ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବହୁ ପ୍ରତିକ୍ଷିତ ପାରଳାଖେମୁଣ୍ଡି ବାଇପାସ୍ ରାସ୍ତାର ଶିଳାନ୍ୟାସ ହୋଇଛି। ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଶିଳାନ୍ୟାସ କରିଛନ୍ତି ସ୍ଥାନୀୟ ବିଧାୟକ ଇଂ ରୁପେଶ ପାଣିଗ୍ରାହୀ।
ଲୋକଙ୍କ ଦାବିକୁ ଗୁରୁତ୍ଵ ଦେଇ ପୂର୍ବତନ ସରକାର ଏହି ପ୍ରକଳ୍ପକୁ ଅନୁମୋଦନ କରିଥିବା ବେଳେ ଏଥିପାଇଁ ୪୭ କୋଟି ୪୫ ଲକ୍ଷ ମଞ୍ଜୁର କରିଛନ୍ତି ରାଜ୍ୟ ସରକାର। ପୂର୍ତ୍ତ ବିଭାଗ ପକ୍ଷରୁ ଏହାର ଟେଣ୍ଡର ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ ହେବ ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ପାରଳାଖେମୁଣ୍ଡି ବିଧାୟକ। ସହରର ବାଇପାସ୍ ରାସ୍ତା ନିର୍ମାଣ ନେଇ ବିଧାନସଭାରେ ବାରମ୍ବାର ଦାବି କରିଆସୁଥିଲେ। ଏନେଇ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିବାରୁ ଅତ୍ୟନ୍ତ ଖୁସି ବ୍ୟକ୍ତ କରି ମିଠେଇ ବଣ୍ଟନ କରିଛନ୍ତି ବିଧାୟକ। ଏତଦବ୍ୟତୀତ ଗୋଷାଣୀ ବ୍ଲକ ଅନ୍ତର୍ଗତ ବାଘଶାଳା - ଅଗରଖଣ୍ଡି ପାଇଁ ୧୨କୋଟି ୨୩ଲକ୍ଷ ଓ ଗୋପିଲି ଠାରୁ କିଞ୍ଚିଲିଂରାସ୍ତା ପାଇଁ ୧୫ କୋଟି ୫୩ ଲକ୍ଷ ଏବଂ ସେରଙ୍ଗ ଠାରୁ ନୁଆଗଡ ରାସ୍ତାର ଉନ୍ନତିକରଣ କାର୍ଯ୍ୟ ପାଇଁ ୪୦ କୋଟି ୨୯ ଲକ୍ଷ ମଞ୍ଜୁର କରିବା ସହ ଏହି ରାସ୍ତା ଗୁଡ଼ିକର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ।
ଏହି ସବୁ ରାସ୍ତା ନିର୍ମାଣ ହେଲେ ଜିଲ୍ଲାର ଗମନାଗମନର ସୁବିଧା ହେବା ସହ ବ୍ୟବସାୟ ବୃଦ୍ଧି ପାଇବ , ସେହିଭଳି ପାରଳାଖେମୁଣ୍ଡି ସହରର ବାଇପାସ୍ ରାସ୍ତା ନିର୍ମାଣ ହେଲେ ସହରର ବିକାଶ ଘଟିବା ସହ ଗମନାଗମନ ସୁଗମ ହେବ ଏବଂ ବ୍ୟବସାୟିକ ଅଭିବୃଦ୍ଧି ଘଟିବ, ତେବେ ଏହି ରାସ୍ତା ନିର୍ମାଣ ନେଇ ସରକାର ପଦକ୍ଷେପ ନେଇ ଥିବାରୁ ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି ବିଧାୟକ ଇଂ ରୁପେଶ ପାଣିଗ୍ରାହୀ।
ରାଜ୍ୟ
ବହୁ ପ୍ରତିକ୍ଷିତ ପାରଳାଖେମୁଣ୍ଡି ବାଇପାସ୍ ରାସ୍ତାର ଶିଳାନ୍ୟାସ
- Hits: 14











