ହେଡଲାଇନସ୍:

କୁମ୍ଭୀପଡ଼ା ସରକାରୀ ସ୍କୁଲରେ ୬ କୁଇଣ୍ଟାଲ ଚାଉଳ ସହ ଅନେକ ସାମଗ୍ରୀ ଚୋରି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗିର / ଟିଟିଲାଗଡ଼, ୦୭/୦୨ (ଶାସକ ପ୍ରଶାସକ):- ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧୀନସ୍ଥ କୁମ୍ଭୀପଡ଼ା ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଥିବା ଚୋରି ଘଟଣା ସମଗ୍ର ଅଞ୍ଚଳରେ ଭାରି ଚାଞ୍ଚଲ୍ୟ ସୃଷ୍ଟି କରିଛି।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ମାୟାଧର ମହାନନ୍ଦଙ୍କ କହିବା ଅନୁସାରେ, ସକାଳ ପ୍ରାୟ ୧୦ଟା ସମୟରେ ସ୍କୁଲ ଖୋଲିବାକୁ ଯାଇ ସେମାନେ ଦେଖିଥିଲେ ଯେ ବିଦ୍ୟାଳୟର ସମସ୍ତ କୋଠରୀ, କାର୍ଯ୍ୟାଳୟ ଓ ମହାତ୍ମା ଗାନ୍ଧୀ କକ୍ଷର ତାଲା ଭାଙ୍ଗାଯାଇଛି। ଆଲମିରାଗୁଡିକୁ ଭାଙ୍ଗି ଜରୁରୀ ରେଜିଷ୍ଟର ଓ କାଗଜପତ୍ରକୁ ଇତସ୍ତତ ଫିଙ୍ଗି ଦିଆଯାଇଥିବା ସହ ମଧ୍ୟାହ୍ନ ଭୋଜନ ପାଇଁ ରଖାଯାଇଥିବା ୬ କୁଇଣ୍ଟାଲ ଚାଉଳ, ଡିଜେ ସାଉଣ୍ଡ ସିଷ୍ଟମ, ଦାଦନ ଯାଇଥିବା ଛାତ୍ର ଛାତ୍ରୀଙ୍କ ନିମନ୍ତେ ରଖା ଯାଇଥିବା ସ୍କୁଲ ପୋଷାକ, ଜୋତା ଓ ମୂଲ୍ୟବାନ ଖେଳ ସାମଗ୍ରୀ ଚୋରି ହୋଇଥିବା ଜଣାପଡ଼ିଛି। ପ୍ରଧାନ ଶିକ୍ଷକଙ୍କ ଅବସର ନେବାକୁ ଆହୁରି ୩ ମାସ ସମୟ ବାକି ଥିବାରୁ ସେ ସହକାରୀ ଶିକ୍ଷକ ମାୟାଧର ମହାନନ୍ଦଙ୍କୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ୱ ଦେଇଥିଲେ। ଦାୟିତ୍ୱ ଗ୍ରହଣ କରିବାର କିଛି ଦିନ ମଧ୍ୟରେ ଏଭଳି ଚୋରି ଘଟଣା ଘଟିଥିବାରୁ ଏହା ତାଙ୍କ ପାଇଁ ଗଭୀର ମାନସିକ ଧକ୍କା ବୋଲି ସେ କହିଛନ୍ତି। ଶିକ୍ଷକ ଓ ଅଭିଭାବକମାନଙ୍କ ମତାନୁସାରେ, ରାତିରେ କିଛି ଦୁର୍ବୃତ୍ତ ଏହି ଘଟଣା ଘଟାଇଥିବା ସନ୍ଦେହ କରାଯାଉଛି। ଚୋରି କାର୍ଯ୍ୟରେ ବ୍ୟବହାର ହୋଇଥିବା ଗୋଟିଏ କଇଁଚି ଓ ଗୋଟିଏ ରଡ଼ କଟିଙ୍ଗ ଯନ୍ତ୍ର ସ୍କୁଲର ରୋଷେଇ ଘରେ ପଡି ରହିଥିବା ଦେଖିବାକୁ ମିଳିଛି। ଏନେଇ ଟିଟିଲାଗଡ଼ ପୋଲିସ ଥାନାରେ ଏକ ଲିଖିତ ଏଫ୍‌ଆଇଆର୍‌ ଦାଖଲ କରାଯାଇଛି। ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଏ ପର୍ଯ୍ୟନ୍ତ କାହାକୁ ମଧ୍ୟ ଗିରଫ କରାଯାଇନାହିଁ। ପ୍ରଶାସନ ଏହି ଘଟଣାକୁ ଗୁରୁତ୍ୱ ଦେଇ ତୁରନ୍ତ ଚୋରମାନଙ୍କୁ ଚିହ୍ନଟ କରି ଗିରଫ, ସରକାରୀ ସମ୍ପତ୍ତି ଚୋରି ମାମଲାରେ ଆଇନ ଅନୁଯାୟୀ କଠୋର ଦଣ୍ଡବିଧାନ କରିବାକୁ ଶିକ୍ଷକ ଓ ଅଭିଭାବକମାନେ ଦୃଢ ଦାବି କରିଛନ୍ତି।

0
0
0
s2sdefault