ହେଡଲାଇନସ୍:

ଜଗତସିଂହପୁର ଠାରେ ୭୭ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଜଗତସିଂହପୁର,ତା୨୬.୦୧.୨୦୨୬/ସୁମନ୍ତ କୁମାର ଦାସ:ଆଜି ପୂର୍ବାହ୍ନ ରେ ଜଗତସିଂହପୁର ଜିଲ୍ଲା ସଦର ମହକୁମା ର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ଠାରେ ୭୭ ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଅଛି ।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମାନନୀୟ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ମହୋଦୟ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିଥିଲେ। ସାଧାରଣତନ୍ତ୍ର ଦିବସରେ ସମସ୍ତ ଜିଲ୍ଲାବାସୀ ଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟ ଅତିଥି କହିଲେ ଯେ, ଆଜି ସବୁ ଭାରତୀୟ ଙ୍କ ପାଇଁ ଏକ ଗୌରବ ର ଦିବସ । ଦେଶର ସ୍ୱାଧୀନତାପ୍ରାପ୍ତି ପରେ ଯେଉଁ ମହାନ ଉପଲବ୍ଧି ଆମେ ହାସଲ କରିଥିଲୁ ତାହା ହେଲା ଦେଶକୁ ଗଣତନ୍ତ୍ର ରାଷ୍ଟ୍ର ଭାବେ ଗଢ଼ିତୋଳିବା ଓ ଆଜି ଆମେ ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ଗୌରବ ଅର୍ଜ୍ଜନ କରିପାରିଛୁ ।ସେଥିପାଇଁ ୨୬ ଜାନୁୟାରୀ ୧୯୫୦ ମସିହା ଆମପାଇଁ ସ୍ମରଣୀୟ ଦିବସ। ଗଣତନ୍ତ୍ରର ଆତ୍ମା ହେଉଛି ସମ୍ବିଧାନ ଏବଂ ସମ୍ବିଧାନରେ ପ୍ରତିଟି ନାଗରିକ ହେଉଛି ସର୍ବୋପରି ।ଏପରି ଏକ ଧର୍ମ ନିରପେକ୍ଷ, ସାର୍ବଭୌମ, ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରାଷ୍ଟ୍ର ଗଠନ ନିମନ୍ତେ ମୁଖ୍ୟ ଅତିଥି ଜାତିର ପିତା ମହାତ୍ମାଗାନ୍ଧୀ, ପଣ୍ଡିତ ଜବାହରଲାଲ ନେହେରୁ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ସୁଭାଷ ଚନ୍ଦ୍ର ବୋଷ,ଡ. ଭୀମରାଓ ଆମ୍ବେଦକର, ଗୋପବନ୍ଧୁ ଦାସ, ବୀର ସୁରେନ୍ଦ୍ର ସାଏ, ବିଜୁ ପଟ୍ଟନାୟକ ଙ୍କ ଠାରୁ ଆରମ୍ଭ କରି ଜଗତସିଂହପୁରର ବରପୁତ୍ର ଗୋପବନ୍ଧୁ ଚୌଧୁରୀ, ମା’ ରମାଦେବୀ, ସରଳାଦେବୀ, ମାଳତୀ ଚୌଧୁରୀ, ପ୍ରାଣକୃଷ୍ଣ ପଢ଼ିହାରୀ, ଅନ୍ନପୂର୍ଣ୍ଣା ମହାରଣା, ନବକୃଷ୍ଣ ଚୌଧୁରୀ, ଭାଗୀରଥି ମହାପାତ୍ର, ନିତ୍ୟାନନ୍ଦ କାନୁନ୍‌ଗୋ, ଜାତୀୟ କବି ବୀରକିଶୋର ଦାସ ପ୍ରଭୃତି ସଂଗ୍ରାମୀଗଣ ଙ୍କ ଉଦ୍ଦେଶ୍ଯରେ ନିଜର ସମ୍ମାନ ଜଣାଇଥିଲେ।
ରାଜନୈତିକ ସ୍ୱାଧୀନତା, ସାମାଜିକ ନ୍ୟାୟ, ଗଣତାନ୍ତ୍ରିକ ମୂଲ୍ୟବୋଧ, ଧର୍ମ ନିରପେକ୍ଷତା, ବୈଷମ୍ୟ ମୁକ୍ତ ସମାଜ ପ୍ରତିଷ୍ଠା ଓ ମାନବାଧିକାର ପ୍ରତି ସମ୍ମାନ ପ୍ରଦର୍ଶନ ଆମ ସମ୍ବିଧାନର ବିଶେଷତ୍ୱ ।

ପରିଶେଷରେ ସ୍ୱାଭିମାନ ଓ ସଂକଳ୍ପର ସାଧାରଣତନ୍ତ୍ର ଦିବସ ରେ ଦେଶର ପ୍ରତ୍ୟେକ ନାଗରିକ ରାଷ୍ଟ୍ରର ସାର୍ବଭୌମତ୍ୱ,ସଂହତି ଓ ଜାତୀୟ ସମ୍ମାନକୁ ଅକ୍ଷୁଣ୍ଣ ରଖିବା ନିମନ୍ତେ ସଙ୍କଳ୍ପବଦ୍ଧ ହେବାପାଇଁ ସେ ଆହ୍ଵାନ ଦେଇଥିଲେ।

ଆଜି ଦିବସ ର ପ୍ରାରମ୍ଭ ରେ ମୁଖ୍ୟ ଅତିଥି ସହର ରେ ଅବସ୍ଥିତ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ । ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଙ୍କିତ କୁମାର ବର୍ମା ମୁଖ୍ୟ ଅତିଥି ଙ୍କୁ ପତାକା ସ୍ତମ୍ଭ ନିକଟକୁ ପାଛୋଟି ଆଣିଥିଲେ। ସମ୍ମିଳିତ ପ୍ୟାରେଡ ରେ ରିଜର୍ଭ ଇନ୍ସପେକ୍ଟର ଶ୍ରୀ ଉମାକାନ୍ତ ବେହେରା ଙ୍କ ନେତୃତ୍ଵରେ ୨୫ଟି ଦଳ ଭାଗ ନେଇଥିଲେ ଓ ସେମାନଙ୍କ ମଧ୍ୟରୁ ୟୁନିଫର୍ମରେ ଏସ୍ କେ ଏକାଡେମୀ ଏୟାର ୱିଙ୍ଗସ୍, ସିନିୟର ସିଭିଲିଆନରେ ଡ୍ରିମ୍ ଇଣ୍ଡିଆ ସ୍କୁଲ, ଜଗତସିଂହପୁର ଓ ଜୁନିଅର ସିଭିଲିଆନରେ ମା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଖେରସ ପ୍ରଥମ ସ୍ଥାନ ଅଧିକାର କରି ମୁଖ୍ୟ ଅତିଥି ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ। ଜିଲ୍ଲା ସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା, ଦେଶାତ୍ମବୋଧକ ସଙ୍ଗୀତ ଓ ଜଣା ଅଜଣା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଓ ବୈଷୟିକ ଶିକ୍ଷା ରେ ଜିଲ୍ଲା ରେ ସର୍ବୋଚ୍ଚ ନମ୍ବର ରଖିଥିବା ସରକାରୀ ଶିଳ୍ପ ତାଲିମ କେନ୍ଦ୍ର, ପାରାଦୀପ ର ଛାତ୍ରୀ ସୁଶ୍ରୀ ରାଜନନ୍ଦିନୀ ଙ୍କୁ ମୁଖ୍ୟ ଅତିଥି ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏତଦ୍ ବ୍ୟତୀତ ଜାତୀୟ ଓ ଆନ୍ତର୍ଜାତୀୟ କ୍ରୀଡା ସ୍ତରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ଜଗତସିଂହପୁର ଜିଲ୍ଲାର ୨ ଦିବ୍ୟାଙ୍ଗ କ୍ରୀଡାବିତ୍ ଲୋମା ସ୍ଵାଇଁ, ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ ଏବଂ ଅନ୍ୟ ଜଣେ ଶୁଭ୍ରଜିତ୍ ଜେନାଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ। ପରେପରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଓ ମୁଖ୍ୟ ଅତିଥି ସାଂସ୍କୃତିକ ଦଳଗୁଡ଼ିକୁ ପ୍ରମାଣପତ୍ର ତଥା ଅର୍ଥରାଶି ସହ ପୁରସ୍କୃତ କରିଥିଲେ। ବିଭନ୍ନ ବିଭାଗ ପକ୍ଷରୁ ପ୍ରଦର୍ଶିତ ହେବାକୁ ଆସିଥିବା ପ୍ରଜ୍ଞାପନ ମେଢ଼ ମାନଙ୍କ ମଧ୍ୟରୁ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଆଧାର ରେ ଜଗତସିଂହପୁର ପୌର ପରିଷଦର ପ୍ରଜ୍ଞାପନ ମେଢ଼କୁ ଶ୍ରେଷ୍ଠ ବିବେଚିତ କରି ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଜିଲ୍ଲା ର ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ପାଇଁ ସ୍ବତନ୍ତ୍ର ଫଟୋଚିତ୍ର ଷ୍ଟଲ୍ ରେ ମୁଖ୍ୟ ଅତିଥି ପୁଷ୍ପର୍ମାଲ୍ୟ ଅର୍ପଣ ପୂର୍ବକ ଆତ୍ମନିର୍ଭର ସ୍ୱଦେଶୀ ଥିମ୍ ସେଲଫି ଜୋନ ରେ ଫୋଟୋ ଉଠାଇଥିଲେ । ପ୍ୟାରେଡ୍ ପରେ ମୁଖ୍ୟ ଅତିଥି ଷ୍ଟାଡିୟମ ପରିସରରେ ବୃକ୍ଷରୋପଣ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମାନଙ୍କୁ ଓ ଆଳିପିଙ୍ଗଳ ଜେଲ ର ଅନ୍ତେବାସୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ। ପ୍ରତ୍ୟୁଷରୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ରାମଧୂନ ସହରରେ ପରିବେଷଣ କରାଯାଇଥିଲା। ସନ୍ଧ୍ୟାରେ ଆଦି କବି ସାରଳା ଦାସ ସଂସ୍କୃତି ଭବନ ଠାରେ ବିଭିନ୍ନ କଳା ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରଯାଇଥିଲା।ଏହି ସମାରୋହରେ ଜିଲ୍ଲା ପରିଷଦ ର ସଭାପତି ଶ୍ରୀ ମନୋଜ କୁମାର ଭୋଇ, ଜଗତସିଂହପୁର ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ, ଅତିରିକ୍ତ ଜିଲ୍ଲାପାଳ(ପାରାଦ୍ଵୀପ) ଶ୍ରୀ ନିରଞ୍ଜନ ବେହେରା,ଜିଲ୍ଲା ପରିଷଦ ର ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବିନାରାୟଣ ଜେଠୀ, ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ, ଜିଲ୍ଲାସ୍ତରୀୟ ଅଧିକାରୀ, ପୌର ପରିଷଦର ପାରିଷଦବୃନ୍ଦ, ସହରର ବୁଦ୍ଧିଜୀବୀ, ଆଇନଜୀବି, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀ, ଗଣମାଧ୍ୟମ ପ୍ରତିନିଧି ଏବଂ ବହୁସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ଙ୍କ ତତ୍ତ୍ଵାବଧାନରେ ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର କର୍ମଚାରୀ ଶ୍ରୀ ଦିବାକର ପାତ୍ର, ଶ୍ରୀ ଦୁର୍ଯ୍ୟୋଧନ ପରିଡ଼ା, ଶୁଭଜିତା ପୃଷ୍ଟି , ଶ୍ରୀ ପରୀକ୍ଷିତ ପଟ୍ଟନାୟକ, ଶ୍ରୀ ଚିନ୍ମୟ ସ୍ଵାଇଁ ଓ ଅଭିଷେକ ଗୁରୁ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀ ସୁଭାଷ ଚନ୍ଦ୍ର ରାଉତ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।

0
0
0
s2sdefault