ଚନ୍ଦୋଳରୁ ବିରାଟ ଶୋଭାଯାତ୍ରା, ବାଚସ୍ପତିଙ୍କ ସହ ମଞ୍ଚ ବାଣ୍ଟିଲେ ବିଧାୟକ ।
କେନ୍ଦ୍ରାପଡା:୨୪/୦୧(ପ୍ରଫୁଲ୍ଲ କୁମାର ମଲ୍ଲ)ପାଟକୁରା ରାଜନୀତି ଏବେ ସରଗରମ । ବିଜେଡିରୁ ନିଲମ୍ବିତ ହେବା ପରେ ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ସମର୍ଥନରେ ବାହାରିଛି ସମର୍ଥକଙ୍କ ବିରାଟ ଜନସମୁଦ୍ର ।ଗତକାଲି ଭୁବନେଶ୍ୱର ସ୍ଥିତ ଶଙ୍ଖ ଭବନ ଘେରାଉ କରି ନିଜର ପ୍ରତିବାଦ ଜଣାଇବା ପରେ, ଆଜି ପୁଣି ଥରେ ପାଟକୁରାରେ ଅରବିନ୍ଦ ନିଜର ସାଂଗଠନିକ ଶକ୍ତି ପ୍ରଦର୍ଶନ କରିଛନ୍ତି ।ଚନ୍ଦୋଳ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଅଞ୍ଚଳ ପରିକ୍ରମା କରିବା ସହ ବିଧାୟକଙ୍କ ସମର୍ଥନରେ ସ୍ଲୋଗାନ ଦେଇଥିଲେ ।ପରେ ଏହି ସମର୍ଥକମାନେ ଲାଲବାହାଦୂର ଶାସ୍ତ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ପହଞ୍ଚିଥିଲେ, ଯେଉଁଠାରେ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ ହେଉଥିଲା ।ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ବିଧାୟକ ଅରବିନ୍ଦ ମହାପାତ୍ର ମଧ୍ୟ ତାଙ୍କ ସହ ମଞ୍ଚାସୀନ ଥିଲେ ।ଉକ୍ତ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ବ୍ରିଷ୍ଣୁ ଦାସ ଏବଂ ମୁଖ୍ୟବକ୍ତା ଭାବେ ପଞ୍ଚାନନ ଶତପଥୀ ଉପସ୍ଥିତ ରହିଥିଲେ ।ଏହି ଅବସରରେ ବିଦ୍ୟାଳୟର ପୂର୍ବତନ ତଥା ବର୍ତ୍ତମାନର ଶିକ୍ଷକ-ଶିକ୍ଷୟତ୍ରୀ ଏବଂ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗ ଦେଇ କାର୍ଯ୍ୟକ୍ରମର ଶୋଭା ବଢ଼ାଇଥିଲେ ।ଦଳୀୟ ନିଲମ୍ବନ ସତ୍ତ୍ୱେ ବିଧାୟକଙ୍କ ଏଭଳି ଜନସମର୍ଥନ ଏବଂ ବାଚସ୍ପତିଙ୍କ ସହ ଏକାଠି ମଞ୍ଚରେ ଉପସ୍ଥିତି ଏବେ ସ୍ଥାନୀୟ ରାଜନୀତିରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି ।








