ଜନଜାତି ଭାଷାରେ ପରିବେଷଣ ହେବ ପ୍ରଖ୍ୟାତ ନାଟ୍ୟକାର ସେକ୍ସପିଅରଙ୍କ ନାଟକ
ଓଡ଼ିଶାର ଜନଜାତି ଭାଷାରେ ପରିବେଷଣ ହେବ ପ୍ରଖ୍ୟାତ ନାଟ୍ୟକାର ସେକ୍ସପିଅରଙ୍କ ନାଟକ । ରୋମାନିଆରେ ଏହି ନାଟକ ପରିବେଷଣ କରିବେ କିସ୍ର ଛାତ୍ରଛାତ୍ରୀ । ଏଥିପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି । ଏଥିରେ ସାମିଲ ହୋଇଛନ୍ତି କିସ୍ର ୧୦ଜଣ ପିଏଚ୍ଡି, ସ୍ନାତକ, ସ୍ନାତକୋତ୍ତର ଓ ବିବିଏ ପଢ଼ୁଥିବା ଛାତ୍ରଛାତ୍ରୀ । ଆସନ୍ତା ମେ ମାସରେ ରୋମାନିଆର କ୍ରାୟୋଭା ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ସେକ୍ସପିଅର ମହୋତ୍ସବରେ ଏହି ଛାତ୍ରଛାତ୍ରୀମାନେ ଯୋଗଦେଇ ସେକ୍ସପିଅରଙ୍କ ନାଟକକୁ ଜନଜାତି ଭାଷାରେ ପରିବେଷଣ କରିବେ । ବିଶ୍ୱ ରଙ୍ଗମଞ୍ଚରେ କିସ୍ ଛାତ୍ରଛାତ୍ରୀ ସେମାନଙ୍କ ନିଜସ୍ୱ ଭାଷାରେ ୩ଟି ସେକ୍ସପିଅର ନାଟକ ପରିବେଷଣ କରିବେ । ଏହା କିସ୍, ଜନଜାତି ସମାଜ ଓ ସମଗ୍ର ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କୁହାଯାଉଛି । ଏବେ ଛାତ୍ରଛାତ୍ରୀମାନେ ନାଟକ ଅଭ୍ୟାସ ଆରମ୍ଭ କରିଛନ୍ତି । ଦୀର୍ଘ ଦୁଇମାସ ଧରି ସେମାନେ ରୋମାନିଆରେ ରହି ପୁନର୍ବାର ନାଟକ ଅଭ୍ୟାସ ଜାରି ରଖିବେ ଓ ପରିବେଷଣ କରିବେ । କୌଣସି ଶିକ୍ଷାନୁଷ୍ଠାନରୁ ଛାତ୍ରଛାତ୍ରୀ ସେକ୍ସପିଅରଙ୍କ ନାଟକ ଶିଖି ଅନ୍ତର୍ଜାତୀୟ ମଞ୍ଚରେ ଅଭିନୟ କରିବା ଭାରତରେ ପ୍ରଥମ ବୋଲି କୁହାଯାଉଛି । ଏଥିରେ ଖୁସିବ୍ୟକ୍ତ କରି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ସାମନ୍ତ କହିଛନ୍ତି, କିସ୍ ଛାତ୍ରଛାତ୍ରୀମାନେ ପୂର୍ବରୁ କ୍ରୀଡ଼ା ଓ ଶିକ୍ଷା ଆଦି କ୍ଷେତ୍ରରେ ଦେଶ ବିଦେଶ ଯାଇ ସୁନାମ ଆଣୁଥିଲେ । ଏବେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଅନ୍ତର୍ଜାତୀୟସ୍ତରରେ ସୁନାମ ଆଣିବେ । ଏହା ସମସ୍ତଙ୍କ ପାଇଁ ଖୁସିର ବିଷୟ ।








