ନଭେମ୍ବର ୬ରେ ଅନୁଷ୍ଠିତ ହେବ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ହାତଲେଖା ବଦଳରେ ଡିଜିଟାଲ ଭିନ୍ନକ୍ଷମ ଆବେଦନ ପତ୍ର ବାଧ୍ୟତାମୂଳକ,

ଓଡ଼ଗାଁ,୨୭।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ନଭେମ୍ବର ମାସ ୬ ତାରିଖରେ ଓଡ଼ଗାଁ ବ୍ଳକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ୨୦୨୫ ଅନୁଷ୍ଠିତ ହେବ । ଶିବିରର ଆୟୋଜନ ଓ ପରିଚାଳନା ନିମନ୍ତେ ଓଡ଼ଗାଁ ବ୍ଳକ୍ ସଭାଗୃହରେ ସୋମବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଡିଓ ଜିତେନ୍ଦ୍ର କୁମାର ନାୟକ, ସାମାଜିକ ସୁରକ୍ଷା ଅଧିକାରୀ ରାଜସ୍ବିନୀ ପ୍ରଧାନ ବୈଠକରେ ଯୋଗଦେଇ ୩୬ ପଞ୍ଚାୟତ ସହିତ ଓଡ଼ଗାଁ ଏନ୍ଏସିର ୭ଶହରୁ ଉର୍ଦ୍ଧ୍ବ ଆବେଦନକାରୀ ଅଂଶଗ୍ରହଣ କରିବାର ସମ୍ଭାବନା ରହିଥିବା କହିଥିଲେ । ମାନସିକ ଅନଗ୍ରସର ମାନଙ୍କୁ ଚିହ୍ନଟ କରିବା ନିମନ୍ତେ ଏଥର ୨ଜଣ ସାଇକୋଲୋଜିଷ୍ଟି ଆସୁଥିବା ବେଳେ ମେଡିସିନ, ଅସ୍ଥିଶଲ୍ୟ, ଆଖି ଶ୍ରବଣ ଓ ବାକ୍ ବାଧିତ ବିଶେଷଜ୍ଞ ମାନେ ଶିବିରରେ ଉପସ୍ଥିତ ରହି ଭିନ୍ନକ୍ଷମ ମାନଙ୍କୁ ଚିହ୍ନଟ କରିବାର ବ୍ୟବସ୍ଥା ରହିଛି । ଶୂନରୁ ୬ବର୍ଷ ବୟସର ଶିଶୁ ଏବଂ ତଦୁର୍ଦ୍ଧ ବିଦ୍ୟାଳୟ ଗୁଡ଼ିକର ଭିନ୍ନକ୍ଷମ ଛାତ୍ର ଛାତ୍ରୀ ଅଥବା ଅନ୍ୟ ସମସ୍ତ ଆବେଦନକାରୀ ମାନେ ଅନଲାଇନ ମାଧ୍ୟମରେ ଆବେଦନ କରି ସାଙ୍ଗରେ ଅନଲାଇନ ଆବେଦନ ପତ୍ର ସହିତ ଫଟୋ, ଆଧାର କାର୍ଡ ଏବଂ ରାସନ କାର୍ଡର ଜେରକ୍ସ କପି ନେଇକରି ଆସିବେ । ଯେଉଁ ହିତାଧିକାରୀମାନଙ୍କ ନିକଟରେ ପୂରୁଣା ହାତଲେଖା ଭିନ୍ନକ୍ଷମ ପ୍ରମାଣପତ୍ର ରହିଛି, ସେମାନେ ତୁରନ୍ତ ଅନଲାଇନରେ ପୁନଃ ଆବେଦନ କରି ହାତଲେଖା ଓ ଅନଲାଇନ ଆବେଦନ ପତ୍ରକୁ ସାଙ୍ଗରେ ନେଇ ଆସିବେ।ଶିବିରରେ ଶୃଙ୍ଖଳା ପରିଚାଳନା ପାଇଁ ଓଡ଼ଗାଁ ଆଦର୍ଶ ଥାନା ପୋଲିସ, ସ୍ବଚ୍ଛତା ପାଇଁ ଏନ୍ଏସି କାର୍ଯ୍ୟାଳୟ, ପାନୀୟଜଳ ଯୋଗାଣ ପାଇଁ ଆର୍ ଡବ୍ଳ୍ୟୁଏସଏସ୍, ଦୁର୍ଘଟଣା ନିମନ୍ତେ ଅଗ୍ନିଶମ ବାହିନୀ ଏବଂ ପ୍ରାଥମିକ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥିବା ଜଣାପଡିଛି ।

0
0
0
s2sdefault