ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ ଓ ଆଲୋଚନା ଚକ୍ର – ବିଭିନ୍ନ ସାହିତ୍ୟିକ ସମ୍ମାନ ପ୍ରଦାନ,

ଓଡ଼ଗାଁ, ୨୮।୧(ଶ୍ରୀକାନ୍ତ କୁମାର ମିଶ୍ର): ଓଡିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର ଓ ସଦାନନ୍ଦ ସାହିତ୍ୟ ପରିଷଦ, ଶରଣକୁଳର ମିଳିତ ଆନୁକୂଲ୍ୟରେ ରୀତିଯୁଗୀୟ ମହାନ କବି କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମାଙ୍କ ୨୮୮ତମ ଜୟନ୍ତୀ ଉତ୍ସବ ତାଙ୍କ ଜନ୍ମମାଟି ଭିକାରୀପଡା ସ୍ଥିତ କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ପବ୍ଲିକ ସ୍କୁଲ ପରିସରରେ ବୁଧବାର ପାଳିତ ହୋଇଯାଇଛି। ଏହି ଅବସରରେ ଏକ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ସାହିତ୍ୟ ପରିଷଦର କାର୍ଯ୍ୟକାରୀ ସଭାପତି କିଶୋର ଚନ୍ଦ୍ର କରଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଓଡିଶା ବିଧାନସଭାର ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ବରିଷ୍ଠ କବି ଓ ସାହିତ୍ୟ ଗବେଷକ, ରାଜଭାଷା ପରିଷଦ ଅଧ୍ୟକ୍ଷ ତଥା ରାଜଭବନ ଅନୁବାଦକ ଡ଼. ନାରାୟଣ ମୁଦୁଲି, କୈବଲ୍ୟ ସାହିତ୍ୟ ସଂସଦ ପ୍ରତିଷ୍ଠାତା ଡ଼. ସଂଗ୍ରାମ କେଶରୀ ସାମନ୍ତରାୟ, ଅଧ୍ୟାପିକା ମନୋଜିନି ଦଳବେହେରା, ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଓଡିଶା ରାଜ୍ୟ ପାଲା ଗାୟକ ସଂଘର ସଂଗଠନ ସମ୍ପାଦକ କଳାନିଧି ପଣ୍ଡିତ ମନୋଜ କୁମାର ମିଶ୍ର ପ୍ରମୁଖ ଯୋଗଦେଇ କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମାଙ୍କ ବାଲ୍ୟଜୀବନ, ସାହିତ୍ୟ ଦର୍ଶନ ଓ କାବ୍ୟକୃତି ଉପରେ ଗଭୀର ଭାବେ ଆଲୋଚନା କରିଥିଲେ। ଏହି ଅବସରରେ କଳା, ସାହିତ୍ୟ, ସଂସ୍କୃତି ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯାଇଥିଲା।
ଗଦାଧର ଦାଶଙ୍କୁ “କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସାହିତ୍ୟ ସମ୍ମାନ”, ମୀନକେତନ ଷଡ଼ଙ୍ଗୀଙ୍କୁ “ସାହିତ୍ୟ ପ୍ରତିଭା ସମ୍ମାନ”, ଦେବରାଜ ପ୍ରଧାନଙ୍କୁ “ସଦାନନ୍ଦ ବ୍ରହ୍ମା ସ୍ମୃତି ସମ୍ମାନ”, କାଶୀନାଥ ଦାସଙ୍କୁ “ଶିଶୁ ସାହିତ୍ୟ ସମ୍ମାନ”, ପ୍ରତାପ କୁମାର ସାହୁଙ୍କୁ “ବ୍ୟଙ୍ଗ ସାହିତ୍ୟ ସମ୍ମାନ”, ଅରୁଣ କୁମାର ମହାଖୁଡ଼ ଓ ବଂଶୀଧରଙ୍କୁ “ସାହିତ୍ୟ ପ୍ରତିଭା ସମ୍ମାନ”, ପ୍ରାଣ କୃଷ୍ଣ ମହାରଣାଙ୍କୁ “ସଙ୍ଗୀତ ସମ୍ମାନ” ଏବଂ ସଞ୍ଜୟ କୁମାର ସାହୁଙ୍କୁ “ସେବା ସମ୍ମାନ” ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ସମ୍ପାଦକ ପ୍ରଶାନ୍ତ କୁମାର ଦାଶ ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅଧ୍ୟାପିକା ନିଳିମା ନନ୍ଦ, ଗାଳ୍ପିକ ଗୋପୀନାଥ ସେଠି, ବଂଶୀଧର ମହାପାତ୍ର ଓ ନୀଳମାଧବ ମିଶ୍ରଙ୍କ ମିଳିତ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ଶତାଧିକ କବି ସ୍ଵରଚିତ କବିତା ପାଠ କରି ସଭାକୁ ମନୋହର କରିଥିଲେ। ଏହି ଅବସରରେ ବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ କବିତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଶେଷରେ କବି କୁସୁମ ନିରାକାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।








