-
ମାଛିପଡା ଲକ୍ଷ୍ମୀ ଚୁଡ଼ି ଦୋକାନ ଅନୁରୂପ ଠକେଇ,
-
ମହିଳାଙ୍କ ଚୁଡ଼ି ଦୋକାନ ଉପରେ ଗ୍ୟାଙ୍ଗର ଟାର୍ଗେଟ,
-
ନୟାଗଡ଼ରୁ ନିୟୁଦିଲ୍ଲୀ ଲମ୍ବିଛି ଚେର
ଓଡ଼ଗାଁ,୧୮।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡାଝୋଲା ଫାଣ୍ଡିର ବାହାଡ଼ାଝୋଲା ମା' ଲକ୍ଷ୍ମୀ ଭେରାଇଟ ଷ୍ଟୋରରେ କମ୍ ଦାମରେ ସାମଗ୍ରୀ ପ୍ରଦାନ କରିବା ପାଇଁ ଠକ ଦଳ ନାଟକ କରି ୭୬ ହଜାର ଟଙ୍କା ଲୁଟି ନେବା ଘଟଣାର ପ୍ରାୟ ୧୦ ଦିନ ପୂର୍ବରୁ ମାଛିପଡା ବଜାରର ଲକ୍ଷ୍ମୀ ଚୁଡ଼ି ଦୋକାନରୁ ମଧ୍ୟ ଅନୁରୁପ ଭାବେ ଏକ ନାଲି ରଙ୍ଗର କାରରେ ପହଁଞ୍ଚି ଠକଦଳ ଠକି ନେଇଥିବା ଜଣାପଡିଛି । ଠକଦଳଙ୍କ ଚେର ନୟାଗଡ଼ରୁ ନିୟୁଦିଲ୍ଲୀ ପର୍ଯ୍ୟନ୍ତ ଲମ୍ବିଥିବା ସୂଚନା ମିଳିଛି । କେବଳ ମହିଳା ମାନଙ୍କ ଚୁଡ଼ି ଦୋକାନ ଉପରେ ଠକେଇ ଗ୍ୟାଙ୍ଗର ଟାର୍ଗେଟ କରୁଛି । ମହିଳା ମାନଙ୍କୁ ଖୁବ୍ କମ୍ ଦାମରେ ସାମଗ୍ରୀ ପ୍ରଦାନର ଲୋଭ ଦେଖାଇ କୌଣସି ମତେ ସେମାନଙ୍କୁ ମନାଇ ସାମଗ୍ରୀ ପ୍ରଦାନ କରି ଟଙ୍କା ନେଇ ଚାଲିଯିବା ପରେ ମହିଳା ମାନେ ପ୍ୟାକେଟ୍ ଖୋଲି ଦେଖିଲା ବେଳକୁ ମୂଲ୍ୟ ଠାରୁ ଢେର କମ୍ ଟଙ୍କାର ସାମଗ୍ରୀ ରହିଥିବା ଦେଖାଯାଉଛି। ଠକଦଳଙ୍କ କାର ରେଜିଷ୍ଟ୍ରେସନ ନମ୍ବର ଚେକ୍ କରି ସେଥିରୁ ମିଳିଥିବା ୯୮୭୩୪୮୦୫୭୩ ମୋବାଇଲ୍ ଫୋନ୍ ନମ୍ବର୍ ଯାଞ୍ଚ ବେଳେ ମାଣ୍ଡୋଲି ନନ୍ଦନଗରୀ ନିୟୁଦିଲ୍ଲୀ, ବ୍ୟାଙ୍କ ଅଫ ବରୋଦା ଶାଖାରେ ଗୁଲାମ ଆସରଫ ନାମରେ ଏକ ଜମାଖାତା ରହିଥିବା ଜଣାଯାଇଛି। ଏଥିସହିତ ଉତ୍ତରପ୍ରଦେଶ ହାଜିପୁର ଲୋନି, ଘର ନମ୍ବର ଡି୯/୧୬୭ ର ଠିକଣା ରହିଛି। ନୟାଗଡ଼ ପୋଲିସ୍ ପ୍ରଶାସନ ଦ୍ବାରା ଏନେଇ ସ୍ବତନ୍ତ୍ର ଅନୁସନ୍ଧାନ କରାଗଲେ ଠକ ଗ୍ୟାଙ୍ଗର ପରଦାଫାସ ହୋଇପାରିବ। ଘଟଣାର କ୍ରମରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ବାହାଡ଼ାଝୋଲା ମେଡିକାଲ ସାମନା ସାପ୍ତାହିକ ହାଟର ପ୍ରମୁଖ ସ୍ଥଳରେ ଥିବା ମା' ଲକ୍ଷ୍ମୀ ଭେରାଇଟ ଷ୍ଟୋର ସାମନାରେ ଡିସେମ୍ବର ମାସ ୨୦ ତାରିଖ ଅପରାହ୍ନ ୪.୩୦ ସମୟରେ ୟୁପି ୧୪ଜିଡି୨୬୬୭ ନମ୍ବର ବିଶିଷ୍ଟ ୱାଗନର ମାରୁତି କାର ଅଟକିଲା। କାରରୁ ବାହାରି ୨ଜଣ ବ୍ୟକ୍ତି ସିଧା ଲକ୍ଷ୍ମୀ ଭେରାଇଟ ଷ୍ଟୋରକୁ ଯାଇଥିଲେ। ଦୋକାନରେ ସ୍ଥାନୀୟ ସରୋଜ ସାହୁଙ୍କ ସ୍ତ୍ରୀ ମମତା ସାହୁ କାଉଣ୍ଟରରେ ବସିଥାନ୍ତି । ବଉଦରେ ଆମେ ମୀନ ବଜାର ପକାଇ ଥିଲୁ । ବଳକା ଜିନିଷ ଗୁଡ଼ିକୁ ଅଧା ମୂଲ୍ୟରେ ଦେଇ ଆମ୍ଭେ ଚାଲିଯିବୁ ବୋଲି କହି କାର ମଧ୍ୟରୁ ଭ୍ୟାନିଟ୍, ଚୁଡ଼ି, ନେକଲେସ୍, ହାତ ଓ ଗୋଡ଼ ମୁଦି ଏପରି ୮ ପ୍ରକାରର ସାମଗ୍ରୀ ଦେଖାଇଥିଲେ ।ମମତା ସାମଗ୍ରୀ ଗୁଡ଼ିକୁ ଦେଖି ରଖିବାର ସୂଚନା ପାଇବା ପରେ ବ୍ୟକ୍ତି ୨ ଜଣ ମମତାଙ୍କୁ ଆଉ ଭାବିବାକୁ ସମୟ ଦେଇନଥିଲେ । ଆଣିଥିବା ସମସ୍ତ ସାମଗ୍ରୀ ପ୍ୟାକେଟ୍ ଗୁଡ଼ିକ ଦେଇ ହିସାବ ଅନୁସାରେ ୭୬ ହଜାର ଟଙ୍କା ମାଗିଥିଲେ । ପାଖରେ ହଠାତ୍ ଏତେ ଟଙ୍କା ନଥିବାରୁ ସ୍ଥାନୀୟ ବ୍ୟାଙ୍କରେ ସୁନା ବନ୍ଧା ରଖି ସେମାନଙ୍କୁ ଟଙ୍କା ଦେବା ପରେ ସେମାନେ ସଙ୍ଗେ ସଙ୍ଗେ ସେଠାରୁ ଚାଲିଯାଇଥିଲେ । ତେବେ ମମତା ଜିନିଷ ଦେଖି ହିସାବ ଭୁଲକରିଥିବା ନେଇ ସଂଗେସଂଗେ ସେମାନଙ୍କୁ ଫୋନ କରିଥିଲେ । ଉତ୍ତରରେ ଆମେ ବହୁ ଆଗକୁ ଆସି ଗଲୁଣି ଯାଇଛୁ ବୋଲି କହିଥିଲେ । ହେଲେ ଅପେକ୍ଷା ନକରି ମମତାଙ୍କ ସ୍ବାମୀ ସରୋଜ ସ୍କୁଟି ଧରି କାର ପଛରେ ଗୋଡ଼େଇଲେ ମଧ୍ୟ କାରର ଅତାପତା ପାଇନଥିଲେ । ଏବଂ ସଂଗେ ସଂଗେ ଠକଙ୍କ କାର ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଥିଲା । ହେଲେ ଆଉ କୌଣସି ଲାଭ ହୋଇନଥିଲା।











