ସ୍କୁଲ ଫାଟକ ସାମ୍ନାରୁ ନାବାଳିକା ଅପହରଣ ଉଦ୍ୟମ,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅଭିଭାବକଙ୍କ ତତ୍ପରତାରେ ଅପହରଣକାରୀ ଧରାପଡ଼ିଲା, ଯୁବକ ଗିରଫ ବ୍ୟବହୃତ ବାଇକ୍ ଜବତ,


ଓଡ଼ଗାଁ, ୬।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ଗୌଡ଼ପୁଟ ପଞ୍ଚାୟତ ଅଞ୍ଚଳରେ ଏକ ଚାଞ୍ଚଳ୍ୟକର ଘଟଣା ସାମ୍ନାକୁ ଆସିଛି। ଶୁକ୍ରବାର ଦିନ ଏକ ସରକାରୀ ହାଇସ୍କୁଲରେ ଛୁଟି ପରେ ସ୍କୁଲ ଫାଟକ ସାମ୍ନାରୁ ଜଣେ ନାବାଳିକାକୁ ଅପହରଣ କରିନେବାକୁ ଉଦ୍ୟମ କରୁଥିବା ଜଣେ ଯୁବକୁ ସ୍ଥାନୀୟ ଅଭିଭାବକମାନେ ସଙ୍ଗେ ସଙ୍ଗେ କାବୁ କରି ଓଡ଼ଗାଁ ପୋଲିସଙ୍କୁ ହସ୍ତାନ୍ତର କରିଛନ୍ତି। ଅଭିଯୁକ୍ତ ଯୁବକ ହେଉଛି ଶରଣକୁଳ ଥାନା ଅନ୍ତର୍ଗତ ପଞ୍ଚରିଡା ପାଇକବାଡ଼ ଗାଁର ବିରଞ୍ଚି ମୁଦୂଲୀ (୨୬)। ଘଟଣା ପରେ ଓଡ଼ଗାଁ ଥାନାକୁ ଆଣି ଏସ୍‌ଆଇ ଚକ୍ରଧର ସିଂ ତାଙ୍କୁ ପଚରାଉଚରା କରିଥିବା ବେଳେ ଅପହରଣ ଉଦ୍ୟମରେ ବ୍ୟବହୃତ ବାଇକ୍‌ଟିକୁ ମଧ୍ୟ ଜବତ କରାଯାଇଛି। ପ୍ରକାଶ ଯେ, ପୂର୍ବରୁ ଗତ ୧୩/୧୦/୨୦୨୫ ତାରିଖରେ ନନ୍ଦିଘୋର ଜବାହରଲାଲ ସରକାରୀ ହାଇସ୍କୁଲରେ ହୋଇଥିବା କ୍ଲଷ୍ଟର ସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଦେଖିବା ସମୟରେ ଅଭିଯୁକ୍ତ ବିରଞ୍ଚି ନାବାଳିକାକୁ ଅପହରଣ କରିନେଇଥିଲା। ଏନେଇ ନାବାଳିକାର ବାପା ଓଡ଼ଗାଁ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ୩୨୧/୨୫ ନମ୍ବର ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ତଦନ୍ତ କ୍ରମେ ଗତ ୨୪/୦୧/୨୦୨୬ ତାରିଖରେ ଓଡ଼ଗାଁ ପୋଲିସ ପାଇକବାଡ଼ ଅଞ୍ଚଳରେ ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କ ଘରୁ ନାବାଳିକାକୁ ଉଦ୍ଧାର କରି ଡାକ୍ତରୀ ମାଇନା ପରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ବୟାନ ରେକର୍ଡ କରାଇ ତାଙ୍କର ବାପାମାଆଙ୍କୁ ହସ୍ତାନ୍ତର କରିଥିଲା। ଶୁକ୍ରବାର ଅଭିଯୁକ୍ତ ପୁନର୍ବାର ନାବାଳିକା ପାଠ ପଢୁଥିବା ସ୍କୁଲରେ ପହଞ୍ଚି ଛୁଟି ପରେ ତାକୁ ଅପହରଣ କରିବାକୁ ଉଦ୍ୟମ କରିଥିବା ବେଳେ ଅଭିଭାବକମାନଙ୍କ ସଚେତନତା ଓ ତତ୍ପରତା ଯୋଗୁଁ ସେ ଧରାପଡ଼ିଥିଲା। ପରେ ତାକୁ ଓଡ଼ଗାଁ ପୋଲିସଙ୍କୁ ହସ୍ତାନ୍ତର କରାଯାଇଛି।

0
0
0
s2sdefault