ହେଡଲାଇନସ୍:

ରାୟଗଡ଼ ବନାଞ୍ଚଳ ସ୍ତରୀୟ ବଣଭୋଜି ସ୍ଥଳରେ ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ଼: (ସରୋଜ କୁମାର ସାହୁ): ରାୟଗଡ଼ ବନାଞ୍ଚଳ ପକ୍ଷରୁ ଆଜି ଗୁମ୍ମା ସେକ୍ସନ ଅନ୍ତର୍ଗତ ସଂକେଶ ବଣଭୋଜି ସ୍ଥଳରେ ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମର ମୂଖ୍ୟ ଉଦ୍ଦେଶ୍ୟ ଥିଲା ବଣଭୋଜି ସ୍ଥଳଗୁଡ଼ିକୁ ପ୍ଲାଷ୍ଟିକ ମୁକ୍ତ କରିବା ସହ ପରିବେଶ ଅନୁକୂଳ ଦ୍ରବ୍ୟ ବ୍ୟବହାର ପ୍ରତି ସଚେତନତା ସୃଷ୍ଟି କରିବା।
ଏହି କାର୍ଯ୍ୟକ୍ରମରେ ଗୁମ୍ମା ଗ୍ରାମପଞ୍ଚାୟତର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ଥାନୀୟ ଗ୍ରାମବାସୀ, ରାୟଗଡ଼ ଏନ.ସି.ସି କ୍ୟାଡର, ରାୟଗଡ଼ ଜିଲ୍ଲା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ଶ୍ରୀ ରିପୁ କୁମାର ସାହୁ ଓ କର୍ମଚାରୀମାନେ, ସହିତ ରାୟଗଡ଼ ବନାଞ୍ଚଳର ସମସ୍ତ ବନ କର୍ମଚାରୀମାନେ ଯୋଗଦାନ କରିଥିଲେ।
ଅନୁଷ୍ଠାନରେ ଉପସ୍ଥିତ ଶ୍ରୀ ରିପୁ କୁମାର ସାହୁ ନିଜ ଅଭିଭାଷଣରେ ପ୍ଲାଷ୍ଟିକ ଭଳି ବିଷାକ୍ତ ଦ୍ରବ୍ୟ କିପରି ଆମ ଦୈନନ୍ଦିନ ଜୀବନର ଅଂଶ ହୋଇଯାଇଛି ଓ ତାହା ମାନବ ସମାଜ ଓ ପରିବେଶ ଉପରେ କିପରି କୁ-ପ୍ରଭାବ ପକାଉଛି, ସେଥିପାଇଁ ବିସ୍ତୃତ ଭାବେ ବ୍ୟାଖ୍ୟା କରିଥିଲେ। ସେ ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ନେବାକୁ ଥିବା ବିଭିନ୍ନ ପଦକ୍ଷେପ ବିଷୟରେ ମଧ୍ୟ ଉପଦେଶ ଦେଇଥିଲେ।
ଏହି ଅବସରରେ ଶ୍ରୀ କାମେଶ୍ୱର ଆଚାରୀ, ବନାଞ୍ଚଳ ଅଧିକାରୀ, ରାୟଗଡ଼, ବଣଭୋଜି ସ୍ଥଳରେ ପ୍ଲାଷ୍ଟିକ ବ୍ୟବହାର କିପରି କମ କରାଯାଇପାରିବ, ପ୍ଲାଷ୍ଟିକ ଦ୍ୱାରା ପରିବେଶ ଉପରେ ପଡୁଥିବା କୁ-ପ୍ରଭାବ, ତାହାର ପ୍ରତିକାର ଉପାୟ, ଏବଂ ବଣଭୋଜି ସ୍ଥଳରେ କଣ ବ୍ୟବହାର କରିବା ଓ କଣ ବ୍ୟବହାର ନ କରିବା—ସେ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ମତାମତ ଦେଇଥିଲେ। ସେ ଉପସ୍ଥିତ ଭ୍ରମଣକାରୀମାନଙ୍କୁ ପ୍ଲାଷ୍ଟିକ ଦ୍ରବ୍ୟର ବ୍ୟବହାର ଦ୍ୱାରା ପରିବେଶରେ ହେଉଥିବା କୁ-ପ୍ରଭାବ ବିଷୟରେ ଅବଗତ କରାଇ ପ୍ଲାଷ୍ଟିକ ବ୍ୟବହାର କମ କରିବାକୁ ଆହ୍ୱାନ ଜଣାଇଥିଲେ।
ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତ ସରକାରୀ କର୍ମଚାରୀ, ଗୁମ୍ମା ଗ୍ରାମପଞ୍ଚାୟତର ଗ୍ରାମବାସୀ ଓ ରାୟଗଡ଼ ଏନ.ସି.ସି କ୍ୟାଡର ସଦସ୍ୟମାନେ ସଂକେଶ ବଣଭୋଜି ସ୍ଥଳରେ ଦୀର୍ଘଦିନ ଧରି ପଡ଼ିଥିବା ପ୍ଲାଷ୍ଟିକ ଅବର୍ଜନା—ଯଥା ପଲିଥିନ, ପାଣି ପାଉଚ, ମସଲା ଜରି, ଜରି ଆବରଣ, ପେପର ପ୍ଲେଟ ଇତ୍ୟାଦି—ସଫା କରି ସେହି ସ୍ଥଳକୁ ପ୍ଲାଷ୍ଟିକ ମୁକ୍ତ କରିଥିଲେ। ସେହି ସହ ସେହି ବଣଭୋଜି ସ୍ଥଳରେ ପ୍ଲାଷ୍ଟିକ ଅଳିଆ ନ ଫେଙ୍କିବା ପାଇଁ ଶପଥ ପାଠ କରାଯାଇଥିଲା ଓ ଅଳିଆ ନିମିତ୍ତେ କୁଣ୍ଡ ରଖାଯାଇଥିଲା।
ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଶ୍ରୀ କାମେଶ୍ୱର ଆଚାରୀ, ବନାଞ୍ଚଳ ଅଧିକାରୀ, ରାୟଗଡ଼, ସୁଚାରୁ ଭାବେ ପରିଚାଳନା କରିଥିଲେ।

0
0
0
s2sdefault