ଡେରାବିଶ ବନାଞ୍ଚଳ ଅଧିକାରୀ ସୁକାନ୍ତ ବେହେରାଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ।
କେନ୍ଦ୍ରାପଡ଼ା:୨୮,୦୧(ପ୍ରଫୁଲ୍ଲ କୁମାର ମଲ୍ଲ)କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବନାଞ୍ଚଳରେ ଏବେ ଖୁଲମଖୁଲା ଭାବରେ ଜଙ୍ଗଲ ଲୁଟ୍ ଚାଲିଥିବା ଅଭିଯୋଗ ଆସିଛି। ମୂଲ୍ୟବାନ ଗଛ କାଟି ଜଙ୍ଗଲରୁ କାଠ ଚୋରାଚାଲାଣ କରୁଛନ୍ତି କାଠ ମାଫିଆ । ହେଲେ ଏହାକୁ ରୋକିବାକୁ ଥିବା ଦାୟିତ୍ୱଶୀଳ ବନ ଅଧିକାରୀ ଜଣେ ଦୀର୍ଘ ସମୟ ଧରି ନିଖୋଜ ଅବସ୍ଥାରେ ଥିବା ଅଭିଯୋଗ ହେଉଛି। ଡେରାବିଶ ବନାଞ୍ଚଳ ଅଧିକାରୀ ସୁକାନ୍ତ ବେହେରାଙ୍କ ବିରୁଦ୍ଧରେ ଉଠିଛି ଗୁରୁତର ଅଭିଯୋଗ। ଅନେକ ମାସ ଧରି ସେ ନିୟମିତ କାର୍ଯ୍ୟାଳୟ ଆସୁନଥିବା ବେଳେ ଜଙ୍ଗଲ ଉପରେ ନଜରଦାରି ସଂପୂର୍ଣ୍ଣ ଭାବେ ଢିଲା ପଡ଼ିଛି। ଏହି ସୁଯୋଗକୁ ନେଇ କାଠ ମାଫିଆ ମାନେ ରାତିରେ ମୂଲ୍ୟବାନ ଗଛ କାଟି ଜଙ୍ଗଲ ସଫା କରି ନେଉଥିବା ଅଭିଯୋଗ ହେଉଛି। ଗୋଟିଏ ପଟେ ସରକାର କୋଟି କୋଟି ଟଙ୍କା ବ୍ୟୟ କରି ଜଙ୍ଗଲ ସୃଷ୍ଟି, ବୃକ୍ଷରୋପଣ ଓ ପରିବେଶ ସୁରକ୍ଷାର କଥା କହୁଥିବା ବେଳେ ଅନ୍ୟ ପଟେ ଏପରି ଦାୟିତ୍ୱହୀନ ଅଧିକାରୀଙ୍କ ଅବହେଳା ପାଇଁ ଜଙ୍ଗଲ ଧ୍ୱଂସ ହେଉଥିବା ଦେଖିବାକୁ ମିଳୁଛି।ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ କେହି ନିଜ ଝିଅର ବାହାଘର ପାଇଁ ବାଡ଼ିରେ ଥିବା ଗଛ କାଟିବାକୁ ଆଇନଗତ ଅନୁମତି ଚାହିଁଲେ ମାସେ ମାସେ କାର୍ଯ୍ୟାଳୟ ଘୁରିବାକୁ ପଡୁଛି। କିନ୍ତୁ ଅଧିକାରୀ ମିଳୁନାହାନ୍ତି । ଫାଇଲ ଆଗକୁ ବଢୁନାହିଁ। ହେଲେ ଏହି ସମୟରେ କାଠ ମାଫିଆଙ୍କ ପାଇଁ କୌଣସି ନିୟମ ଲାଗୁ ହେଉନାହିଁ ।ସେମାନେ ନିର୍ବିଘ୍ନରେ ଜଙ୍ଗଲ ଲୁଟି ନେଉଛନ୍ତି।
ଅଭିଯୋଗ ଆହୁରି ଗୁରୁତର ହେଉଛି ଯେ, ବନ ଅଧିକାରୀ ସୁକାନ୍ତ ବେହେରାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କଲେ ତାଙ୍କ ଫୋନ ଲାଗୁନାହିଁ। କାର୍ଯ୍ୟାଳୟକୁ ଗଲେ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି। ତେବେ ପ୍ରଶ୍ନ ଉଠୁଛି—ଲୋକଙ୍କ ଟିକସ ଟଙ୍କାରେ ଦରମା ନେଇ ଏଭଳି ଭାବେ କାର୍ଯ୍ୟାଳୟକୁ ଅନୁପସ୍ଥିତ ରହିବାର ଅନୁମତି କିଏ ଦେଇଛି ।କାହା ଛତ୍ରଛାୟା ତଳେ ଏହି ବନ ଅଧିକାରୀ? । ତାଙ୍କ ମୁଣ୍ଡ ଉପରେ କି କୌଣସି ବଡ଼ ବାବୁଙ୍କ ହାତ ରହିଛି? ନା କାଠ ମାଫିଆଙ୍କ ସହ କିଛି ଭିତରିଆ ସମ୍ପର୍କ ଥିବାରୁ ସେମାନେ ଏତେ ସୁବିଧା ପାଉଛନ୍ତି ଏହା ଏବେ ସାଧାରଣ ଲୋକଙ୍କ ମନରେ ବଡ଼ ପ୍ରଶ୍ନ। ରାଜ୍ୟର ବିଭିନ୍ନ ସ୍ଥାନରେ ବନ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହେଉଥିବା ଖବର ଆସୁଥିବା ବେଳେ ଡେରାବିଶର ଏହି ବନ ଅଧିକାରୀଙ୍କ ପ୍ରତି କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ ।ସେଥିରେ ମଧ୍ୟ ସନ୍ଦେହ ଘନାଉଛି।
ଏହି ସମ୍ପର୍କରେ ବନ ଅଧିକାରୀ ସୁକାନ୍ତ ବେହେରାଙ୍କ ପ୍ରତିକ୍ରିୟା ନେବାକୁ ଆମେ ବାରମ୍ବାର ଚେଷ୍ଟା କରିଥିଲୁ। କିନ୍ତୁ ତାଙ୍କ କାର୍ଯ୍ୟାଳୟରେ ତାଲା ଝୁଲୁଥିବା ବେଳେ ତାଙ୍କ ମୋବାଇଲ ଫୋନ ଲାଗି ନଥିବାରୁ ପ୍ରତିକ୍ରିୟା ମିଳିପାରିନାହିଁ। ତେବେ ଏହି ଖବର ପ୍ରସାରଣ ପରେ ବନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନେ ଏଭଳି ଅବହେଳାକାରୀ ଅଧିକାରୀଙ୍କ ପ୍ରତି କେମିତି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ।ସେଥିପ୍ରତି ସମସ୍ତଙ୍କ ନଜର ରହଛି ।








