ଜିଲ୍ଲାସ୍ତରୀୟ ଡାହାଣୀ ପ୍ରଥା ନିଷେଧ ସଚେତନତା କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମାଜକୁ ବଞ୍ଚାଇବା ଡାହାଣୀ ସନ୍ଦେହରେ ନିର୍ଯାତନା ବନ୍ଦ କରିବା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ଡାହାଣୀ ପ୍ରଥା ନିଷେଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମୁନୀଦ୍ର ହୋନନାଗାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ମାଧବ ନନ୍ଦ ନାୟକ , ଆଇନ ସେବା ପ୍ରାଧିକରଣ ସଭାପତି ଶ୍ରୀ ବିମଳ ରାଉଳ , ମାନସିକ ସ୍ଵାସ୍ଥ୍ୟ ବିଶେଷଜ୍ଞ ପ୍ରାଣ ରଞ୍ଜନ ନାୟକ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମନୋରମା ଦେବୀ , ଆଇନ ଜିବି ଶ୍ରୀ ପ୍ରମୋଦ ରାଉଳ ପ୍ରମୁଖ ମଞ୍ଚାସିନ ରହି ଗୁଣିଗାରେଡ଼ି ଏବଂ ଡାହାଣୀ ପ୍ରଥାକୁ ସଚେତନତା କରି ଅନ୍ଧ ବିଶ୍ବାସ ଦୁରକିବାକୁ ଅବଗତ କରାଇଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଅତିଥି ଗଣ ସଚେତନତା ବାର୍ତ୍ତା ମାଧ୍ୟମରେ କହିଥିଲେ ଯେ ପ୍ରାଚୀନ ଯୁଗରେ ଗୁଣିଗାରେଡ଼ି , ଯାଦୁବିଦ୍ୟା , ତନ୍ତ୍ରସାଧନ , ଝଡ଼ାଫୁଙ୍କା ଆଦି ଅନ୍ଧବିଶ୍ୱାସ ଉପରେ ଲୋକମାନେ ଅଧିକ ବିଶ୍ୱାସ କରୁଥିଲେ। ଏବେ ବିଜ୍ଞାନର ଅଗ୍ରଗତି ପରେ ମଧ୍ୟ କେତେ ଲୋକଙ୍କ ମନରୁ ଏହି ଅନ୍ଧବିଶ୍ୱାସ ଦୂର ହୋଇପାରୁନାହିଁ। ଫଳରେ ଏହାକୁ ନେଇ ବିଭିନ୍ନ ପ୍ରକାର ଅପରାଧ ବୃଦ୍ଧି ପାଉଛି। ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ୱାସ ଯୋଗୁ ଗୋଟିଏ ପରେ ଗୋଟିଏ ଜୀବନ ଯାଉଛି , ଯାହା ଚିନ୍ତାର ବିଷୟ ହୋଇଛି। ପୂର୍ବରୁ ଉପାନ୍ତ ଅଞ୍ଚଳରେ ଏଭଳି ଘଟଣା ନଜରକୁ ଆସୁଥିଲା। ହେଲେ ଏବେ ଅନ୍ୟ ଜିଲ୍ଲାଗୁଡ଼ିକ ଅପେକ୍ଷା ଆମ ଜିଲ୍ଲାରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳୁଛି। କେତେବେଳେ ତନ୍ତ୍ର ସାଧନ ପାଇଁ ନିରୀହ ଶିଶୁଙ୍କୁ ବଳି ଚଢ଼ାଯାଉଛି ତ ଆଉ କେତେବେଳେ ତନ୍ତ୍ର ସାଧନ କରୁଥିବା ବ୍ୟକ୍ତିଙ୍କୁ ଗୁଣିଆ କହି ହତ୍ୟା କରାଯାଉଛି। ଗୁଣିଗାରେଡ଼ି ଯୋଗୁ ଏଭଳି ହିଂସାକାଣ୍ଡ ଘଟୁଥିବାରୁ ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି କରୁଛି।
ବିଭିନ୍ନ ଅଞ୍ଚଳରେ ଲୋକଙ୍କ ପାଖରେ ଶିକ୍ଷା , ସ୍ବାସ୍ଥ୍ୟ ଆଦି ଠିକ୍‌ ଭାବେ ପହଞ୍ଚୁ ପାରିନାହିଁ। ତେଣୁ ଲୋକମାନଙ୍କ ମଧ୍ୟରେ ପାରମ୍ପାରିକ ଅନ୍ଧବିଶ୍ୱାସ ଆଦି ରହିଛି। ଶିକ୍ଷା ଏବଂ ସ୍ବାସ୍ଥ୍ୟ ସହ ବିଜ୍ଞାନ ସମ୍ମତ ଦୃଷ୍ଟିଭଙ୍ଗୀର ପ୍ରସାର କରାଇପାରିଲେ ଏହି ଅନ୍ଧବିଶ୍ୱାସ ଦୁର ହୋଇ ପାରିବ। ସେହିପରି ଏହା ବିରୋଧରେ ରହିଥିବା ଆଇନକୁ ଠିକ ଭାବେ କାର୍ଯ୍ୟକାରୀ କରାଯିବା ଦରକାର। ତୃଣମୂଳସ୍ତର ଠାରୁ ଲୋକଙ୍କୁ ସଚେତନ କରାଇବା ଆବଶ୍ୟକ।
ସେହିପରି ଶିକ୍ଷାର ବିକାଶ ହେବା ସହିତ ସଚେତନତା ହେଲେ ଗୁଣିଗାରେଡ଼ି ଏବଂ ଡାହାଣୀ ପ୍ରତି ଲୋକଙ୍କ ଦୁର ହୋଇପାରିବ। ଗ୍ରାମାଞ୍ଚଳରେ ବିଶେଷ କରି ଆଦିବାସୀ ବହୁଳ ଜିଲ୍ଲାମାନଙ୍କରେ ଏହା ଏବେ ବି ଏକ ଭୟଙ୍କର ସମସ୍ୟା ହୋଇ ରହିଛି। ଗୁଣିଗାରେଡ଼ିକୁ ନେଇ କେବଳ ହତ୍ୟା ବା ଶାରୀରିକ ଆକ୍ରମଣ ହିଁ ହେଉନି। ବରଂ ଗୁଣିଆ ବା ଡାହାଣୀ ବୋଲି ସନ୍ଦେହରେ ସମ୍ପୃକ୍ତ ବ୍ୟକ୍ତିକୁ ସାମାଜିକ ବାସନ୍ଦ, ଜୋରିମାନା, ଗାଁରୁ ତଡ଼ିଦେବା, ମୁଣ୍ଡ ଲଣ୍ଡା କରିବା , ଦାନ୍ତ ଭାଙ୍ଗିବା , ପଶୁଙ୍କ ମଳକୁ ଜବରଦସ୍ତ ପୂରାଇବା ଆଦି ଅନେକ ଘଟଣା ବି ଘଟୁଛି, ଯାହାକି ଅନେକ ସମୟରେ ରିପୋର୍ଟ ଲୋକଲୋଚନକୁ ଆଶି ପାରୁନି। ଅନେକ କ୍ଷେତ୍ରରେ ଲୋକଙ୍କ ଅସଚେତନତା ର ଅଭାବ ରହିଛି ।
ଆମ ସମାଜରେ ବିଶେଷ କରି ଗ୍ରାମାଞ୍ଚଳର ଅଧିକାଂଶ ଲୋକ ଆଜି ବି ଅଶିକ୍ଷିତ ଅଛନ୍ତି ତେଣୁ ଶିକ୍ଷାର ଅଭାବରୁ ଗୁଣିଗାରେଡ଼ି , ଡାହାଣୀ ପ୍ରଥା ଆଦି ଅନ୍ଧ ବିଶ୍ୱାସରୁ ସେମାନେ ମୁକ୍ତ ହୋଇପାରି ନାହାନ୍ତି। ସେମାନଙ୍କ ମନରେ ଥିବା ଏହି ଅହେତୁକ ବିଶ୍ୱାସକୁ ଦୂର କରି ବୈଜ୍ଞାନିକ ମନୋଭାବ ଜାଗ୍ରତ କରିବା ଓ ବୈଜ୍ଞାନିକ ମନୋଭାବକୁ ବଢ଼େଇବା ପାଇଁ ବହୁ ମାତ୍ରାରେ ସଚେତନତା ଆବଶ୍ୟକ ରହିଅଛି । ଆମ ଜିଲ୍ଲାରେ ସମସ୍ତ ବ୍ଲକ , ଗ୍ରାମପଞ୍ଚାୟତ ଓ ଗ୍ରାମ ଗୁଡିକରେ ସ୍ଥାନୀୟ ଜନପ୍ରତିନିଧି , ସିଡ଼ିପିଓ , ସୁପରଭାଇଜର , ଅଙ୍ଗୱାଡ଼ି ଓ ଆଶା କର୍ମୀଙ୍କ ମାଧ୍ଯମରେ ସଚେତନତା ସୃଷ୍ଟି କରାଯିବ।
ଅନ୍ଧବିଶ୍ୱାସ ଠାରୁ ଦୂରେଇ ରୁହନ୍ତୁ , ସଚେତନ ହୁଅନ୍ତୁ , ଗୁଣିଗାରେଡ଼ି ଓ ଡାହାଣୀ ସନ୍ଦେହରେ କାହାରି କ୍ଷତି କରନ୍ତୁ ନାହିଁ , ଜାଣିଶୁଣି ଆଇନ୍‌କୁ ହାତକୁ ନିଅନ୍ତୁ ନାହିଁ , କାହାରିକୁ ଅପମାନିତ କିମ୍ବା ଆକ୍ରମଣ କରନ୍ତୁ ନାହିଁ।
ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀ ଅଶୋକ କୁମାର ପଟ୍ଟନାୟକ , ଅନ୍ୟ ଲାଇନ୍ ବିଭାଗୀୟ ଅଧିକାରୀ ସମେତ କାର୍ଯ୍ୟକ୍ରମକୁ ମହିଳା ସୁରକ୍ଷା ଅଧିକାରୀ ଶ୍ରୀମତୀ ସାରଳା ପାତ୍ର ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଅଙ୍ଗନୱାଡ଼ି ଓ ଆଶା କର୍ମୀ , ଏଏନମ , ସିଡ଼ିପିଓ , ସୁପରଭାଇଜର , ଏନଜିଓ କର୍ମକର୍ତ୍ତା , ସ୍ଥାନୀୟ ମହିଳା ଓ ଯୁବକ ଯୁବତୀ ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault