-
ଦେଦର୍ହ ଗାଁରେ କୁଆକ୍ ଡାକ୍ତରଙ୍କ ବେଆଇନ୍ କ୍ଲିନିକ୍ ଖୋଲାସା
-
ଅସାଧ୍ୟ ରୋଗ ଠିକ କରିଦେବା ନାମରେ ଗରିବ, ଅଶିକ୍ଷିତ ଲୋକଙ୍କୁ ଲୁଟ୍
ବଲାଙ୍ଗିର / ଖପ୍ରାଖୋଲ (ଶାସକ ପ୍ରଶାସକ )୨୮/୦୧:- ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟ ଚିକିତ୍ସାଧିନ ଦେଦର୍ହ ଗାଁରେ ଦୀର୍ଘଦିନ ଧରି ଚାଲିଥିବା ଜଣେ କୁଆକ୍ ଡାକ୍ତରଙ୍କ ବେଆଇନ୍ କ୍ଲିନିକ୍ରେ ଖୁଲମଖୁଲା ଭୁଲ ଚିକିତ୍ସା ଚାଲିଥିବା ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ଏହି ବେଆଇନ୍ କ୍ଲିନିକ୍ରେ ବାତ, ଟାଇପ୍–୧ ଡାୟବେଟିସ୍, ସୋରିଆସିସ୍, ହିମୋଫିଲିଆ, କ୍ୟାନ୍ସର୍, ଦୀର୍ଘକାଳୀନ ହେପାଟାଇଟିସ୍–ବି, କିଡନୀ ଫେଲ ଓ ଲିଭର ଫେଲ ଭଳି ଅସାଧ୍ୟ ରୋଗ ଠିକ କରି ଦେବା ଦାବି କରି ମାସମାସ, ବର୍ଷବର୍ଷ ଧରି ଗାଁର ଗରିବ ଓ ଅଶିକ୍ଷିତ ଲୋକଙ୍କୁ ମୋଟା ଅଙ୍କର ଟଙ୍କା ଲୁଟାଯାଉଥିବା ଅଭିଯୋଗ ହେଉଛି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, “ଡାକ୍ତର ମେହେର ବାବୁ” ନାମରେ ପରିଚିତ ଜଣେ ବ୍ୟକ୍ତି କୌଣସି ମାନ୍ୟତାପ୍ରାପ୍ତ ଚିକିତ୍ସା ଡିଗ୍ରୀ, ଡାକ୍ତରୀ ନିବନ୍ଧନ କିମ୍ବା ସରକାରୀ ଅନୁମତି ବିନା ଦୀର୍ଘ ସମୟ ଧରି ବେଆଇନ୍ ଭାବରେ କ୍ଲିନିକ୍ ଚଲାଇଆସୁଥିଲେ। ଅଭିଯୋଗ ଅନୁଯାୟୀ, ସେ ଗର୍ଭବତୀ ମହିଳାଙ୍କୁ ମଧ୍ୟ ନିର୍ବିକାର ଭାବେ ଇଞ୍ଜେକ୍ସନ୍ ଓ ଔଷଧ ଦେଇ ଚିକିତ୍ସା କରୁଥିଲେ, ଯାହା ସର୍ବଥା ବେଆଇନ୍ ଓ ଜୀବନଘାତୀ।
ଗତ ସୋମବାର ଦିନ ଜଣେ ମହିଳା ଚର୍ମରୋଗ ଚିକିତ୍ସା ପାଇଁ ଏହି କୁଆକ୍ ଡାକ୍ତରଙ୍କ କ୍ଲିନିକ୍କୁ ଯାଇଥିବା ବେଳେ, ଡାକ୍ତରୀ ଯୋଗ୍ୟତା ନଥିବା ସତ୍ତ୍ୱେ ତାଙ୍କୁ କିଛି ଇଞ୍ଜେକ୍ସନ୍ ଓ ଔଷଧ ପ୍ରୟୋଗ କରାଯାଇଥିଲା। ତାହା ପରେ ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇ ଦେହ ସାରା ନାଲି ନାଲି ଫୋଡ଼କା ହୋଇଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ କେନ୍ଦ୍ର କରି ପୀଡ଼ିତାଙ୍କ ପରିବାର ମଧ୍ୟରେ ଭାରି ଆକ୍ରୋଶ ଓ ଉତ୍ତେଜନା ଦେଖାଦେଇଛି। ଏପରି କ୍ଵାକ ଡାକ୍ତରଙ୍କ ଭୁଲ ଚିକିତ୍ସାରେ କେତେ ଲୋକ ମୃତ୍ୟୁର ସମ୍ମୁଖୀନ ହେଉଛନ୍ତି ତାହା କହିଲେ ନ ସରେ। ଖବରକାଗଜ ଓ ଇଲେକ୍ଟ୍ରୋନିକ ମେଡିଆରେ ବାରମ୍ବାର ଏପରି ଖବର ପ୍ରକାଶିତ ହେଉଥିଲେ ମଧ୍ୟ କ୍ଵାକ ବାବୁ ମାନଙ୍କର କାହାରିକୁ ଖାତିର ନାହିଁ। କାହା ଛତ୍ରଛାୟାରେ ରହି ଏହି କ୍ଵାକ ବାବୁ ବେଆଇନ କ୍ଲିନିକ ଖୋଲି ଧୁରନ୍ଧର ଡାକ୍ତର ସାଜିଛନ୍ତି ତାହା ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି?
ଏହି ମାମଲାରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ ଦାଖଲ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ, ଅଭିଯୁକ୍ତ କୁଆକ୍ ଡାକ୍ତରଙ୍କ ବିରୋଧରେ ଅନଧିକୃତ ଭାବେ ଚିକିତ୍ସା ବ୍ୟବସାୟ ଚଲାଇବା, ଠକେଇ ଓ ଜୀବନଘାତୀ ଭୁଲ ଚିକିତ୍ସା ଦଫାରେ ମାମଲା ରୁଜୁ କରିବାକୁ ଦାବି ହେଉଛି।
ସେଥିସହ ଉକ୍ତ ବେଆଇନ୍ କ୍ଲିନିକ୍କୁ ତୁରନ୍ତ ସିଲ୍ କରିବା, ଓ ସମଗ୍ର ବଲାଙ୍ଗୀର ଜିଲ୍ଲାରେ ଚାଲୁଥିବା ସମସ୍ତ କୁଆକ୍ କ୍ଲିନିକ୍ର ଉପରେ କଡ଼ା ତଦନ୍ତ କରିବାକୁ ଜନସାଧାରଣ ଜୋରଦାର ଦାବି କରିଛନ୍ତି।








