ହେଡଲାଇନସ୍:

ହଜାର ହଜାର ପର୍ଯ୍ୟଟକଙ୍କ କୋଳାହଳ ମଧ୍ୟରେ ଉତ୍ସବ ମୁଖର ହୋଇପଡୁଛି ଶ୍ରୀ ରଘୁନାଥ ଜିଉଙ୍କ ପୀଠ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, ୨୯।୧୨(ଶ୍ରୀକାନ୍ତ କୁମାର ମିଶ୍ର) : ଭାରତର ବିଭିନ୍ନ ରାଜ୍ୟ ସହିତ ଓଡ଼ିଶାର ଏକ ପ୍ରସିଦ୍ଧ ଓ ଅନନ୍ୟ ଐତିହ୍ୟସମ୍ପନ୍ନ ବିଷ୍ଣୁ କ୍ଷେତ୍ର ଭାବେ ପରିଚିତ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜେ ପ୍ରଭୁ ଶ୍ରୀ ରଘୁନାଥ ଜିଉଙ୍କ ପୀଠ ଏବେ ପର୍ଯ୍ୟଟକଙ୍କ ଭିଡ଼ ଓ କୋଳାହଳ ମଧ୍ୟରେ ଉତ୍ସବ ମୁଖର ହୋଇ ପଡ଼ୁଛି, ଶ୍ରୀ ରଘୁନାଥ ଜିଉଙ୍କ ପୂଣ୍ୟ ପୀଠ । ବର୍ଷସାରା ଏଠାକୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସୁଅ ଛୁଟୁଥିବା ବେଳେ ବର୍ତ୍ତମାନର ପର୍ଯ୍ୟଟନ ଋତୁରେ ହଜାର ହଜାର ଭକ୍ତ ପବିତ୍ର ସ୍ବର୍ଣ୍ଣ କଳସ କ୍ଷେତ୍ରର ଅଧୀଶ୍ୱର ପ୍ରଭୁ ଶ୍ରୀ ରଘୁନାଥ ଜିଉଙ୍କ ଦର୍ଶନ ପାଇଁ ପୀଠରେ ପହଞ୍ଚୁଥିବା ଦେଖିବାକୁ ମିଳୁଛି । ମୁଖ୍ୟ ମନ୍ଦିରରେ ପ୍ରଭୁ ଶ୍ରୀ ରଘୁନାଥଙ୍କ ସହିତ ମାତା ସୀତା ଓ ଅନୁଜ ଲକ୍ଷ୍ମଣଙ୍କ ବନବାସୀ ଦାରୁ ମୂର୍ତ୍ତି ଦର୍ଶନ କରି ଶ୍ରଦ୍ଧାଳୁମାନେ ମନ୍ତ୍ରମୁଗ୍ଧ ହୋଇଉଠୁଛନ୍ତି । ପ୍ରଭୁଙ୍କୁ ଦର୍ଶନ ସହିତ ସମ୍ପୃକ୍ତ ଐତିହ୍ୟ ଓ କିମ୍ବଦନ୍ତୀ ଶୁଣି ଅନେକ ପର୍ଯ୍ୟଟକ ଆଶ୍ଚର୍ଯ୍ୟଚକିତ ହେଉଥିବା ଦେଖାଯାଉଛି । ମନ୍ଦିର ବେଢ଼ାରେ ଥିବା ସମସ୍ତ ପାର୍ଶ୍ୱ ଦେବଦେବୀଙ୍କ ସହିତ ମନ୍ଦିର ଚୁଡ଼ାରେ ଖଚିତ ସ୍ୱର୍ଣ୍ଣ କଳସ ଓ ପତିତ ଉଧାର ବାନାକୁ ଦର୍ଶନ କରି ପର୍ଯ୍ୟଟକମାନେ ଆନନ୍ଦ ଉପଭୋଗ କରୁଛନ୍ତି । ଏହାସହ ଐତିହ୍ୟସମ୍ପନ୍ନ ସୁବଳୟା ପର୍ବତ ଓ ସ୍ବର୍ଣ୍ଣ କଳସ ସାମ୍ନାରେ ଫଟୋ ଉତ୍ତୋଳନ କରି ଭ୍ରମଣକୁ ସ୍ମରଣୀୟ କରୁଛନ୍ତି ।ଚଳିତବର୍ଷ ମନ୍ଦିର ରାସ୍ତା ଓ ଝୁଲଣ ମଣ୍ଡପ ପାର୍ଶ୍ୱରେ ଶହ ଶହ ଚାରିଚକିଆ ଯାନ ଓ ବସ ଧାଡ଼ି ଲମ୍ବିଥିବା ବେଳେ ସୀମିତ ପାର୍କିଂ ବ୍ୟବସ୍ଥା ଯୋଗୁଁ କେତେକ ଯାନ ଦୀର୍ଘ ଦୂର ପର୍ଯ୍ୟନ୍ତ ରାସ୍ତାରେ ରହିଯାଉଛି । ବୟସ୍କ ଶ୍ରଦ୍ଧାଳୁମାନଙ୍କ ସହିତ ବିଭିନ୍ନ ଅନୁଷ୍ଠାନ ଓ ସ୍କୁଲ–କଲେଜ ଛାତ୍ରଛାତ୍ରୀମାନେ ମଧ୍ୟ ଆସୁଥିବାରୁ ଶାନ୍ତି ଓ ଶୃଙ୍ଖଳା ରକ୍ଷା ପାଇଁ ଓଡ଼ଗାଁ ଆଦର୍ଶ ଥାନା ଆଇଆଇସି ଅଭୟ ବେହେରାଙ୍କ ତତ୍ତ୍ୱାବଧାନରେ ପୋଲିସ ପ୍ରହରା ବ୍ୟବସ୍ଥା କରାଯାଇଛି । ସୂଚନାଯୋଗ୍ୟ ଯେ, ପର୍ଯ୍ୟଟକମାନେ ଶ୍ରୀ ରଘୁନାଥ ଜିଉଙ୍କ ଦର୍ଶନ ସହିତ ନିକଟସ୍ଥ ବାବା ଦୂତୀକେଶ୍ବର, ବାବା ଲଡୁବାବା ଓ ବୈଷ୍ଣୋଦେବୀଙ୍କ ଦର୍ଶନ କରି ବୁଢ଼ାବୁଢ଼ୀ ଆଣି ଡ୍ୟାମ ଓ ବରକନ୍ୟା ଝରଣାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରୁଛନ୍ତି। ତେବେ ଓଡ଼ଗାଁ କେନ୍ଦ୍ରସ୍ଥଳରେ ଥିବା ମନ୍ଦିରର ଏକମାତ୍ର ବଡ଼ ଧର୍ମଶାଳା ଭାଙ୍ଗି କେବଳ ଦୈନିକ ବଜାର ହେବା ପରେ ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକମାନେ ସକାଳର ନିତ୍ୟକର୍ମ ଓ ବିଶ୍ରାମ ପାଇଁ ସୁବ୍ୟବସ୍ଥା ନ ଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

0
0
0
s2sdefault