ହେଡଲାଇନସ୍:

ବାତ୍ୟା ‘ମୋନ୍ଥା’ର ମୁକାବିଲା ପାଇଁ ସ୍ଵାସ୍ଥ୍ୟ ବିଭାଗ ପୂର୍ଣ୍ଣ ପ୍ରସ୍ତୁତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଭୁବନେଶ୍ୱର, ୨୭.୧୦.୨୦୨୫: ବାତ୍ୟା ‘ମୋନ୍ଥା’ର ମୁକାବିଲା ନିମନ୍ତେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଜିଲ୍ଲା ଚିକିତ୍ସାଳୟ, ମେଡ଼ିକାଲ କଲେଜ୍ ଓ ହସପିଟାଲ ଏବଂ ବିଭିନ୍ନ ସ୍ତରରେ ଥିବା ହସ୍ପିଟାଲ ଓ ସ୍ଵାସ୍ଥ୍ୟକେନ୍ଦ୍ର ମାନଙ୍କର ପ୍ରସ୍ତୁତି ବିଷୟରେ ଆଜି ସନ୍ଧ୍ୟାରେ ବିଭାଗୀୟ ଶାସନ ସଚିବ ଅଶ୍ୱତୀ ଏସ. ଭିଡିଓ କନଫରେନସିଂ ମାଧ୍ୟମରେ ସମୀକ୍ଷା କରିଥିଲେ ।
ଆସନ୍ନପ୍ରସବା ମହିଳାମାନଙ୍କୁ ମାତୃ ଗୃହ, ସ୍ଵାସ୍ଥ୍ୟକେନ୍ଦ୍ର ଓ ହସପିଟାଲମାନଙ୍କୁ ସ୍ଥାନାନ୍ତର, ହସପିଟାଲମାନଙ୍କରେ ଡି.ଜି ସେଟ୍, ଇନଭଟର ସ୍ଥାପନ, ଯଥେଷ୍ଟ ପରିମାଣର ଔଷଧ, ସାପ କାମୁଡା ଇଞ୍ଜେକସନ, ସାଲାଇନ ଓ ଓ.ଆର୍.ଏସ, ହାଲୋଜେନ ବଟିକା, ବ୍ଲିଚିଂ ପାଉଡର ଏବଂ ଅନେକ ଜୀବନ ରକ୍ଷାକାରୀ ଔଷଧ ମହଜୁଦ, ଆମ୍ବୁଲାନ୍ସ ପାଇଁ ଆବଶ୍ୟକୀୟ ଡିଜେଲ ତେଲ, ରୋଗୀମାନଙ୍କ ନିମନ୍ତେ ଆବଶ୍ୟକୀୟ ପଥି ଓ ଶୁଖିଲା ଖାଦ୍ୟ ଆଦିର ଆଗୁଆ ମହଜୁଦ, ଆବଶ୍ୟକୀୟ ମାନବ ସମ୍ବଳ ମୃତୟନ ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରାଯାଇଥିଲା । ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କ୍ଷେତ୍ରସ୍ତରୀୟ ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରମୁଖ ନିଜ ନିଜ ଅଞ୍ଚଳର ପ୍ରସ୍ତୁତି ବିଷୟରେ ବାସ୍ତବ ସ୍ଥିତି ଜଣାଇଥିଲେ ।
ସମୀକ୍ଷାରୁ ଜଣାପଡିଥିଲା ଯେ, ବାତ୍ୟା ‘ମୋନ୍ଥା’ରେ ବିଶେଷ ପ୍ରଭାବିତ ହେବାକୁ ଥିବା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି , ନବରଙ୍ଗପୁର, କନ୍ଧମାଳ ଆଦି ୮ଟି ଜିଲ୍ଲା ସହ ଅରେଞ୍ଜ ୱାର୍ଣିଂ ଏବଂ ୟେଲୋ ୱାର୍ଣିଂ ଥିବା ଜିଲ୍ଲା ମାନଙ୍କରେ ପ୍ରସ୍ତୁତି ଚୁଡାନ୍ତ ହୋଇଛି । ସମସ୍ତ ଡାକ୍ତର ଫାର୍ମାସିଷ୍ଟ ଏବଂ ସ୍ଵାସ୍ଥ୍ୟକର୍ମୀମାନେ ଯେ କୌଣସି ସ୍ଥିତିର ମୁକାବିଲା ପାଇଁ ପୂର୍ଣ୍ଣ ସଜାଗ ଓ ସକ୍ରିୟ ଅଛନ୍ତି । ପ୍ରତ୍ୟେକ ଜିଲ୍ଲାରେ ତୁରନ୍ତ ସହାୟତା ନିମନ୍ତେ ରାପିଡ ଆକ୍ସନ ଟିମ୍ ଗଠନ କରାଯାଇଛି ଏବଂ ସେମାନଙ୍କୁ ଗାଡ଼ି, ସରଞ୍ଜାମ ଓ ସହାୟକ ଆଦି ଯୋଗାଇ ଦିଆଯାଇଛି ।
ଆଜି ଅପରାହ୍ନ ସୁଦ୍ଧା ବିଭିନ୍ନ ଜିଲ୍ଲାରେ ୪୫୧୧ ଜଣ ଆସନ୍ନ ପ୍ରସବା ମହିଳାମାନଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କ ସହ ସ୍ଵାସ୍ଥ୍ୟକର୍ମୀମାନେ ସିଧାସଳଖ ଯୋଗାଯୋଗରେ ଅଛନ୍ତି । ଏମାନଙ୍କ ମଧ୍ୟରେ ରେଡ ୱାର୍ଣିଂଥିବା ୮ଟି ଜିଲ୍ଲାର ୩୮୨୩ ମହିଳା ଅନ୍ତର୍ଭୁକ୍ତ । ତଳୁଆ, ସମ୍ବେଦନଶୀଳ ଏବଂ ଅତ୍ୟଧିକ ବର୍ଷା ହେତୁ ରାସ୍ତା ସଂଯୋଗ ବିଚ୍ଛିନ୍ନ ସମ୍ଭାବନା ଥିବା ସ୍ଥାନ ଗୁଡିକରୁ ଆଜି ସନ୍ଧ୍ୟା ସୁଦ୍ଧା ୧୦୭୩ ଜଣ ମହିଳାଙ୍କୁ ମାତୃଗୃହ ଏବଂ ସ୍ଵାସ୍ଥ୍ୟକେନ୍ଦ୍ରମାନଙ୍କୁ ସ୍ଥାନାନ୍ତର କରାଯାଇଛି । ସମ୍ବେଦନଶୀଳ ଅଞ୍ଚଳରୁ ଚିହ୍ନିତ ମହିଳାମାନଙ୍କର ଶତ ପ୍ରତିଶତ ସ୍ଥାନାନ୍ତର ନିଶ୍ଚିତ କରିବାକୁ ଶାସନ ସଚିବ ଅଶ୍ଵତୀ ଏସ ନିର୍ଦ୍ଦେଶ ଦେଇଥିଲେ । ସ୍ଥାନାନ୍ତର ହୋଇଥିବା ମହିଳାମାନଙ୍କ ମଧ୍ୟରୁ ୨୦୨ ଜଣ ନିରାପଦ ମାତୃତ୍ଵ ଲାଭ କରିଛନ୍ତି । ଜିଲ୍ଲା ଜରୁରୀକାଳୀନ ୟୁନିଟ ସହ ବରାବର ଯୋଗାଯୋଗ କରି ଆବଶ୍ୟକୀୟ ସ୍ଥାନମାନଙ୍କରେ ଆଗୁଆ ଆମ୍ବୁଲାନ୍ସ ସବୁ ପ୍ରସ୍ତୁତ ରଖିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା ।
ମେଡିକାଲ କଲେଜ୍ ଓ ହସପିଟାଲ ଗୁଡିକର ସୁପରିଟେଣ୍ଡମାନଙ୍କୁ ପୂର୍ଣ୍ଣ ପ୍ରସ୍ତୁତ ରହିବା ଏବଂ ସେମାନଙ୍କ ପାଖାପାଖି ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।
ଯେଉଁ କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ନିଷ୍ଠାର ସହ ଭଲ କାମ କରୁଛନ୍ତି ସେମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ବିଷୟରେ ସ୍ଵାସ୍ଥ୍ୟ ନିର୍ଦ୍ଦେଶାଳୟମାନଙ୍କୁ ଜଣାଇବା ପାଇଁ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । କୌଣସି ଆକସ୍ମିକ ସ୍ଥିତିର ମୁକାବିଲା ନିମନ୍ତେ ପ୍ରତି ଜିଲ୍ଲାକୁ ୨ ଲକ୍ଷ ଟଙ୍କାର ଜରୁରୀକାଳୀନ କଣ୍ଟିଯେନ୍ସି ଫଣ୍ଡ ଯୋଗାଇ ଦିଆଯାଇଛି ବୋଲି ବୈଠକରେ ଆଲୋଚନାରୁ ଜଣାପଡିଥିଲା । ଆବଶ୍ୟକୀୟ ସ୍ଥଳେ ଅଧିକ ମାନବ ସମ୍ବଳ ଓ ଔଷଧ ପତ୍ର ଆଦି ସଂପୃକ୍ତ ଅଂଚଳକୁ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ଜଣାଇ ଦିଆଯାଇଥିଲା ।
ସ୍ଵତନ୍ତ୍ର ଶାସନ ସଚିବ ଡ଼ାକ୍ତର ବିଜୟ କୁମାର ମହାପାତ୍ର, ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ରଙ୍କ ସମେତ ବିଭିନ୍ନ ସ୍ଵାସ୍ଥ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନର ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

0
0
0
s2sdefault