ସର୍ବ ପୁରାତନ ଗୋଶାଳାର ସଂପ୍ରସାରଣ: ମନ୍ତ୍ରୀଙ୍କ ଦ୍ୱାରା ଅତିରିକ୍ତ ଗୋଶାଳା ଭବନର ଶିଳାନ୍ୟାସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ତଥା ଘୁମୁସର ଅଞ୍ଚଳର ମହାନ୍ ସମାଜ ସଂସ୍କାରକ ଶ୍ରୀବତ୍ସ ପଣ୍ଡାଙ୍କ ଦ୍ୱାରା ସ୍ଥାପିତ ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ତନରଡା ସ୍ଥିତ ଶ୍ରୀବତ୍ସ ଗୋରକ୍ଷାଶ୍ରମ ନିଜର ଶତବାର୍ଷିକୀ ଅତିକ୍ରମ କରିଥିବା ବେଳେ ଆଜି ଏହି ଗୋଶାଳାର ସଂପ୍ରସାରଣ କାର୍ଯ୍ୟକ୍ରମ ଅବସରରେ ଅତିରିକ୍ତ ଗୋଶାଳ ଭବନର ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଆଚାର୍ଯ୍ୟ ଡଃ ସୁଦର୍ଶନ ଦେବଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡିଶା ଖଣି, ପରିବହନ ଓ ବାଣିଜ୍ୟ ମନ୍ତ୍ରୀ ବିଭୁତି ଭୁଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ୱତନ୍ତ୍ର ଅତିଥି ଭାବେ ସୋରଡା ବିଧାୟକ ନୀଳମଣି ବିଷୋୟୀ ଓ ଅନ୍ୟତମ ଅତିଥି ଭାବେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ ନାୟକ ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଜେନା, ଭାରତୀୟ ସଂସ୍କୃତିରେ ଗାଈ କୁ ମାତା ରୁପେ ବିବେଚନା କରାଯାଉଥିବାବେଳେ ଆଜି ଦିନରେ ଲୋକେ ନିଜ ଘରେ ଗୃହପାଳିତ ପଶୁ ଭାବେ ବିଭିନ୍ନ ପ୍ରଜାତିର କୁକୁର ପୋଷୁଥିବା ବେଳେ ଗାଇ ପାଳିବା ପାଇଁ କୁଣ୍ଠାବୋଧ କରୁଛନ୍ତି। ଦେଶୀ ଗାଇର ଘିଅ, କ୍ଷୀର, ଗୋବର ଓ ଗୋମୁତ୍ର ଗୋମାତାଙ୍କ ଦ୍ୱାରା ପ୍ରଦତ୍ତ ଏକ ପ୍ରାକୃତିକ ବରଦାନ ହୋଇଥିବା ବେଳେ ଏହା ଜନହିତକର ।ସେ ମଧ୍ୟ ଆଜି ୧୫୦ ଟି ଗାଇର ସେବା କରୁଛନ୍ତି ଏବଂ ଆଜିକାଲିର ଯୁବପିଢୀ ଗୋରକ୍ଷା ଓ ଗାଇ ପାଳିବା ପାଇଁ ଆଗ୍ରହ ରଖିବା ଉଚିତ ବୋଲି ସେ ପରାମର୍ଶ ଦେଇ ଥିଲେ । ଗୋମାତାଙ୍କ ରକ୍ଷା ଓ ସେବା କ୍ଷେତ୍ରରେ ଶ୍ରୀବତ୍ସ ଗୋରକ୍ଷାଶ୍ରମ ସାରା ଭାରତ ବର୍ଷରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ମଧ୍ୟ ସେ କହିଥିଲେ । ସେହିପରି ସୋରଡା ବିଧାୟକ ନୀଳମଣି ବିଷୋୟୀ ମଧ୍ୟ ଦେଶୀ ଗାଇ ପାଳିବା ପାଇଁ ଗୁରୁତ୍ୱ ଦେବା ସହିତ ଶହେ ଜର୍ଶୀ ଗାଈ ଅପେକ୍ଷା ଘରେ ଗୋଟିଏ ଦେଶୀ ଗାଇ ରଖିବା ଦ୍ୱାରା ପରିବେଶ ଶୁଦ୍ଧତା ଆଣିଥାଏ ତା ସହିତ ଗାଇ କ୍ଷୀରରୁ ପ୍ରସ୍ତୁତ ଘିଅ ପୋଡିବା ଦ୍ୱାରା ନିଜ ଗୃହ ସହିତ ଆଖପାଖରେ ଏକ ବିଶୁଦ୍ଧ ଓ ନୀରାମୟ ବାତାବରଣ ପ୍ରଦାନ କରିଥାଏ ।ଏଥି ସହିତ ବହୁଳ ପରିମାଣରେ ବୃକ୍ଷରୋପଣ କରିବା ପାଇଁ ବିଧାୟକ ଶ୍ରୀ ବିଷୋୟୀ ନିଜର ବହୁମୁଲ୍ୟ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ପରିବାରର ପ୍ରତ୍ୟେକ ସଦସ୍ୟ ଗୋଟିଏ ଗୋଟିଏ ବୃକ୍ଷ ଲଗାଇବା ପାଇଁ ସେ ପରାମର୍ଶ ଦେଇଥିଲେ । ଉପସ୍ଥିତ ମନ୍ତ୍ରୀ ଓ ବିଧାୟକ ଶ୍ରୀବତ୍ସ ଗୋରକ୍ଷାଶ୍ରମର ବିକାଶ ସକାଶେ ସଦାସର୍ବଦା ନିଜର ସହଯୋଗ ଜାରି ରଖିବେ ବୋଲି ପ୍ରତିଶ୍ରୁତି ଦେଇଥିବା ବେଳେ ହୋମ, ଯଜ୍ଞ ଓ ବେଦ ପାଠରେ ଅତିରିକ୍ତ ଗୋଶାଳା ଭବନର ଶିଳାନ୍ୟାସ ହୋଇଥିଲା ।ଶେଷରେ ଶାନ୍ତି ପାଠ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଯୁବ ସମାଜସେବୀ ଜିତେନ୍ଦ୍ର କୁମାର ନାୟକ ଙ୍କ ସମେତ ସଂଚାଳକ ଶ୍ରୂତିପ୍ରିୟ ଶାସ୍ତ୍ରୀ, ସଂପାଦକ ଗୋପବନ୍ଧୁ ସାହୁ, କୋଷାଧ୍ୟକ୍ଷ ଏ ସନ୍ତୋଷ ଆଚାରୀ, ପଞ୍ଚାନନ ପାଳ, ଲୋକନାଥ ନାୟକ, ରବୀନ୍ଦ୍ର ଭୁୟାଁ, ତ୍ରିଲୋଚନ ଜେନା ଉପସ୍ଥିତ ଥିବା ବେଳେ ବହୁ ଗୋପ୍ରେମୀ, ଅଞ୍ଚଳ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

0
0
0
s2sdefault