରୟାସ କରିଛି ଆନ୍ଧ୍ର ପ୍ରଶାସନ। ଜୁମଡାଙ୍ଗ ଗ୍ରାମରେ ପୂର୍ବରୁ ଆନ୍ଧ୍ର ଅନେକ ଉନ୍ନୟନ କାମ ସହ ଜମି ପଟ୍ଟା ବଣ୍ଟନ କରିଥିଲା। ବର୍ତ୍ତମାନ ଗ୍ରାମର ପିଲାଙ୍କୁ ଶିକ୍ଷା କ୍ଷେତ୍ରରେ ଯୋଡିବା ପାଇଁ ଆନ୍ଧ୍ର ସରକାର ଏହି ଗ୍ରାମରେ ଏକ ଅସ୍ଥାୟୀ ବିଦ୍ୟାଳୟ ସ୍ଥାପନ କରି ଶିକ୍ଷକ ନିଯୁକ୍ତି ଦେଇଛି। ଏ ସଂକ୍ରାନ୍ତରେ ଓଡ଼ିଶା ଶିକ୍ଷା ବିଭାଗ ପାଖରେ କୌଣସି ସୂଚନା ନ ରହିବା ଆଶ୍ଚର୍ଯ୍ୟ କରିଛି।
ସୂଚନା ମୁତାବକ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳର ଧୂଳିପୁଟ ପଞ୍ଚାୟତସ୍ଥିତ ଜୁମଡାଙ୍ଗ ଗ୍ରାମରେ ପିଲାଙ୍କୁ ଶିକ୍ଷାଦାନ ଦେବାକୁ ଆନ୍ଧ୍ର ପ୍ରଶାସନ ଗ୍ରାମର ଜଣେ ଯୁବକଙ୍କୁ ଦାୟିତ୍ଵ ଦେଇଛି। କୁନିକୁନି ପିଲାଙ୍କୁ ପାଠ ପଢାଇବା ପାଇଁ ଏହି ଯୁବକଙ୍କୁ ଆନ୍ଧ୍ର ସରକାର ଅର୍ଥ ରାଶି ପ୍ରଦାନ କରୁଛନ୍ତି। ଓଡ଼ିଆ ଭାଷା ଛାଡି ଏବେ ତେଲୁଗୁ ଭାଷାରେ ସ୍ଥାନୀୟ ପିଲାଙ୍କୁ ଶିକ୍ଷାଦାନ କରାଯାଉଛି। ଫଳରେ ଅଞ୍ଚଳର ପିଲାମାନେ ନିଜ ଭାଷା ଛାଡି ତେଲୁଗୁ ଭାଷା ଶିଖୁଛନ୍ତି । କିଛିମାସ ପୂର୍ବେ ଆନ୍ଧ୍ର ସରକାର ଏହି ଗ୍ରାମବାସୀଙ୍କୁ ଆବାସ ଘର ଓ ପାନୀୟ ଜଳ ବ୍ୟବସ୍ଥା କରି ଗ୍ରାମବାସୀ ଙ୍କୁ ନିଜର କରିବାକୁ ଉଦ୍ୟମ କରିଥିଲା। ଏବେ ପୁଣି ସ୍କୁଲ ଖୋଲି ତେଲୁଗୁ ଭାଷାରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେଉଛି । ଯାହା ଏବେ ଚିନ୍ତାର ବିଷୟ ହୋଇଛି । ପ୍ରତ୍ୟେକ ଥର ଗଳା ବାଟ ଦେଖ୍ ଆନ୍ଧ୍ର ଓଡିଶା ସୀମାବର୍ତ୍ତୀ ଗ୍ରାମରେ ଏଭଳି ସମସ୍ୟା ସୃଷ୍ଟି କରୁଛି। ବେଳ ଥାଉଣୁ ଓଡିଶା ସଜାଗ ନହେଲେ ଏହି ଗ୍ରାମ ସହ ଆହୁରି ଅନେକ ଆଖପାଖ ଗ୍ରାମକୁ ନିଜ ସୀମାରେ ଯୋଡିବାକୁ ଆନ୍ଧ୍ର ପ୍ରୟାସ କରିବାର ସମ୍ଭାବନାକୁ ଏଡାଇ ଦେଇ ହେଉନି। ଏଠାରେ କୌଣସି ବିଦ୍ୟାଳୟ ନାହିଁ । ଅତ୍ୟନ୍ତ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଏହି ଗ୍ରାମକୁ ରାସ୍ତା ନ ଥିଲା । ଅଦ୍ଧନିର୍ମିତି ଏକ ବିଦ୍ୟାଳୟ କାମ ସମ୍ପୂର୍ଣ ହେଲେ ଶିକ୍ଷକ ନିଯୁକ୍ତିକୁ ସ୍ବାଭାବିକ କରାଯିବ । ଆନ୍ଧ୍ରର କିଛି ବ୍ୟକ୍ତି ଆସି ଏକ ଚର୍ଚ୍ଚରେ ପିଲାଙ୍କୁ ଶିକ୍ଷାଦାନ କରୁଥିବା ନେଇ ତାଙ୍କ ନିକଟରେ ଅଭିଯୋଗ ହୋଇଛି ବୋଲି ଯୋଗାଯୋଗ ବେଳେ କହିଛନ୍ତି ଚିତ୍ରକୋଣ୍ଡା ବ୍ଳକ ଶିକ୍ଷାଧିକାରୀ ଗାୟତ୍ରୀ ଦେବୀ ।
ରାଜ୍ୟ
ସ୍ବାଭିମାନ ଅଞ୍ଚଳ କବ୍ଜା ପାଇଁ ଷଡ଼ଯନ୍ତ୍ର କରୁଛି ଆନ୍ଧ୍ର।
- Hits: 11








