ବାଣପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ୨ ବାଇକ ଆରୋହୀଙ୍କ ମୃତ୍ୟୁ, ଅନ୍ୟଜଣେ ଗୁରୁତର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବାଣପୁର:(ସେକ କୌସର): ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି, ଯେଉଁଥିରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଦ୍ବୟ ହେଲେ ବାଣପୁର ପାଟପୁର ଗ୍ରାମର ଦୁର୍ଗାଚରଣ ସେଠିଙ୍କ ପୁତ୍ର ଚନ୍ଦନ ସେଠି (୨୨) ଏବଂ ସାରୁବାରୀପଦର ଗ୍ରାମର କାହ୍ନୁ ଚରଣ ମହାପାତ୍ରଙ୍କ ପୁତ୍ର ରୁଦ୍ରପ୍ରସାଦ ମହାପାତ୍ର (୨୦)। ସେହିପରି ଭାବେ ଗୁରୁତର ଆହତ ଜଣକ ହେଲେ ସାରୁବାରୀପଦର ଗ୍ରାମର ଦେବାଶିଷ ତ୍ରିପାଠୀ (୨୭)ପୋଲିସ ସୂଚନା ମୁତାବକ ଉକ୍ତ ତିନି ଜଣ ଯୁବକ ଏକ ବାଇକ ଯୋଗେ କ୍ରିକେଟ ଖେଳ ଦେଖିବାକୁ ଯାଉଥିବା ବେଳେ ବନବାସପୁର ଗ୍ରାମ ଠାରେ ବିପରୀତ ଦିଗରୁ ଏକ ମାଟି ବୋଝେଇ ଟ୍ରାକ୍ଟର ସହ ଧକ୍କା ହୋଇଥିଲା। ଫଳରେ ଉଭୟ ଚନ୍ଦନ ଓ ରୁଦ୍ରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଦେବାଶିଷ ଗୁରୁତର ଆହତ ହୋଇଛନ୍ତି। ତାଙ୍କର ଗୋଟାଏ ଗୋଡ଼ ଭାଙ୍ଗିଯାଇଥିବା ସୂଚନା ମିଳିଛି। ଖବର ପାଇ ବାଣପୁର ଥାନା ଏସଆଇ ପ୍ରଦୀପ୍ତ ସ୍ୱାଇଁ, ଏଏସ ଆଇ ସଞ୍ଜୟ ପାତ୍ର, ବାସୁମତି ସାହୁ ଏବଂ ଟିମ ଘଟଣାସ୍ଥଳରେ ପହଞ୍ଚି ମୃତକ ଏବଂ ଆହତଙ୍କୁ ଉଦ୍ଧାର କରି ବାଣପୁର ମେଡିକାଲ ପଠାଇଥଲେ। ଘଟଣାସ୍ଥଳରୁ ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟର ଚାଳକ ଫେରାର ହୋଇଯାଇଥିବା ବେଳେ ପୋଲିସ ଉଭୟ ଗାଡି ଜବତ କରି ତଦନ୍ତ ଜାରି ରଖିଛି। ଅନୁରୂପ ଭାବେ ବାଣପୁର ମେଡିକାଲ ପରିସରରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।

0
0
0
s2sdefault