ସୁନ୍ଦରଗଡ଼ : ଗାଙ୍ଗପୁରଗଡ଼ ଓ ବଣେଇଗଡ଼କୁ ମିଶାଇ ୧୯୪୮ ମସିହା ଜାନୁଆରୀ ୧ ତାରିଖରେ ଗଠିତ ହୋଇଥିଲା ସୁନ୍ଦରଗଡ଼ ଜିଲ୍ଲା | ଆଜି ଠିକ ୭୯ ବର୍ଷ ପୂର୍ଣ୍ଣ ହେବା ପରେ ପାଳିତ ହୋଇଛି ଧୁମଧାମ ଭାବରେ ୭୯ ତମ ସୁନ୍ଦରଗଡ଼ ପ୍ରତିଷ୍ଠା ଦିବସ | ଏହି ଅବସରରେ ଆଜି ସକାଳେ ଏକ ଭବ୍ୟ ଓ ଆଡମ୍ବରପୂର୍ଣ୍ଣ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।
ପ୍ରତିବର୍ଷ ପରି ଏହିବର୍ଷ ମଧ୍ୟ ସୁନ୍ଦରଗଡ଼ ପ୍ରତିଷ୍ଠା ଦିବସକୁ ମହା ଉତ୍ସାହ ଓ ଉଲ୍ଲାସ ସହିତ ପାଳନ କରାଯାଉଅଛି। ଆଜି ସକାଳୁ ସୁନ୍ଦରଗଡ଼ ରାଜବାଟି ସ୍ଥିତ ମା" ସମଲେଇଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ପରେ ମସାଲଧରି ବିଭିନ୍ନ ଗ୍ରାମାଞ୍ଚଳ ଠାରୁ ଆସିଥିବା ଅନେକ କୀର୍ତନ, କରମା ନାଚ, ମୟୁର ଝାଲ ନାଚ, ଘୁମୁରା ନାଚତାଳେ ତାଳେ ସହର ପରିକ୍ରମା କରାଯାଇଥିଲା ।
ଏହି ଶୋଭାଯାତ୍ରାରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ସୁନ୍ଦରଗଡ଼ ପୌରାଧ୍ୟକ୍ଷା ତନୟା ମିଶ୍ର, ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର, ଏସପି ଅମ୍ରିତପାଲ କୌର, ସଦର ଉପଜିଲ୍ଲାପାଳ ତେଜସ୍ୱିନୀ ବେହେରା ସହ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ମା" ସମଲେଇଙ୍କ ମନ୍ଦିର ପ୍ରାଙ୍ଗଣରୁ ଆରମ୍ଭ ହୋଇଥିବା ଏହି ଶୋଭାଯାତ୍ରା ରିଜେନ ମାର୍କେଟ, ରଙ୍ଗାଡିପା ଛକ, ଡିଆରଡିଏ ଛକ ଦେଇ ନାରୀକଲ୍ୟାଣ ପଡ଼ିଆରେ ସମାପ୍ତ ହୋଇଥିଲା ।ଜିଲାର ବିଭିନ୍ନ ଅନୁଷ୍ଠାନ ଦ୍ୱାରା ବିଭିନ୍ନ ଛକରେ ଶୋଭାଯାତ୍ରାକୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସୁନ୍ଦରଗଡ଼ ସହରର ଶତାଧିକ ସଂଖ୍ୟାରେ ଜନସାଧାରଣ ଯୋଗଦେଇ ଏହି ଶୋଭାଯାତ୍ରାକୁ ସଫଳ କରିଥିଲେ।
ଏହି ଅବସରରେ ଆଜି ସନ୍ଧ୍ୟାରେ ଓ ଆସନ୍ତା କାଲି ସନ୍ଧ୍ୟାରେ ବିଭିନ୍ନ ବିଶିଷ୍ଟ କଳାକାରଙ୍କ ଦ୍ୱାରା ସଂସ୍କୃତିକ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି।











