ରାଜ୍ୟର ସବୁ ତହସିଲ୍ରେ ଖୋଲିଲାସବ୍-ରେଜିଷ୍ଟ୍ରେସନ୍ କାର୍ଯ୍ୟାଳୟ। ଆମ ସାଥୀ WhatsApp bot ବ୍ୟବସ୍ଥାର ଲୋକାର୍ପଣ,ଏଥିରେ ଗୁରୁତ୍ବପୂର୍ଣ୍ଣ ରାଜସ୍ବ ସେବା ଉପଲବ୍ଧ।
କେନ୍ଦୁଝର,ତା୫/୨- ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟର ୧୭ଟି ଜିଲ୍ଲାର ୫୬ଟି ତହସିଲ୍ରେ ୫୭ଟି ନୂଆ ସବ୍-ରେଜିଷ୍ଟ୍ରେସନ୍ କାର୍ଯ୍ୟାଳୟ ଉଦ୍ଘାଟନ କରିଛନ୍ତି। ଏହାଦ୍ବାରା ଆଜିଠାରୁ ରାଜ୍ୟର ସମସ୍ତ ୩୧୭ଟି ତହସିଲ୍ରେ ସବ୍-ରେଜିଷ୍ଟ୍ରେସନ୍ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜସ୍ବ ସେବା ପ୍ରଦାନ ପାଇଁ କାର୍ଯ୍ୟକ୍ଷମ ଥିବା WhatsApp Chat botରେ ଆଉ ୧୧ଟି ପ୍ରମୁଖ ରାଜସ୍ବ ସେବାକୁ ସାମିଲ୍ କରିଥିଲେ। ଏଣିକି ଜନସାଧାରଣ WhatsApp ନଂ-୯୪୩୭୨୯୨୦୦୦ ନମ୍ବର ଜରିଆରେ ମ୍ୟୁଟେସନ କେସ୍, କୃଷି ଜମି କିସମ ପରିବର୍ତ୍ତନ, ବାସିନ୍ଦା ପ୍ରମାଣ ପତ୍ର, ଜାତି ପ୍ରମାଣ ପତ୍ର, ଆୟ ପ୍ରମାଣ ପତ୍ର, ଜନଜାତି ପ୍ରମାଣ ପତ୍ର, ଓବିସି ପ୍ରମାଣପତ୍ର, ଏସ୍ଇବିସି ପ୍ରମାଣପତ୍ର, ଲିଗାଲ୍ ହେୟାର ପ୍ରମାଣପତ୍ର, ଇନ୍କମ୍ ଆଣ୍ଡ ଆସେଟ୍ ପ୍ରମାଣପତ୍ର, ଗାଡିଆନ୍ସିପ୍ ପ୍ରମାଣପତ୍ର ଭଳି ୧୧ଟି ଗୁରୁତ୍ବପୂର୍ଣ୍ଣ ସେବା WhatsApp ମାଧ୍ୟମରେ ଦରଖାସ୍ତ କରିପାରିବେ। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲାରେ ନୂତନ ଭାବେ ପାଞ୍ଚ ଗୋଟି ନୂତନ ଉପନିବନ୍ଧନ କାର୍ଯ୍ୟାଳୟ ପାଟଣା, ସାହାରପଡା, ଝୁମ୍ପୁରା, ବାଂଶପାଳ ଓ ହରିଚନ୍ଦନପୁରଠାରେ ଉଦଘାଟିତ ହୋଇଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଓସ୍ଵାନ ହଲଠାରେ ଜିଲ୍ଲାପାଳ ଶ୍ରୀ ବିଶାଲ ସିଂହ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନ, ଉପଜିଲ୍ଲାପାଳ ଉମାଶଙ୍କର ଦଳାଇ ଜିଲ୍ଲା ନିବନ୍ଧକ ଶ୍ରୀ ଗଜାନନ ପ୍ରଧାନ ଓ ଜିଲ୍ଲାର ସମସ୍ତ ତହସିଲଦାର ଓ ରାଜସ୍ଵ ଅଧିକାରୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସହ ଆଭାସୀ ମାଧ୍ୟମରେ ଯୋଡି ହୋଇଥିଲେ। ଏଥି ସହିତ ମାନ୍ୟବର ବିଧାୟକ ତେଲକୋଇ ଡ଼ ଫକିର ମୋହନ ନାଏକ ବାଂଶପାଳ ଠାରେ ନୂତନ ଭାବେ ଉଦଘାଟିତ ଉପନିବନ୍ଧକ କାର୍ଯ୍ୟାଳୟରେ ଉପସ୍ଥିତ ରହିଥିଲେ।








