ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ଉତ୍ସବ ସ୍ଥାନୀୟ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂଶାସିତ ମହାବିଦ୍ୟାଳୟ ଖେଳ ପଡିଆ ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି।
ଏହି ଜାତୀୟ ଉତ୍ସବରେ ମାନ୍ୟବର ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନିଲ ଅଗ୍ରୱାଲ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଶାନ୍ତି , ମୈତ୍ରୀ , ସମୃଦ୍ଧି ଓ ସ୍ୱାଭିମାନର ପ୍ରତୀକ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ପ୍ୟାରେଡ ରେ ଅବିଭାଦନ ଗ୍ରହଣ କରିଥିଲେ। ତାଙ୍କ ଅଭିଭାଷଣରେ କହିଥିଲେ ଯେ ଆମ ସମ୍ବିଧାନ ବିଶ୍ଵର ସର୍ବ ବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ଏବଂ ଭାରତକୁ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ର ରୂପେ ଘୋଷଣା କରାଯିବା ସହିତ ଦେଶର ସମସ୍ତ ନାଗରିକମାନଙ୍କୁ ସାମାଜିକ , ଅର୍ଥନୈତିକ ଏବଂ ରାଜନୈତିକ ସମାନତା ଦିଗରେ ସମସ୍ତ ଜନସାଧାରଣଙ୍କୁ ସୁଯୋଗ ଯୋଗାଇଦେବା ନିମନ୍ତେ ଆମ ସାମ୍ବିଧାନରେ ବ୍ୟବସ୍ଥା ରହିଥିବା କଥା ଉଲ୍ଲେଖ କରିଥିଲେ ।
ସେହିପରି ରାଜ୍ୟସରକାରଙ୍କ ବିଭିନ୍ନ ଜନ ମଙ୍ଗଳକାରି ଯୋଜନାର ସଫଳ ରୂପାୟନ ପାଇଁ ଜିଲ୍ଲା ପ୍ରଶାସନ ଚେଷ୍ଟିତ ଏବଂ ସମାନୁପାତିକ ଓ ସାମୂହିକ ବିକାଶ ନିମନ୍ତେ ପ୍ରଶାସକମାନେ ଦଳଗତ କାର୍ଯ୍ୟ , ସ୍ଵଚ୍ଛତା ଓ ବୈଷୟିକ ଜ୍ଞାନକୌଶଳ ସହ କାର୍ଯ୍ୟ କରିବା କଥା ପ୍ରକାଶ କରିଥିଲେ। ସେହିପରି କୃଷକ , ଶ୍ରମିକ , ମହିଳା , ଯୁବସମାଜ ସମସ୍ତେ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସଶକ୍ତ ହେବା ସହିତ ଜିଲ୍ଲା ପ୍ରଶାସନ ନିଷ୍ଠାର ସହ କାମ ଆରମ୍ଭ କରିବା କଥା କହିଥିଲେ।
ଗଜପତି ଜିଲ୍ଲା ଆଦିବାସୀ ବହୁଳ ହୋଇଥିବାରୁ ରାଜ୍ୟ ସରକାର ସେମାନଙ୍କର ଉନ୍ନତି ପାଇଁ ଜିଲ୍ଲା ସ୍ତରରେ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାକୁ ଅଧିକ କ୍ରିୟାଶୀଳ କରି ସେମାନଙ୍କର ଉନ୍ନତି ପାଇଁ ଆସୁଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ସହଜରେ ଉପଲବ୍ଧି କରିବାକଥା ମଧ୍ୟ ଉଲ୍ଲେଖ କରିଥିଲେ।
ଜିଲ୍ଲାରେ ମିଶନ ଶକ୍ତି ଦ୍ଵାରା ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳା ମାନଙ୍କୁ ଆତ୍ମ ନିର୍ଭର ଭାରତ ଓ ସ୍ଵଦେଶୀ ଜ୍ଞାନ କୌଶଳରେ ସ୍ଵାବଲମ୍ବୀ କରାଯାଇପାରିଛି। ଜିଲ୍ଳାର ଶିକ୍ଷା , ସ୍ବାସ୍ଥ୍ୟ , ଗମନାଗମନ , କୃଷି ଓ ପର୍ଯ୍ୟଟନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ତରଫରୁ ଉନ୍ନୟନ କାର୍ଯ୍ୟ କରିବା ପାଇଁ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଇଛି ବୋଲି କହିଥିଲେ।
ଏହି ଉତ୍ସବରେ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ପଣ୍ଡା , ପାରଳାଖେମୁଣ୍ଡି ବନ ଖଣ୍ଡ ଅଧିକାରୀ ଶ୍ରୀ କେ. ନାଗାରାଜୁ , କମାଣ୍ଡଣ୍ଟ ଓଏସଓପି ତୃତୀୟ ବାଟାଲିୟନ ଗଜପତି ଶ୍ରୀ ଅଶୋକ କୁମାର ମହାନ୍ତି , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମୁନିଦ୍ର ହୋନନାଗା , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ପୃଥ୍ବୀରାଜ ମଣ୍ଡଳ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁନୀଲ କୁମାର ମହାନ୍ତି , ଜିଲ୍ଲା ପରିଷଦ ସଭାପତି ଶ୍ରୀ ଜି.ତିରୁପତି ରାଓ , ପାରଳାଖେମୁଣ୍ଡି ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ।
ଏହି ଉତ୍ସବରେ ଜିଲ୍ଲାର , ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା କ୍ରୀଡାବିତ , କର୍ମଚାରୀ ଓ ସେଚ୍ଛାସେବୀ ର କର୍ମକର୍ତ୍ତା ମାନଙ୍କୁ ଦିନରାତି ଅକ୍ଲାନ୍ତ ପରିଶ୍ରମ କରି ଜନସାଧାରଣଙ୍କୁ ସେବା ଯୋଗାଉଥିବା କର୍ମଚାରୀମାନଙ୍କୁ ମାନପତ୍ର ଓ ସିଲଡ୍ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହା ସହିତ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଚିତ୍ରାଙ୍କନ , ପ୍ରବନ୍ଧ , ବକ୍ତୃତା ଓ କୁଇଜ୍ ପ୍ରତିଯୋଗିତା ହୋଇଥିଲା ଏଥିରେ କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା।
ସେହିପରି ବରିଷ୍ଠ ବିଭାଗ ପ୍ୟାରେଡ ପ୍ରତିଯୋଗିତାରେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂ ଶାସିତ ମହାବିଦ୍ୟାଳୟର ଏନସିସି ଦଳ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ଏନସିସି ଆର୍ମି ୱିଙ୍ଗ ଦଳ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି କନିଷ୍ଟ ବର୍ଗରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସେଣ୍ଟ ବିନସେଣ୍ଟ ମହିଳା ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅଧିକ ରୋମାଞ୍ଚକ କରିବା ପାଇଁ ବିଭନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ ନୃତ୍ୟ ପରିବେଷଣ କରଯାଇଥିଲା।
ଏହି କାର୍ଯ୍ୟକ୍ରମରେ ୨୪ ଟି କଣ୍ଟୀଜେଣ୍ଟ ସମ୍ମିଳିତ ପ୍ୟାରେଡରେ ଭାଗ ନେଇଥିଲେ।
ଆଜିର ପ୍ୟାରେଡରେ ଶ୍ରୀ ନିରଞ୍ଜନ ନାୟକ , ଆର୍.ଆଇ. ପୋଲିସ୍ ପରିଚାଳନା କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପ୍ରଦୀପ୍ତ ଗୁରୁମାଇଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମଗୁଡ଼ିକ ସମ୍ପାଦିତ ହୋଇଥିବା ବେଳେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତୁଷରା ମୟ ସେନାପତି ଓ କାର୍ଯ୍ୟାଳୟର ବରିଷ୍ଠ ସହାୟକ ଅପରାନନ୍ଦ ଅନନ୍ଧ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
ରାଜ୍ୟ
ଜିଲ୍ଲା ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ
- Hits: 13








