ନାରୀ ଶିକ୍ଷାକୁ ପ୍ରୋତ୍ସାହିତ କରିଥିଲା ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ
ଓଡ଼ଗାଁ,୧୩।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ରେ ଅବସ୍ଥିତ ତଥା ଓଡ଼ିଶାରେ ସୁଖ୍ୟାତୀ ଲାଭ କରି ତତ୍କାଳୀନ ସମୟରେ ନାରୀ ଶିକ୍ଷାକୁ ପ୍ରୋତ୍ସାହିତ କରିଥିବା ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଗାରିମାକୁ ବଜାଇ ରଖି ଜିଲ୍ଲାର ୨୧ ଗୋଟି ଏବଂ ଓଡ଼ଗାଁ ବ୍ଳକର ମାତ୍ର ୩ ଗୋଟି ପିଏମଶ୍ରୀ ବିଦ୍ୟାଳୟ ମଧ୍ୟରେ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନିଜକୁ ସାମିଲ କରିପାରିଛି । ଚଳିତ ବର୍ଷ ମଙ୍ଗଳବାର ବିଦ୍ୟାଳୟରେ ପ୍ରଥମ ପିଏମଶ୍ରୀ ଉତ୍ସଭବ ଅନୁଷ୍ଠିତ ହୋଇଥିବା ବେଳେ ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଓଡ଼ଗାଁ ତହସିଲଦାର ଡ.ମାନସ ରଞ୍ଜନ ଭୋଇ, ଏନ୍ଏସି ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା, ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ବିଜୟ କୁମାର ସାହୁ, ପ୍ରଧାନ ଶିକ୍ଷୟିତ୍ରୀ ବସିରନ ବିବି, ଏସ୍ଏମ୍ସି ସଭାପତି ବରେନ୍ଦ୍ର ନନ୍ଦ ପ୍ରମୁଖ ଯୋଗଦେଇ ଶିକ୍ଷାର୍ଥୀ ମାନଙ୍କୁ ଆଶିର୍ବଚନ ପ୍ରଦାନ କରିଥିଲେ। ଏବଂ ଆକାଂକ୍ଷା ମେଳାର ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମର ଅପରାହ୍ନରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲୋକନାଥ ସାହୁ, ମୁଖ୍ୟ ବକ୍ତା ଭାବେ ଜୋନ ୨ ଜିଲ୍ଲା ପରିଷଦ ସଭ୍ୟ ବିରଜା ଲକ୍ଷ୍ମୀ ସାହୁ, ବିଶିଷ୍ଟ ଅତିଥି ଭାବେ ଓଡ଼ଗାଁ ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରିତୀବାଳା ରଣା, ସମ୍ମାନିତ ଅତିଥି ଭାବେ ଏହି ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଜଳନ୍ଧର ରଥ, ରଘୁନାଥ ସମବାୟ ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ଅଧିବାସ ପଣ୍ଡାଙ୍କ ସହିତ ବିଦ୍ୟାଳୟ କମିଟି ସଭାପତି ମଞ୍ଚାସୀନ ଥିଲେ।
ମେଳାରେ ଶିଶୁ ମାନଙ୍କ ସୃଜନ ଶୀଳ ପ୍ରକଳ୍ପ, ସୁସ୍ଥ ଖାଦ୍ୟ, ସାହିତ୍ୟ, ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଇତ୍ୟାଦି ଷ୍ଟଲକୁ ଅତିଥି ମାନଙ୍କ ସହିତ ଓଡ଼ଗାଁ ବିଡିଓ ପ୍ରିତିବାଳା ରଣା ବୁଲି ଦେଖିଥିଲେ । ଏବଂ ଖାଦ୍ୟର ସ୍ବାଦ ପରଖି ଥିଲେ। ଉଦଯାପନୀ ସଭାର ପ୍ରାରମ୍ଭରେ ସ୍ମରଣିକା "ସୃଜନିକା"ର ଉନ୍ମୋଚନ ହୋଇଥିଲା । ମାନବ ସଭ୍ୟତାର ବିକାଶ ସହିତ ତାଳଦେଇ ସେମାନଙ୍କର ଆବଶ୍ୟକତା ପୂରଣ ପାଇଁ ଶିକ୍ଷାର୍ଥୀମାନେ କେବଳ ନମ୍ବର ପଛରେ ନପଡ଼ି ବ୍ୟବହାରିକ ଶିକ୍ଷା ଉପରେ ଅଧିକ ଧ୍ୟାନ ରଖିବା । ଏବଂ ପିଏମଶ୍ରୀ ଯୋଜନା ମାଧ୍ୟମରେ ଶିକ୍ଷଣୀୟ ସାମଗ୍ରୀ ଯୋଗାଡ଼ କରି ବିଜ୍ଞାନ ଭିତ୍ତିକ ଜ୍ଞାନ କୌଶଳ ପ୍ରୟୋଗରେ ଦୈନଦିନ ଜୀବନ ଶୈଳୀରେ ବ୍ୟବହାର ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ପ୍ରଦାନ ପାଇଁ ଅତିଥିମାନେ ପରାମର୍ଶ ଦେଇଥିଲେ । ଶିଶୁ ମାନଙ୍କ ଦ୍ଵାରା କମ୍ପ୍ୟୁଟର କାର୍ଯ୍ୟ ଶୈଳୀ ସମ୍ପର୍କିତ ଅଭିନୟ ଓ ଛାତ୍ରୀ ମାନଙ୍କ ଦ୍ଵାରା ପରିବେଷିତ ମନୋରଞ୍ଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ହୃଦୟସ୍ପର୍ଶୀ ହୋଇଥିଲା । ଅନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଶିକ୍ଷକ ଏକଲବ୍ୟ ଦାଶ ମଞ୍ଚ ସଞ୍ଜୋଜନା କରିଥିଲେ ।











