ସରକାରୀ ସ୍କୁଲରେ ଶିଶୁ ଶ୍ରମ ଅଭିଯୋଗ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ତରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ହୃଦୟବିଦାରକ ଦୃଶ୍ୟ

  • ଶିକ୍ଷକ ବେହେରା ବାବୁଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି

ବଲାଙ୍ଗିର, (ଶାସକ ପ୍ରଶାସକ) :-ବଲାଙ୍ଗିର ଜିଲ୍ଲା ବେଲପଡ଼ା ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ତରା ଗାଁ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅତ୍ୟନ୍ତ ଲଜ୍ଜାଜନକ ଓ ଆଇନ ଉଲ୍ଲଂଘନକାରୀ ଘଟଣା ସାମ୍ନାକୁ ଆସିଛି। ପାଠ ପଢ଼ିବା ବୟସରେ କୋମଳମତି ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାରୁ ବଞ୍ଚିତ କରି ଶ୍ରମ କାମରେ ନିୟୋଜିତ କରାଯାଇଥିବା ଦୃଶ୍ୟ ଅଭିଭାବକ ଓ ସାଧାରଣ ଲୋକଙ୍କୁ ମର୍ମାହତ କରିଛି।
ଅଭିଯୋଗ ଅନୁସାରେ, ଟାଇଁଟାଇଁ ଖରା ଦିନ ଦ୍ୱିପହର ୨ଟା ୪୦ ମିନିଟ୍ ସମୟରେ ତରା ଗାଁରୁ କପାଣିକୁ ଯାଉଥିବା ମୁଖ୍ୟ ରାସ୍ତା ସ୍କୁଲ ସାମ୍ନାରେ ଛାତ୍ରଛାତ୍ରୀମାନଙ୍କୁ ଚନା ବିଲରୁ ଅମରୀ କାଟି ଆଣି ବୃକ୍ଷଗୁଡ଼ିକୁ ବାଡ଼ ଦେବା ଭଳି ଶାରୀରିକ ଶ୍ରମ କରାଯାଇଥିଲା। ପାଠ ପଢ଼ାଇବା ପରିବର୍ତ୍ତେ ପିଲାମାନଙ୍କୁ ଏଭଳି ଶ୍ରମ କାମରେ ଲଗାଇବାକୁ ନେଇ ସ୍ଥାନୀୟ ଅଭିଭାବକ ଓ ସଚେତନ ନାଗରିକମାନେ ତୀବ୍ର ଅସନ୍ତୋଷ ଓ ହତାଶା ପ୍ରକାଶ କରିଛନ୍ତି।
ଅଭିଯୋଗରେ ଆହୁରି କୁହାଯାଉଛି ଯେ, ସରକାରୀ ସ୍କୁଲର କିଛି “ଆଦର୍ଶ ଶିକ୍ଷକ” ନିଜ ପୁଅଝିଅଙ୍କୁ ଇଂରାଜୀ ମାଧ୍ୟମରେ ପଢ଼ାଇ ଭବିଷ୍ୟତ ଉଜ୍ଜ୍ୱଳ କରୁଥିବା ବେଳେ, ଗରିବ ଓ ଅସହାୟ ପରିବାରର ପିଲାମାନଙ୍କୁ ସରକାରୀ ସ୍କୁଲରେ ଶ୍ରମିକ ଭଳି ବ୍ୟବହାର କରୁଛନ୍ତି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଭାବେ ଶିକ୍ଷକ ବେହେରା ବାବୁଙ୍କ ନାମ ସାମ୍ନାକୁ ଆସିଛି। ଏହି କାର୍ଯ୍ୟ ମୁଖ୍ୟ ରାସ୍ତା ଉପରେ ହୋଇଥିବାରୁ ସଡ଼କ ଦୁର୍ଘଟଣା ଘଟିବାର ସମ୍ଭାବନା। ସେହିପରି ଚନା ବିଲରୁ ଅମରୀ କାଟିବା ସମୟରେ ବିଷାକ୍ତ କୀଟ, ବିଛା କିମ୍ବା ସାପ କାମୁଡ଼ିବାରୁ ଜୀବନହାନି ହେବାର ଆଶଙ୍କା ମଧ୍ୟ ଥିଲା ବୋଲି ଅଭିଭାବକମାନେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି।
ଏହି ଘଟଣା ଶିଶୁ ଶ୍ରମ (ନିଷେଧ ଓ ନିୟମନ) ଆଇନ, ଶିଶୁ ଅଧିକାର ସୁରକ୍ଷା ଆଇନ ଓ ଶିକ୍ଷା ଅଧିକାର ଆଇନ (RTE Act) ର ସମ୍ପୂର୍ଣ୍ଣ ଉଲ୍ଲଂଘନ ବୋଲି ଅଭିଭାବକ ଓ ସଚେତନ ନାଗରିକମାନେ ମତ ପ୍ରକାଶ କରିଛନ୍ତି। ଦୋଷୀ ଶିକ୍ଷକଙ୍କ ବିରୋଧରେ ତୁରନ୍ତ ବିଭାଗୀୟ ତଦନ୍ତ, ନିଲମ୍ବନ ଏବଂ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଜୋରଦାର ଦାବି ହେଉଛି।

0
0
0
s2sdefault