ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଳ୍ପ କେନ୍ଦ୍ର ଏବଂ ସୂକ୍ଷ୍ମ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟର ସହଯୋଗରେ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ଗୁଣପୁର ବୌଦ୍ଧିକ ସମ୍ପତି ସୁବିଧା କେନ୍ଦ୍ର ପକ୍ଷରୁ ଏକ ଦିବସୀୟ ବୌଦ୍ଧିକ ସମ୍ପତ୍ତି ଅଧିକାର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ସଚେତନତା କାର୍ଯ୍ୟକ୍ରମରେ ବିଶାଖାପାଟଣା ସ୍ଥିତ ନ୍ୟାସନାଲ ରିସର୍ଚ୍ଚ ଡେଭଲପମେଣ୍ଟ କର୍ପୋରେସନର ସୁଧା ସେନଥୀ ଯୋଗ ଦେଇ ପେଟେଣ୍ଟ ଆବେଦନ ପ୍ରକ୍ରିୟା , ପୂର୍ବ ଜ୍ଞାନର ସନ୍ଧାନ , ବୌଦ୍ଧିକ ସମ୍ପତ୍ତିର ମୂଲ୍ୟାଙ୍କନ ଏବଂ ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର ସମ୍ପର୍କରେ ଉପସ୍ଥିତ ଉଦ୍ୟୋଗୀ ଓ ଶିକ୍ଷାବିତ୍ମାନଙ୍କୁ ପ୍ରାୟୋଗିକ ମାର୍ଗଦର୍ଶନ ପ୍ରଦାନ କରିଥିଲେ।
ରାୟଗଡ଼ା ଜିଲ୍ଲାର ସୂକ୍ଷ୍ମ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟର ଏନ୍ କୋଟିରତ୍ନମ ,ଗଜପତି ଜିଲ୍ଲା ଶିଳ୍ପ କେନ୍ଦ୍ରର ଟିମ୍ ମୁଖ୍ୟ ବଦ୍ରି ମିଶ୍ର , ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ଗବେଷଣା ଓ ବିକାଶ ବିଭାଗର ନିର୍ଦ୍ଦେଶକ ପ୍ରଫେସର ଜି ଆର କେ ଡି ସତ୍ୟ ପ୍ରସାଦ ପ୍ରମୁଖ ମଞ୍ଚାସିନ ରହି ସ୍ଥାନୀୟ ଉଦ୍ଭାବକ , ଉଦ୍ୟୋଗୀ , ସୂକ୍ଷ୍ମ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ , ଷ୍ଟାର୍ଟଅପ୍ , ଅଧ୍ୟାପକ , ଗବେଷକ ଏବଂ ଛାତ୍ରଛାତ୍ରୀମାନଙ୍କୁ ଆଜିର ନବସୃଜନ-ଭିତ୍ତିକ ଅର୍ଥନୀତିରେ ବୌଦ୍ଧିକ ସମ୍ପତ୍ତି ଅଧିକାରର ରଣନୈତିକ ଗୁରୁତ୍ୱ ବିଷୟରେ ଅବଗତ କରାଇଥିଲେ।
ବୌଦ୍ଧିକ ସମ୍ପତି ସୁବିଧା କେନ୍ଦ୍ର ର ସଦସ୍ୟ ଡ. ରାଘବେନ୍ଦ୍ର କୁମାର ସ୍ବାଗତ ଭାଷଣ ଦେବା ସହ ସେଲ୍ର କାର୍ଯ୍ୟକଳାପ ଓ ପ୍ରଦାନ କରାଯାଉଥିବା ବିଭିନ୍ନ ସେବା ସମ୍ପର୍କରେ ସୂଚନା ଦେଇଥିଲେ। ଅନ୍ୟତମ ସଦସ୍ୟ ଡ. ଶଶାଙ୍କ ଶେଖର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଉଦ୍ୟୋଗୀ , କ୍ଷୁଦ୍ର ଶିଳ୍ପ ପ୍ରତିନିଧି ଏବଂ ଗବେଷକମାନେ ଅଂଶଗ୍ରହଣ କରିଥିଲେ।
ରାଜ୍ୟ
ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ଗୁଣୁପୁର ବୌଦ୍ଧିକ ସମ୍ପତି ସୁବିଧା କେନ୍ଦ୍ର ପକ୍ଷରୁ ଏକ ଦିନିଆ ସଚେତନତା କାର୍ଯ୍ୟକ୍ରମ
- Hits: 14








