ହେଡଲାଇନସ୍:

୭ କେଜି କାଟେଣୀ କାହା ସ୍ୱାର୍ଥରେ, ମିଲରଙ୍କ ସ୍ୱାର୍ଥକୁ ‘ଅପା’ଙ୍କ ଗୁରୁତ୍ୱ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼:- ନୟାଗଡ଼ ଜିଲ୍ଲାରେ ଧାନକିଣା ଡିସେମ୍ବର ୨୯ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏଯାଏଁ କାଁ ଭାଁ ସ୍ଥାନରେ ମଣ୍ଡି ଖୋଲିଛି । ଅନେକ ସ୍ଥାନରେ ମଣ୍ଡି ଖୋଲି ନଥିବା ବେଳେ କିଛି ସ୍ଥାନରେ କେବଳ ପୂଜା କରି ଅପେକ୍ଷା କରାଯାଇଛି । ନୟାଗଡ଼ ଜିଲ୍ଲାର ୧୫୩ ପ୍ୟାକ୍ସ ଜରିଆରେ ୧୭୪ଟି ମଣ୍ଡି ଖୋଲିବାକୁ ବ୍ୟବସ୍ଥା ହୋଇଥିବା ବେଳେ ଏଯାଏଁ ହାତ ଗଣତି ମଣ୍ଡି ଆରମ୍ଭ ହୋଇଛି । ନୟାଗଡ଼ ଜିଲ୍ଲାରେ ମଣ୍ଡି ଖୋଲିବାରେ ବିଳମ୍ବ ସ୍ଥିତିଠାରୁ ଆହୁରି ସାଂଘାତିକ ପରିସ୍ଥିତି ସୃଷ୍ଟି କରିଛି କାଟେଣୀ ଛାଟେଣୀ । ଚାଷୀଙ୍କ ଧାନ ଏଫ୍‌କ୍ୟୁ ମାନର ହେଉନଥିବା ଦର୍ଶାଇ ମିଲରମାନେ ସାଂଘାତିକ ଭାବେ କାଟେଣୀ ଛାଟେଣୀ କରିବାକୁ ମସୁଧା କରିଛନ୍ତି । ମିଲରଙ୍କ ତ୍ରାଣକର୍ତ୍ତା ସାଜିଥିବା ନେତ୍ରୀ ତଥା ଅପାଙ୍କଠାରୁ ଆର୍ଶିବାଦ ପାଇ ଚାଷୀଙ୍କୁ ଲୁଟିବାକୁ ସବୁପ୍ରକାର ବ୍ୟବସ୍ଥା ସରିଥିବା ଦେଖାଯାଇଛି । ଆରମ୍ଭ ହୋଇଥିବା କିଛି ମଣ୍ଡିରୁ ମିଳିଥିବା ସୂଚନାନୁସାରେ, କ୍ୱିଣ୍ଟାଲ ପିଛା ୭ କେଜି ଏବଂ ବସ୍ତା ବାବଦକୁ ଅଧିକ ଦେଢ଼ କେଜି ଲେଖାଏଁ କାଟେଣୀ କଟା ଯାଉଛି । ଚଳିତ ବର୍ଷ ନୟାଗଡ଼ ଜିଲ୍ଲାରେ ଭଲ ଓ ଉନ୍ନତ ଧାନ ଉତ୍ପାଦନ ହୋଇଥିବା ବେଳେ କାହିଁକି ୭ କେଜି ଲେଖାଏଁ କାଟେଣୀ କଟାଯିବ ବୋଲି ପ୍ରଶ୍ନ ଉଠିଛି । ନିକଟସ୍ଥ ଖୋର୍ଦ୍ଧା ଜିଲ୍ଲାରେ କ୍ୱିଣ୍ଟାଲ ପିଛା ୫ କେଜି ଲେଖାଏଁ କାଟେଣୀ ହେଉଥିବା ବେଳେ ଗଞ୍ଜାମ ଓ ବୈାଦ୍ଧ ଜିଲ୍ଲାରେ କ୍ୱିଣ୍ଟାଲ ପିଛା ୩ କେଜି ଲେଖାଏଁ କାଟେଣୀ ହେଉଛି । ନୟାଗଡ଼ ଜିଲ୍ଲାରେ ନିକଟସ୍ଥ ଜିଲ୍ଲା ତୁଳନାରେ ଆହୁରି ଗଞ୍ଜାମ ଓ ବୈାଦ୍ଧଠାରୁ ୪ କେଜି ଏବଂ ଖୋର୍ଦ୍ଧାଠାରୁ ୨ କେଜି ଅଧିକ କାଟେଣୀ କରାଯିବା ପଛର ରହସ୍ୟ ଚାଷୀ ବୁଝି ପାରୁ ନାହାନ୍ତି । ନୟାଗଡ଼ ଜିଲ୍ଲାରେ କିଛି ରାଜନୈତିକ ବ୍ୟକ୍ତିଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚାଷୀଙ୍କ ଉପାର୍ଜ୍ଜିତ ଧାନକୁ କାଟେଣୀ ନାଁରେ ଚୋରୀ କରାଯିବାକୁ ମସୁଧା ରହିଛି । ନୟାଗଡ଼ ଜିଲ୍ଲାରେ ମିଲରଙ୍କ ମନମାନୀ, ପ୍ରଶାସନିକ ନୀରବ ଦ୍ରଷ୍ଟା, କାଟେଣୀ ଛାଟେଣୀକୁ ବିରୋଧ କରୁଥିବା ସରକାରୀ ଦଳର ଗୁପ୍ତ ବୁଝାମଣା ଏବଂ ବିରୋଧି ଦଳର ଆଖିବୁଜା ନୀତି ପାଇଁ ଚାଷୀ ବଳି ପଡ଼ିବାକୁ ବାଧ୍ୟ ହେଉଛନ୍ତି । ସରକାରୀ ଭାବେ କାଟେଣୀ ଛାଟେଣୀ ହେଉନଥିବା ବେଳେ ବେସରକାରୀ ପିସି ସିଷ୍ଟମକୁ କାର୍ଯ୍ୟକାରୀ କରାଯିବା ସାଂଘାତିକ ସମସ୍ୟା ସୃଷ୍ଟି କରିଛି । ଧାନକିଣା ଆରମ୍ଭ ପାଇଁ ହୋଇଥିବା ଡିଏଲପିସି ବୈଠକରେ କାଟେଣୀକୁ ବିରୋଧ କରି ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ତୁମ୍ବି ତୋଫାନ କରିଥିବା ବେଳେ ଏବେ ଚାଷୀଙ୍କ ପାଖରେ କଣ ଉତ୍ତର ରଖିବେ ବୋଲି ପ୍ରଶ୍ନ ଉଠିଛି । ଜିଲ୍ଲା ପ୍ରଶାସନ ମିଲରଙ୍କ ଜିଦ୍ ଆଗରେ କିଂ କର୍ତ୍ତବ୍ୟ ବିମୂଢ଼ ହୋଇଥିବା ବେଳେ ନେତାଙ୍କ ଚକ୍ରାନ୍ତଙ୍କ ମୁହଁ ଖୋଲି ପାରୁନାହାନ୍ତି । ନୟାଗଡ଼ ଜିଲ୍ଲାରେ ବିଗତ ସରକାର ସମୟରେ ସର୍ବାଧିକ ୪ରୁ ୫ କେଜି ଲେଖାଏଁ କାଟେଣୀ ହେଉଥିଲା । ଗତବର୍ଷ ଅମଳ ସମୟରେ ବର୍ଷାକୁ କାରଣ କରି କେଉଁଠାରେ ୭.୫ କେଜି, ତ ପୁଣି କେଉଁଠାରେ ୧୦ କେଜି ପର୍ଯ୍ୟନ୍ତ କାଟେଣୀ ହୋଇଥିଲା । ଚଳିତବର୍ଷ ଚାଷୀ ଶୁଖିଲା ଧାନ ଅମଳ କରି ରଖିଥିବା ବେଳେ କାହିଁକି ୭ କେଜି କାଟେଣୀ ଦେବ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଛି ।

0
0
0
s2sdefault