ଉତ୍ଯକ୍ତ ଜନତାଙ୍କ ଟାୟାର ଜାଳି ରାସ୍ତାରୋକ
ପୁରୀ,୨/୧(ଅନିମେଶ ପଟ୍ଟନାୟକ): ନୂଆ ବର୍ଷର ୨ୟ ଦିନରେ ବଡ଼ଦାଣ୍ଡରେ ହୃଦୟ ବିଦାରକ ଦୁର୍ଘଟଣା । ଶୁକ୍ରବାର ପୂର୍ବାହ୍ନରେ ପୁରୀ ବଡ଼ଦାଣ୍ଡରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବଳଗଣ୍ଡି ଛକରେ ବୋଲେରୋ ଓ ସ୍କଟି ମଧ୍ୟରେ ଧକ୍କା ହେବାରୁ ଜଣେ ୫ ବର୍ଷର ନାବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି । ଯାହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ବଢିବା ସହ ଉତ୍ଯକ୍ତ ଲୋକ ମାନେ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା ।
ମିଳିଥିବା ସୂଚନା ଅନୁଯାୟୀ, ମେଡ଼ିକାଲ ଛକ ଆଡୁ ଶ୍ରୀମନ୍ଦିର ଆଡ଼କୁ ବୋଲେରୋ ଗାଡ଼ି ଆସୁଥିବା ବେଳେ ଅନ୍ୟପଟେ ଏକ ସ୍କୁଟିରେ ଜଣେ ବ୍ୟକ୍ତିଙ୍କ ସହ ତାଙ୍କ ନାବାଳକ ନାତି ଓ ଅନ୍ୟ ଜଣେ ନାବାଳକ ଆସୁଥିଲେ । ଏହି ସମୟରେ ବଳଗଣ୍ଡି ଛକ ନିକଟରେ ସ୍କୁଟିକୁ ପଛଆଡ଼ୁ ବୋଲେରୋ ଧକ୍କା ଦେଇଥିଲା । ଯାହା ଫଳରେ ସ୍କୁଟିରେ ଯାଉଥିବା ତିନି ଜଣ କିଛି ବାଟ ଘୋଷାଡି ହୋଇ ଯିବା ସହ ଆହତ ହୋଇଥିଲେ । ଲୋକ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ବୋଲେରୋ ଚାଳକଙ୍କୁ କାବୁ କରିଥିଲେ । ତେବେ ଡାକ୍ତର ୫ ବର୍ଷୀୟ ନାବାଳକ ଶ୍ରେୟାଂଶ ଦେ ର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇଜଣଙ୍କ ଚିକିତ୍ସା ଜାରିରହିଛି । ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ିକୁ ଜବତ କରିବା ସହ ଗାଡ଼ି ଚାଳକଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ଆଇନ ଶୃଙ୍ଖଳା ବିଗିଡ଼ି ଯାଇଥିବା ଅଭିଯୋଗ କରି ସାଧାରଣ ଜନତା ମୃତ ଦେହ ରଖି ମେଡ଼ିକାଲ ଛକରେ ରାସ୍ତା ଅବରୋଧ କରିଥିଲେ। ଉତ୍ଯକ୍ତ ଲୋକମାନଙ୍କୁ ଏସପି ପ୍ରତୀକ ସିଂହ ବୁଝାସୁଝା କରିବା ସହ ମେଡ଼ିକାଲରେ ଚିକିତ୍ସାଧିନ ଥିବା ଜେଜେବାପାଙ୍କୁ ବୁଝାସୁଝା କରିଥିଲେ । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୋକାକୁଳ ପରିବାରବର୍ଗଙ୍କୁ ୪ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଥିଲେ । ମୃତକ ଶିଶୁର ଶବ ବ୍ୟବଚ୍ଛେଦ କରାଯାଇ ସଂସ୍କାର କରାଯାଇଥିଲା । ଏସପି ଉତ୍ଯକ୍ତ ଜନତାଙ୍କୁ ବୁଝାସୁଝା କରିବା ସହ ଦୋଷୀକୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରେ ଯାନବାହାନ ଚଳାଚଳ ସ୍ବାଭାବିକ ହୋଇଥିଲା ।











