କେନ୍ଦୁଝର,ତା୪/୨- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୋବିନ୍ଦପୁର ତରଫରୁ ପରିବେଶ , ବନ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଓଡ଼ିଶାଙ୍କ ସହଯୋଗରେ ଆର୍ଦ୍ରଭୂମି ସଂରକ୍ଷଣ ପାଇଁ ସଚେତନତା କାର୍ଯ୍ୟକ୍ରମ ଓ ଗୋବିନ୍ଦପୁର ପୁଷ୍କରିଣୀ ପରିଷ୍କାର ଓ ଚାରାଗଛ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ପୂର୍ବାହ୍ନରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଏକ ରାଲିରେ ଗ୍ରାମ ପରିଭ୍ରମଣ କରି ଜଳ ସଂରକ୍ଷଣ , ଜଳାଶୟର ପରିଷ୍କାର ପରିଚ୍ଛନ୍ନତା , ଚାରାଗଛ ରୋପଣ ସହ ପରିବେଶକୁ ସୁରକ୍ଷିତ ରଖିବା ନିମନ୍ତେ ସ୍ଲୋଗାନ ମାନ ଦେଇ ଜନ ସଚେତନତା ସୃଷ୍ଟି କରିଥିଲେ । ବିଦ୍ୟାଳୟର ଇକୋ କ୍ଳବର ଛାତ୍ରଛାତ୍ରୀ ମାନେ ଗୋବିନ୍ଦପୁର ପୁଷ୍କରିଣୀରେ ପହଞ୍ଚି ପୋଖରୀ ତୁଠ ସଫା କରିବା ସହ ଚାରା ଗଛ ରୋପଣ କରିଥିଲେ । ବିଦ୍ୟାଳୟ ତରଫରୁ ଆମ୍ବ , ଗୁଆ , ଅଁଳା ଆଦି ଚାରା ଗଛ ରୋପଣ କରିଥିଲେ। ମୁଖ୍ୟ ଅତିଥି ଭାବେ କେନ୍ଦୁଝର ସଦର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓଁକାର ଅନ୍ୱେଷ ଯୋଗ ଦେଇ ଚାରା ଗଛ ରୋପଣ କରିବା ସହ ସଫେଇ କାର୍ଯ୍ୟକ୍ରମରେ ନିଜେ ସାମିଲ ହୋଇ ଥିଲେ। ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କପିଳ ଚନ୍ଦ୍ର ଦାସ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଗୋଷ୍ଠୀ ସଦସ୍ୟ ଙ୍କ ସହଯୋଗକୁ ପ୍ରଶଂସା କରିଥିଲେ।
ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କୁନା ଚନ୍ଦ୍ର ଜେନା ଏହି କାର୍ଯ୍ୟକ୍ରମରେ ସାମିଲ ହେବା ସହ ଶପଥ ପାଠ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତିଳୋତ୍ତମା ସାହୁଙ୍କ ନେତୃତ୍ଵରେ ପୁଷ୍କରିଣୀ ତଟରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ସ୍ଲୋଗାନ ପ୍ରତିଯୋଗିତା ହୋଇଥିଲା। ବିଜୟୀ ପ୍ରତିଯୋଗୀମାନଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ। ବିଦ୍ୟାଳୟ ତରଫରୁ ପୋଖରୀ ତୁଠରେ ଆବର୍ଜନା କୁଣ୍ଡର ବ୍ୟବସ୍ଥା କରାଯାଇଥିଲା। ପରେ ବିଦ୍ୟାଳୟରେ ଆର୍ଦ୍ରଭୂମି ମିତ୍ର ଶପଥ ବିଦ୍ୟାଳୟର ଇକୋ କ୍ଳବ୍ ଶିକ୍ଷକ ବିଜୟ କୁମାର ମିଶ୍ରଙ୍କ ନେତୃତ୍ଵରେ ସମସ୍ତ ଅତିଥି , ଛାତ୍ରଛାତ୍ରୀ , ଶିକ୍ଷକ ଶିକ୍ଷୟିତ୍ରୀ , ଅଭିଭାବକ ଅଭିଭାବିକା ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ଏତାଦୃଶ୍ୟ କାର୍ଯ୍ୟକ୍ରମକୁ ଗ୍ରାମବାସୀମାନେ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ୱାର୍ଡ଼ ମେମ୍ବର ମନ୍ମୟ ଆନନ୍ଦ କୁମାର ଜେନା , ଶିକ୍ଷୟିତ୍ରୀ ସୁସ୍ମିତା ପ୍ରିୟମ୍ବଦା ରାଉତ , ରଞ୍ଜିତା ରାଣୀ ମଲ୍ଲିକ , ଶୁଭଶ୍ରୀ ରାଉତ ଓ ଶୁଭଶ୍ରୀ ମହାନ୍ତ ସହଯୋଗ କରିବା ସହ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।








