ମନୋହରପୁର ବାପଟିଷ୍ଟ ମଣ୍ଡଳୀର ସଂଖ୍ୟାଲଘୁ କଲ୍ୟାଣ ସଚେତନତା କାର୍ଯ୍ୟକ୍ରମ
କେନ୍ଦୁଝର,ତା୨୯/୧୨- କେନ୍ଦୁଝର ଜିଲାର ମନୋହରପୁର ଗ୍ରାମରେ ଥିବା ଚର୍ଚ୍ଚ ପରିସରରେ ସାଧାରଣ ପ୍ରାର୍ଥନା ସଭା ପରେ ଆଜି ମନୋହରପୁର ବାପଟିଷ୍ଟ ମଣ୍ଡଳୀ ଆନୁକୂଲ୍ୟରେ ସରକାରଙ୍କ ପକ୍ଷରୁ ସଂଖ୍ୟାଲଘୁଙ୍କ ପାଇଁ ରହିଥିବା ବିଭିନ୍ନ ସରକାରୀ ସୁବିଧା ସୁଯୋଗ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମନୋହରପୁର ବାପଟିଷ୍ଟ ଚର୍ଚ୍ଚର ପାଶ୍ଚର ଟିମୋଥି ମୁର୍ମୁ ଓ ମନୋହରପୁର ଚର୍ଚ୍ଚର ଅନ୍ୟତମ ମୁଖିଆ ଭୀମ ହାଁସଦା ଯୋଗଦେଇ ଶତାଧିକ ଖ୍ରୀଷ୍ଟିୟାନ ଭାଇ ଭଉଣୀଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ। ଭାରତ ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ କିପରି ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗର ଲାଭ ଉଠାଇ ଛାତ୍ରବୃତ୍ତି ମାଧ୍ୟମରେ ପିଲାଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରିପାରିବା ସହ ଚାକିରୀ କ୍ଷେତ୍ରରେ ଲାଭ ପାଇବେ ସେ ବିଷୟରେ କହିଥିଲେ। ଏହା ସହିତ ଉତ୍ତମ ସ୍ୱାସ୍ଥ୍ୟ ସୁବିଧା, ଗମନା ଗମନ ସୁବିଧାର ଲାଭପାଇବା ବିଷୟରେ ଆଲୋଚନା କରିଥିଲେ। ମନୋହରପୁର ଗ୍ରାମ ପୂର୍ବରୁ ଅପହଞ୍ଚ ରହୁଥିବା ବେଳେ ବର୍ତ୍ତମାନ ରାଜ୍ୟ ସରକାରଙ୍କ କୃପାଦୃଷ୍ଟି ଯୋଗୁ ମୋବାଇଲ ସେବା ପହଞ୍ଚି ପାରିଛି। ଏବେ ବସ ସେବା ଲୋକେ ପାଇ ପାରୁଥିବା ବେଳେ ପ୍ରତ୍ୟେକ ଗ୍ରାମରେ ସ୍ଵଚ୍ଛ ପିଇବା ପାଣି ମିଳି ପାରୁଛି। ଲୋକେ ସରକାରୀ ସହାୟତାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଛନ୍ତି। ଶିକ୍ଷାର ଲାଭ ମିଳିବା ଯୋଗୁ ଆଜି ଏହି ଅଞ୍ଚଳରେ ଅନ୍ଧବିଶ୍ୱାସକୁ ଦୂରକରି ଉତ୍ତମ ଆଇନ ସେବା ପ୍ରଦାନ କରିବାରେ ସଫଳତା ପାଇଛି। ଆଇନ ବ୍ୟବସ୍ଥାରେ ଅନେକ ସୁଧାର ଆସିପାରିଛି। ଉପାନ୍ତ ଅଞ୍ଚଳରେ ଖ୍ରୀଷ୍ଟିୟାନ ମାନଙ୍କ ଉପରେ ଅତ୍ୟାଚାର ନୁହେଁ ବରଂ ଭାଇଚାରର ସୁସମ୍ପର୍କ ପ୍ରତିଷ୍ଠା ହୋଇ ପାରିଛି। ଖ୍ରୀଷ୍ଟିୟାନ ଭାଇ ଭଉଣୀ ମାନେ ଏବେ ନିର୍ଭୟରେ ନିଜ ଧର୍ମ ପାଳନ କରିବା ସହ ସମସ୍ତ ପର୍ବକୁ ସାଧାରଣ ଲୋକଙ୍କ ସହ ମିଶି ପାଳନ କରି ଖୁସି ମନାଉଛନ୍ତି ବୋଲି ମନୋହରପୁର ବାପଟିଷ୍ଟ ଚର୍ଚ୍ଚର ପାଶ୍ଚର ଟିମୋଥି ମୁର୍ମୁ କହିଥିଲେ। ଚର୍ଚ୍ଚ ନିକଟରେ ଏବେ ଏକ ନୂତନ ଆଦର୍ଶ ଥାନା ସରକାର ନିର୍ମାଣ କରୁଥିବାରୁ ଏହି ଅଞ୍ଚଳରେ ଶାନ୍ତିର ସହାବସ୍ଥାନ ଆଗକୁ ବଢିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାୟ ୨ଶହରୂ ଅଧିକ ଖ୍ରୀଷ୍ଟିୟାନ ଭାଇ ଭଉଣୀ ଖ୍ରୀଷ୍ଟମାସ ପାଳନ କରିବା ଅବସରରେ ସରକାରଙ୍କ ସଂଖ୍ୟାଲଘୁ କଲ୍ୟାଣ ଯୋଜନା ଯୋଗୁ ସେମାନେ ନିଜକୁ ପୂର୍ବ ସମୟ ଠାରୁ ଅଧିକ ସୁରକ୍ଷିତ ମନେ କରୁଥିବା ପ୍ରକାଶ କରିଥିଲେ।











