କେନ୍ଦ୍ରାପଡା:୦୭/୦୨(ପ୍ରଫୁଲ୍ଲ କୁମାର ମଲ୍ଲ) ଜିଲ୍ଲାରେ ଚାଲିଛି ରାସ୍ତା ନିର୍ମାଣ, କିନ୍ତୁ କାମର ମାନ ଦେଖିଲେ ମନେ ହେଉଛି ଲୋକଙ୍କ ଆଖିରେ ଧୂଳି ଝୋଙ୍କାଯାଉଛି। କଜଳା ଟିକିଲି ମଠ ଠାରୁ କଷଟି ପର୍ଯ୍ୟନ୍ତ ହେଉଥିବା ପିଚୁ ରାସ୍ତା କାମରେ ଗଭୀର ଅନିୟମିତତା ଓ ନିମ୍ନମାନର କାର୍ଯ୍ୟ ଅଭିଯୋଗ ସାମ୍ନାକୁ ଆସିଛି। ରାସ୍ତାରେ ପିଚୁ ପୂର୍ବରୁ ଛିଞ୍ଚାଯିବାକୁ ଥିବା ପ୍ରାଇମର ଲିକୁଇଡ୍ ଉପଯୁକ୍ତ ପରିମାଣରେ ବ୍ୟବହାର ହେଉନଥିବା ଅଭିଯୋଗ ଉଠିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପ୍ରାଇମର ଛିଞ୍ଚାଯାଉଥିବା ତରଳ ଦେଖିବାକୁ ଗୋବରପାଣି ଭଳି । ଯାହା ରାସ୍ତାରୁ ଧୂଳି ଉଡ଼ି ପରିବେଶକୁ ଦୂଷିତ କରୁଛି। ନା ଠିକ୍ ଭାବେ ବୋଷ୍ଟିଙ୍ଗି କରାଯାଉଛି, ନା ନିୟମ ଅନୁଯାୟୀ ପ୍ରାଇମର ଲେପନ। ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏପରି ଗୁରୁତ୍ୱପୂର୍ଣ୍ଣ ରାସ୍ତା କାମ ଚାଲିଥିବା ସମୟରେ ସ୍ଥଳରେ କୌଣସି ବିଭାଗୀୟ ଅଧିକାରୀ କିମ୍ବା କର୍ମଚାରୀ ଉପସ୍ଥିତ ରହୁନଥିବା ଦେଖାଯାଉଛି। ଫଳରେ ଠିକାଦାର ମନମାନି କାମ କରୁଥିବା ଓ ସରକାରୀ ଟଙ୍କାର ଦୁରୁପଯୋଗ ହେଉଥିବା ଅଭିଯୋଗ ଜୋର ଧରିଛି।ରାସ୍ତାର ସ୍ଥାୟୀତ୍ୱକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭାରି ଆଶଙ୍କା ସୃଷ୍ଟି ହୋଇଛି। “ଏଭଳି କାମ ହେଲେ ଆଗାମୀ ବର୍ଷାରେ ରାସ୍ତା ଭାଙ୍ଗିଯିବ, ତେବେ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡିଯିବ,” ବୋଲି କହିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ।
ସ୍ଥାନୀୟ ଲୋକମାନେ ଅଭିଯୋଗ କରୁଛନ୍ତି ଯେ, ଏପରି ନିମ୍ନମାନର କାମ ପଛରେ ବିଭାଗୀୟ କିଛି ଅଧିକାରୀ ଓ କର୍ମଚାରୀଙ୍କ ନିରବ ସମର୍ଥନ ରହିଛି। ଯଦି ପ୍ରଶାସନ ଚାହାଁନ୍ତା, ତେବେ ଏପରି ଅନିୟମ କେବେ ଘଟିନଥାନ୍ତା ବୋଲି ମତ ପ୍ରକାଶ ପାଉଛି। ଏହି ସମଗ୍ର ଘଟଣାକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ଓ ଗୁଣମାନ ସମ୍ପନ୍ନ ଭାବେ ପୁନଃ କାମ କରାଯାଉ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଓ ସଚେତନ ନାଗରିକଙ୍କ ମହଲରେ ଜୋରଦାର ଦାବି ଉଠୁଛି।
ରାଜ୍ୟ
ନିମ୍ନମାନର ପିଚୁ କାମ,ନାହିଁ ଉପଯୁକ୍ତ ପ୍ରାଇମର ,ଧୂଳିରେ ଉଡୁଛି ଲକ୍ଷ ଲକ୍ଷ ଟଙ୍କା ।
- Hits: 5








