ହେଡଲାଇନସ୍:

ପାଟଣାଗଡ଼ ଅଞ୍ଚଳରେ ଥମୁନି ମଦର କଳା ବଜାରୀ !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଖବର ପରେ ଖବର, ତଥାପି ନୀରବ ଦ୍ରଷ୍ଟା ପାଟଣାଗଡ଼ ଅବକାରୀ ବିଭାଗ

ବଲାଙ୍ଗିର/ପାଟଣାଗଡ଼,୦୬/୦୨:-ପାଟଣାଗଡ଼ ଅଞ୍ଚଳରେ ବେଆଇନ ମଦ କଳାବଜାରୀ ଏବେ ସାଧାରଣ ଘଟଣା ହୋଇଯାଇଛି। ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇଥିଲେ ମଧ୍ୟ, ପାଟଣାଗଡ଼ ଅବକାରୀ ବିଭାଗ ନୀରବ ଦ୍ରଷ୍ଟା ସାଜି ରହିଥିବା ଦୃଶ୍ୟ ଜନସାଧାରଣଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ସୃଷ୍ଟି କରିଛି। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ଘଷିଏନ ଠିପି ବନ୍ଦ ବିଦେଶୀ ମଦ ଦୋକାନକୁ କେନ୍ଦ୍ର କରି ଚାଲିଥିବା କଳା କାରନାମା ନେଇ ବାରମ୍ବାର ଖବର ପ୍ରସାରଣ ହୋଇଆସୁଛି। ତଥାପି ମଦ ମାଫିଆମାନେ ସୁଧୁରିବାର ନାମ ନେଉନାହାନ୍ତି। ଲାଇସେନ୍ସପ୍ରାପ୍ତ ଦୋକାନକୁ ଆଳ କରି ଖୁଲମଖୁଲା ଭାବେ ଗାଁ ଗାଁରେ ଥିବା ବେଆଇନ କୋଠିକୁ ମଦ ସପ୍ଲାଏ ହେଉଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଅଣ-ଓଡ଼ିଆ ଲୋକଙ୍କ ମାଧ୍ୟମରେ ଦିନ–ରାତି ଶହ ଶହ ଲିଟର ବିନା ବିଲରେ ବେଆଇନ ଭାବେ ମଦ ଚାଲାଣ ହେଉଥିବା ବେଳେ, ଗେରଡ଼ା ବଜାର ନିକଟରେ ଆମ ପ୍ରତିନିଧିଙ୍କ କ୍ୟାମେରାରେ ସମ୍ପୂର୍ଣ୍ଣ ଘଟଣା କଏଦ ହୋଇଛି। ବେଆଇନ ମଦ ଚାଲାଣକାରୀ ଅଣ ଓଡ଼ିଆ ଶ୍ରମିକ କହିଛନ୍ତି ଯେ—“ଲାଇସେନ୍ସ ଦୋକାନରେ ଟାର୍ଗେଟ ଅନୁଯାୟୀ ବିକ୍ରୟ ହେଉନଥିବାରୁ ବେଆଇନ କୋଠିକୁ ମଦ ସପ୍ଲାଏ କରାଯାଉଛି।” ସରକାରୀ ନିୟମ ଅନୁଯାୟୀ ଗାଁରେ ମଦ ବିକ୍ରୟ ପାଇଁ କୌଣସି ଅନୁମତି ନଥିବା ସତ୍ତ୍ୱେ ବାଘମୁଣ୍ଡ, ଗେରଡ଼ା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ କୁଠୀ ବ୍ୟବସାୟୀମାନେ ନିର୍ବାଧ ଭାବେ ଅବୈଧ ମଦ ବିକ୍ରୟ କରୁଛନ୍ତି। ଏହା ପୋଲିସ୍ ଓ ଅବକାରୀ ବିଭାଗର ନୀରବ ସମ୍ମତି ବିନା ସମ୍ଭବ ନୁହେଁ ବୋଲି ଲୋକେ କହୁଛନ୍ତି। ବିଶେଷ ସୂତ୍ର ଅନୁଯାୟୀ, ବେଆଇନ ଭାବେ ବିକ୍ରୟ ହେଉଥିବା ମଦର କୌଣସି ଗୁଣମାନ ଗ୍ୟାରେଣ୍ଟି ନାହିଁ। ନକଲି ମଦ ହେବାର ଭୟ ଥିବାରୁ ଏହା ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରୁଛି। ଆଗାମୀ ଦିନରେ ମଦମୃତ୍ୟୁ ଘଟିଲେ ତାହାର ସମ୍ପୂର୍ଣ୍ଣ ଦାୟିତ୍ୱ ମଦ ମାଫିଆ ସହ ପ୍ରଶାସନକୁ ମଧ୍ୟ ବହନ କରିବାକୁ ପଡ଼ିବ।
ବେଆଇନ ମଦ ବ୍ୟବସାୟ କେବଳ ସରକାରୀ ରାଜସ୍ୱକୁ କ୍ଷତି କରୁନାହିଁ, ଏହା ଗାଁର ଯୁବପିଢ଼ିକୁ ନଷ୍ଟ କରୁଛି, ସମାଜିକ ଶାନ୍ତି ଭଙ୍ଗ କରୁଛି ଓ ସ୍ୱାସ୍ଥ୍ୟକୁ ଗଭୀର ସଙ୍କଟରେ ପକାଇଦେଉଛି। ପାଟଣାଗଡ଼ ଅଞ୍ଚଳରେ ତୁରନ୍ତ ବେଆଇନ ମଦ ଚାଲାଣ ବନ୍ଦ କରିବା ପାଇଁ ପୋଲିସ୍ ଓ ଅବକାରୀ ବିଭାଗ ଦ୍ୱାରା କଠୋର କାର୍ଯ୍ୟାନୁଷ୍ଠାନ ଆବଶ୍ୟକ। ନହେଲେ, ଆଗାମୀ ଦିନରେ ମଦ ମାଫିଆଙ୍କ ରାଜ ଆହୁରି ବଳବତ୍ତର ହେବ—ଯାହାର ଦାୟୀ ସ୍ୱୟଂ ପ୍ରଶାସନ ହେବ ।

0
0
0
s2sdefault