ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବନାଟି ପ୍ରତିଯୋଗିତା ଅନୁଷ୍ଠିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପୁରୀ (ଅନିମେଶ ପଟ୍ଟନାୟକ ): ଆସନ୍ତା ୨୦୨୬ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପୁରୀ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ ଅନୁସାରେ ମଙ୍ଗଳବାର ଦିନ ଜିଲ୍ଲା ସ୍ତରୀୟ ବନାଟି (ସାଧାରଣ ଘୁର୍ଣ୍ଣନ) ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଓ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଶରତ ଚନ୍ଦ୍ର ବେହେରାଙ୍କ ପରାମର୍ଶକ୍ରମେ ସ୍ଥାନୀୟ ସୁଖଲତା ସ୍ମୃତି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା।

ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ବାଳିକା ବିଭାଗରେ ସୁଖଲତା ସ୍ମୃତି ସରକାରୀ ଉଚ୍ଚ ବିଦ୍ୟାଳୟର କବିତା ମହାନ୍ତି ପ୍ରଥମ, ଏଲ୍. ବର୍ଷା ବେହେରା ଦ୍ୱିତୀୟ ଓ ରିୟା ଦେ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ବାଳକ ବିଭାଗରେ ସାରସ୍ୱତ ବିଦ୍ୟାନିକେତନର ତ୍ରିବିକ୍ରମ ପଣ୍ଡା ପ୍ରଥମ, ସୁଖଲତା ସ୍ମୃତି ସରକାରୀ ଉଚ୍ଚ ବିଦ୍ୟାଳୟର ପାପାଇ ଶାହା ଦ୍ୱିତୀୟ ଓ ସମ୍ରାଟ ଦେବନାଥ ତୃତୀୟ ସ୍ଥାନ ହାସଲ କରିଥିଲେ।

ଏହି ପ୍ରତିଯୋଗିତାରେ ଶ୍ରୀଜଗନ୍ନାଥ ସମର କଳା ପ୍ରଶିକ୍ଷଣ ଓ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ବନାଟି ଆଚାର୍ଯ୍ୟ ଓ ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ, ବନାଟି ବିଶାରଦ ଜଗନ୍ନାଥ ସୁଆର, ସାମ୍ବାଦିକ କୈଳାଶ ଚନ୍ଦ୍ର ପଣ୍ଡା, ଶିକ୍ଷକ ଧର୍ମେନ୍ଦ୍ର ହାଁସଦା, କ୍ରୀଡା ଶିକ୍ଷକ ରବୀନ୍ଦ୍ର ବେହେରା ଓ ପିଣ୍ଟୁ ଜେନା ପ୍ରମୁଖ ବିଚାରକ ଭାବେ କାର୍ଯ୍ୟ ତୁଲାଇଥିଲେ। ଦୀର୍ଘ ୨୪ ମିନିଟ୍ ଧରି ବନାଟି କ୍ରୀଡା ପ୍ରଦର୍ଶନ କରିଥିବା କୃତି ଖେଳାଳିମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଚରିତା ପ୍ରତିହାରୀଙ୍କ ଦ୍ୱାରା ୨ ହଜାର ଟଙ୍କାର ଅର୍ଥ ସହାୟତା ପ୍ରଦାନ କରାଯାଇଥିଲା। ଏଥିସହିତ ପ୍ରତିଯୋଗିତାକୁ ଉତ୍ସାହ ଦେଇଥିବା ୩ଶହରୁ ଅଧିକ ଛାତ୍ରଛାତ୍ରୀଙ୍କୁ ବିସ୍କୁଟ ବଣ୍ଟନ କରାଯାଇଥିଲା।
ବିଜୟୀ ପ୍ରତିଯୋଗୀମାନଙ୍କୁ ଆଗାମୀ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ ଉତ୍ସବରେ ପୁରସ୍କୃତ କରାଯିବ ବୋଲି ଜିଲ୍ଲା ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସୂଚନା ପ୍ରଦାନ କରିଛନ୍ତି।

0
0
0
s2sdefault